ଏହି ଗାଁକୁ ଏଯାଏଁ ଛୁଇଁନି କରୋନା, ଏମିତି ନିଜକୁ ସୁରକ୍ଷା ଦିଅନ୍ତି ଗ୍ରାମବାସୀ

ଏହି ଗାଁକୁ ଏଯାଏଁ ଛୁଇଁନି କରୋନା, ଏମିତି ନିଜକୁ ସୁରକ୍ଷା ଦିଅନ୍ତି ଗ୍ରାମବାସୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମହାମାରୀ କରୋନାର ଦ୍ୱିତୀୟ ଲହର ପାଇଁ ସମଗ୍ର ଦେଶରେ ସ୍ଥିତି ଗମ୍ଭୀର । ବିଭିନ୍ନ ରାଜ୍ୟରୁ କରୋନାର ଭୟାନକ ଚିତ୍ର ଆସୁଛି। କେଉଁଠି ଶବ ପୋଡ଼ା ହେବାକୁ ଜାଗା ମିଳୁନି ତ ଆଉ କେଉଁଠି ଡାକ୍ତରଖାନାରେ ଶଯ୍ୟା ଏବଂ ଅକ୍ସିଜେନ୍ ଅଭାବ । କରୋନା ମହାମାରୀ କାରଣରୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏହି ଭୟାନକ ପରିବେଶରେ ଆମ ଦେଶରେ ଏପରି ଏକ ଗାଁ ଅଛି ଯେଉଁ ଠାରେ ଆଜି ଯାଏଁ ବି କରୋନାର ଗୋଟିଏ ବି ମାମଲା ଦେଖିବାକୁ ମିଳିନି। ଏହି ଗ୍ରାମଟି କରୋନା ମହାମାରୀରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି।
ଏହା ହେଉଛି ରାଜସ୍ଥାନ ସିକର ଜିଲ୍ଲାର ସୁଖପୁରା ଗ୍ରାମ। ରାଜସ୍ଥାନର ଏହି ଗାଁରେ ଆଜକୁ ୧୩ ମାସ ହେଲା ଗୋଟିଏ ବି କରୋନା ମାମଲା ସାମ୍ନାକୁ ଆସିନି । ମହାମାରୀରୁ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିଛି ଗ୍ରାମବାସୀ । ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଏଠାରେ ରହୁଥିବା ଲୋକଙ୍କ ଶୃଙ୍ଖଳା ଏବଂ ସତର୍କତା । ଗତ ବର୍ଷ ଯେତେବେଳେ କରୋନା ଭାଇରସ୍ ପାଇଁ ଲକଡାଉନ୍ ହୋଇଥିଲା ସେତେବେଳେ ଗାଁର ଲୋକମାନେ ସମସ୍ତ ମୁଖ୍ୟ ରାସ୍ତା ବନ୍ଦ କରି ଦେଇଥିଲେ। ଏହା ସହିତ ବାହାରୁ ଆସୁଥିବା ଲୋକଙ୍କ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଥିଲା ।
ନିଜେ ଗାଁ ବାହାରେ ଆଇସୋଲେଶନ ଏବଂ କଣ୍ଟେନମେଣ୍ଟ କେନ୍ଦ୍ର ସ୍ଥାପନ କରିଥିଲେ । ଗ୍ରାମବାସୀମାନେ ଏହି କେନ୍ଦ୍ର ଗୁଡିକରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା ମଧ୍ୟ କରିଥିଲେ। ଏହା ସହିତ ଗାଁରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା ଏବେ ମଧ୍ୟ ଦିଆଯାଉଛି। ଏହି ସମସ୍ତ କାରଣରୁ, ଗାଁର ସମସ୍ତ ଲୋକ ଆଜି ମଧ୍ୟ କରୋନାଠାରୁ ସୁରକ୍ଷିତ ଅଛନ୍ତି।ଏବେ କରୋନାର ଦ୍ଵିତୀୟ ଲହର କାରଣରୁ ରାଜସ୍ଥାନର ଅବସ୍ଥା ଆହୁରି ବିଗିଡି ଯାଇଛି। କିନ୍ତୁ ସୁଖପୁରା ଗ୍ରାମ କେବଳ ରାଜସ୍ଥାନରେ ନୁହେଁ ସମଗ୍ର ଦେଶରେ ସୁରକ୍ଷିତ ରହିବାର ଏକ ଉଦାହରଣ ସୃଷ୍ଟି କରିଛି। ଏଠାରେ ଏବେ ବି କଟକଣା କଡାକଡି ଭାବେ ପାଳନ କରାଯିବା ସହ ସତର୍କ ଓ ଶୃଙ୍ଖଳିତ ଜୀବନ ବିତାଉଛନ୍ତି ଗ୍ରାମବାସୀ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: