ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ CAA !

ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ CAA !

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ଆସନ୍ତା ମାସରୁ କାର୍ଯ୍ୟକାରୀ ହୋଇପାରେ ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ ବା ନାଗରିକତା ସଂଶୋଧନ ଆଇନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସାରା ଦେଶରେ CAA ଲାଗୁ ହେବ ବୋଲି କିଛିଦିନ ତଳେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯାହା ଆସନ୍ତା ମାର୍ଚ୍ଚ ମାସରୁ ଲାଗୁ ହେବାର ସମ୍ଭାବନା ଅଧିକ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସ୍ବତନ୍ତ୍ର ପୋର୍ଟାଲ ଖୋଲାଯାଇଛି । ଯେଉଁଥିରେ ନାଗରିକମାନେ ପଞ୍ଜୀକରଣ କରିପାରିବେ । ପୋର୍ଟାଲର ଡ୍ରାଏ ରନ ମଧ୍ୟ ଚାଲିଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରଠାରୁ ଦେଶରେ CAA ଲାଗୁ ହେବ ବୋଲି କୁହାଯାଉଛି ।

୨୦୧୯ରେ ଏନେଇ ସରକାର ଆଇନ ଆଣି ସାରିଛନ୍ତି । କିନ୍ତୁ ସେତେବେଳେ ପ୍ରବଳ ବିରୋଧ କରାଗଲା । ପୁଣି ତା ପରେ କୋଭିଡ୍ ଆସିଲା । ଯେଉଁଥି ପାଇଁ ଏହା ଲାଗୁ ହୋଇପାରି ନଥିଲା । ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣ-ମୁସଲିମ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ମାନ୍ୟତା ଦେବ ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ ବା ନାଗରିକତା ସଂଶୋଧନ ଆଇନ । ୧୯୫୫ର ନାଗରିକତା ସଂଶୋଧନ ଆଇନରେ ପରିବର୍ତ୍ତନ ଆଣି ୨୦୧୯ରେ ନୂଆ ଆଇନ ଆଣିଛନ୍ତି ସରକାର ।

ତେବେ ଆଇନ ଆସିବା ପରେ ଲାଗୁ ହୋଇ ନଥିଲେ ମଧ୍ୟ ସରକାର ଏନେଇ ପ୍ରୟାସ ଜାରି ରଖିଥିଲେ । ଦୁଇବର୍ଷ ହେବ ୩୦ ଜଣ ଜିଲ୍ଲାପାଳ, ୯ଟି ରାଜ୍ୟର ଗୃହ ସଚିବଙ୍କୁ ନାଗରିକତା ପ୍ରଦାନ ପାଇଁ କ୍ଷମତା ଦିଆଯାଇଛି । ବିଶେଷକରି ପଡ଼ୋଶୀ ୩ ଦେଶରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନଙ୍କୁ ମିଳିବ ଭାରତରୀୟ ନାଗରିକତା । ତେବେ ମୁସଲିମଙ୍କୁ ଏଥିରୁ ବାଦ୍ ଦେବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଅଧିକାଂଶ ଲୋକେ । ଏହା ସମ୍ବିଧାନରେ ଉଲ୍ଲିଖିତ ଧର୍ମନିରପେକ୍ଷତାର ଉଲ୍ଲଂଘନ କରୁଥିବା କହୁଛନ୍ତି ସମାଲୋଚକ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: