ପ୍ରଚଣ୍ଡ ସ୍ୱାଭିମାନର ପ୍ରତୀକ କୁଳବୃଦ୍ଧ ମଧୁସୂଦନ

ପ୍ରିଜମ୍ ନ୍ୟୁଜ (ସ୍ୱତନ୍ତ୍ର): ଓଡ଼ିଆ ଭାଷା ଓ ଜାତି ପାଇଁ ତାଙ୍କ ପ୍ରାଣ ଥିଲା ଉତ୍ସର୍ଗ। ସିଏ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ। ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣୀ। କଲମ ଧାରରେ ସଂଘର୍ଷ ଓ ସ୍ୱାଭିମାନ କାହାଣୀର ସିଏ ଥିଲେ ଜଣେ ଉତ୍ତମ ରଚୟିତା। କୂଳବୃଦ୍ଧ ମଧୁସୂଦନ ଦାସ। ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ଜନ୍ମ ନିଅନ୍ତି ମଧୁସୂଦନ ଦାସ। ଉତ୍କଳ ଗୌରବ ରୂପେ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଥିବା ଏହି ମହାପୁରୁଷ, ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି, ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଥିଲେ। ଜନ୍ମଭୂମି ସତ୍ୟଭାମାପୁରରୁ ତାଙ୍କର ଯାତ୍ରା କଲିକତା, ବ୍ରିଟେନ ଦେଇ ଶେଷ ହୋଇଥିଲା କର୍ମଭୂମି କଟକ ସହରରେ। ଆଉ ଏହି ଲମ୍ବା ଯାତ୍ରା ଓଡ଼ିଆ ଏବଂ ଓଡ଼ିଶା ପାଇଁ ଯୁଗଯୁଗର ସ୍ୱତନ୍ତ୍ରତାକୁ ନିଶ୍ଚିତ କରିଯାଇଥିଲା। ଗୋବିନ୍ଦ ବଲ୍ଲଭ ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ମଧୁବାବୁଙ୍କ ପାଠପଢ଼ା। ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏହାପରେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ। ୧୮୮୧ ସେପ୍ଟେମ୍ବର ୧୨ରେ କଲିକତାରୁ ଫେରି କଟକରେ ଓକିଲାତି ଜୀବନ ଆରମ୍ଭ କରନ୍ତି ମଧୁବାବୁ। ଏହାପରେ ୧୯୨୧, ଜାନୁଆରୀ ୬ରେ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଆନ୍ତି। ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ କବିତା ରଚନା କରିଛନ୍ତି। ସେହିପରି ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ। ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶା ପ୍ରତିଷ୍ଠା ହୋଇଥିଲା।

‘କହିଲା ଜାତିର କାନେ କାନେ
ଉଠିବୁ ଆଉ ତୁ କେତେଦିନେ,
ପୂରୁବ ଗୌରବ, ପୁରୁବ ମହିମା

ପଡ଼ୁନାହିଁ କିରେ ତୋର ମନେ’

————————

‘ଭୂମିକମ୍ପ ହେବ ଧରଣୀ ଫାଟିବ
ଉଠିବେ ସହସ୍ରଭୁଜା,
ସେହି ତୋର ମାତା ସେହି ତୋର ତ୍ରାତା

କର ସେହି ପଦ ପୂଜା’

————————-

‘ମା’ ମା’ ବୋଲି କେତେ ମୁଁ ଖୋଜିଲି
ମା’କୁ ପାଇଲି ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି’

—————————

‘ଜାତି ଇତିହାସ ଜାତିର ନିର୍ଝର

ତହୁଁ ବହେ ସଦା ଜାତି ପ୍ରାଣ ଧାର

ସେ ଧାରରୁ ନୀର ପିଉଛି ଯେ ନର

ନିଶ୍ଚୟ ହେବ ସେ ଜାତି କର୍ମବୀର’

——————

‘ଉଠରେ ଉଠରେ ଉତ୍କଳ ସନ୍ତାନ

ଉଠିବୁ ତୁ କେତେ ଦିନେ

ପୂରୂବ ଗୌରବ, ପୂରୂବ ସାହସ

ପଡ଼ିବକି କେବେ ମନେ ?’

Leave a Reply

Your email address will not be published.