ବିଶ୍ବ ସ୍ବାକ୍ଷରତା ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖରେ  UNESCO ଦ୍ବାରା ବିଶ୍ବ ସ୍ବାକ୍ଷରିତା ଦିବସ ବା World Literacy Day ପାଳନ କରାଯାଏ।

(ଡା. ଇପ୍‌ସିତା ପ୍ରଧାନ):"ହଁ, ସ୍କୁଲକୁ ଆସିଲା ବେଳେ ମୁଁ ସାଙ୍ଗରେ 'କେୟାର୍-ଫ୍ରି'ର ପ୍ୟାକେଟ୍ ନେଇକି ଆସେ। ଖାଲି ମୋର ନୁହେଁ, ଅନେକ ସମୟରେ ମୋ' ପିଲାମାନଙ୍କର ବି ଏହା କାମରେ ଆସେ। ସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ହିସାବରେ ସେମାନଙ୍କୁ ମାସିକ ଋତୁସ୍ରାବ ବିଷୟରେ ପଢାଇବା ସିଲାବସ୍ ରେ ଥିଲା। ହେଲେ ଏସବୁକୁ ନେଇ କିଭଳି ସଚେତନ ରହି ହେବ ଓ ସ୍ବାସ୍ଥ୍ୟର ଯତ୍ନ ନେଇ ହେବ ସେ ସମ୍ପର୍କରେ ଛୋଟଛୋଟ ଝିଅ ଓ ଏମିତିକି ପୁଅ ମାନଙ୍କୁ ମଧ୍ୟ ସଜାଗ କରିବା ମୋ ଦାୟିତ୍ୱ ଥିଲା।" ଏ ହେଉଛି ବିହାରର, ଖୁସୁରପୁର୍ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର, ୨୦୨୨ରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷୟିତ୍ରୀ ନିଶି କୁମାରୀଙ୍କ ଅଭିଭାଷଣ। କେବଳ ଶିକ୍ଷା ବା ପାଠପଢ଼ା ପ୍ରଣାଳୀ ନୁହେଁ, ସରକାରୀ ଯୋଜନାର ସଠିକ୍ ଉପଯୋଗ କରି ସେ ସ୍କୁଲରେ ଝିଅ ମାନଙ୍କ ପାଇଁ ସାନିଟାରୀ ପ୍ୟାଡ୍-ଡିସପେନସିଙ୍ଗ ମେସିନ୍ ଠାରୁ ଆରମ୍ଭ କରି ସ୍କୁଲରେ ପଢୁଥିବା ଆଡୋଲୋସେଣ୍ଟ ପୁଅ ମାନଙ୍କ ମଧ୍ୟରେ ମଧ୍ୟ ମାସିକ ଋତୁସ୍ରାବ ଓ ଏହା ସହ ଜଡିତ ଅନେକ ଭୁଲ୍ ଧାରଣା, ଅନ୍ଧବିଶ୍ୱାସ ଓ ସଙ୍କୋଚକୁ ଦୂର କରିବାରେ ସଫଳ ହୋଇଛନ୍ତି। ଯାହା ଫଳରେ ଆଜି ସେଇ ଅଞ୍ଚଳରେ ଝିଅ ମାନଙ୍କର ସ୍କୁଲ୍ ଆସିବା ଓ ଶିକ୍ଷା ଗ୍ରହଣ କରିବାର ସ°ଖ୍ୟା ଆଗ ଅପେକ୍ଷା ବହୁ ମାତ୍ରାରେ ବଢିଛି। ଆଉ ମଧ୍ୟ, ସେ ଯେ କେବଳ ବହି ଆଉ ସିଲାବସ୍ ପଢା ତଥା ପରୀକ୍ଷାରେ ନମ୍ବର ରଖିବା ଉପରେ ଜୋର୍ ଦିଅନ୍ତି ତା' ନୁହେଁ, ବର° ପିଲାମାନଙ୍କୁ ସେ ଶିଖାନ୍ତି ଯେ "ତମେ ଯଦି ମେହେନ୍ଦୀ ଭଲ ପକେଇ ପାରୁଛ କିମ୍ବା ଦର୍ଜୀ କାମ ଭଲ କରିପାରୁଛ କିମ୍ବା ରୋଷେଇ ଭଲ କରି ପାରୁଛ ତା' ହେଲେ ମଧ୍ୟ ସ୍ବାବଲମ୍ବୀ ହୋଇପାରିବ।" ନିଜ ବିଦ୍ୟା-ବୁଦ୍ଧି ଓ ଅବିରତ ଚେଷ୍ଟା ଦ୍ଵାରା ଶିକ୍ଷକ ନିଶି କୁମାରୀ ଆଜି ଖୁସୁରପୁର୍‌ର ଶ୍ରେଣୀ ଗୃହ ଗୁଡ଼ିକୁ କେବଳ ଅକ୍ଷର ଚିହ୍ନିବାର ସ୍ଥାନ ନୁହେଁ ବରଂ ଜୀବନକୁ ବୁଝିବା ଓ ଗଢ଼ି ତୋଳିବାର ସ୍ଥାନରେ ମଧ୍ୟ ପରିଣତ କରିପାରିଛନ୍ତି। ଆଉ ଠିକ୍ ଏୟା ହିଁ ହେଉଛି ଚଳିତ ୨୦୨୨ ବର୍ଷର "ବିଶ୍ବ ସ୍ବାକ୍ଷରତା ଦିବସର" ଥିମ୍, Transforming Literacy Learning Spaces ଅର୍ଥାତ୍ ଶ୍ରେଣୀଗୃହଗୁଡ଼ିକର ରୂପାନ୍ତରଣ। 
       ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖରେ  UNESCO ଦ୍ବାରା ବିଶ୍ବ ସ୍ବାକ୍ଷରିତା ଦିବସ ବା World Literacy Day ପାଳନ କରାଯାଏ। ୧୯୬୫ ମସିହାରେ ତେହରାନ୍ ଠାରେ UNESCO ଦ୍ବାରା ଆୟୋଜିତ, ବିଶ୍ବର ବିଭିନ୍ନ ଦେଶର ଶିକ୍ଷାମନ୍ତ୍ରୀ ମାନଙ୍କର ଏକ ବୈଠକରେ ପ୍ରଥମ ଥର ପାଇଁ ନିରକ୍ଷରତା ଦୂର କରିବା ପାଇଁ ଏମିତି ଏକ ଦିନର ପରିକଳ୍ପନା କରାଯାଇଥିଲା। ୨୬ ଅକ୍ଟୋବର, ୧୯୬୬ରେ ୮ ସେପ୍ଟେମ୍ବରକୁ ଏହି ଦିବସ ରୂପେ ପାଳନ କରାଯିବା ନେଇ ଧାର୍ଯ୍ୟ କରାଗଲା ଏବଂ ୧୯୬୭ ମସିହାରୁ ଆଜିଯାଏ ପ୍ରତିବର୍ଷ ଏହି ତାରିଖରେ ବିଶ୍ବ ସ୍ବାକ୍ଷରିତା ଦିବସ ପାଳନ କରାଯାଉଛି। କେବଳ ଜନସାଧାରଣଙ୍କୁ ଅକ୍ଷର ଚିହ୍ନିବା ବା ବହି ପଢ଼ି ପାରିବାରେ ସକ୍ଷମ କରିବା ପାଇଁ ନୁହେଁ, ଗୋଟିଏ ଚିନ୍ତାଶୀଳ ଏବଂ ପ୍ରଗତିଶୀଳ ସମାଜ ଗଢିବା ମଧ୍ୟ ଏହି ଦିବସ ପାଳନ ପଛର ଆଉ ଏକ ଉଦ୍ଦେଶ୍ୟ। ଗୋଟିଏ ସମାଜରେ କେବଳ ସ୍ବାକ୍ଷରତା ହାର ବୃଦ୍ଧି ନୁହେଁ ବର° ସେହି ସମାଜ ବା ଦେଶର ଲୋକଙ୍କୁ ସଚେତନ ଓ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ପାଇଁ ରୋଜଗାରର ନୂତନ ପନ୍ଥା ସୃଷ୍ଟି କରିବା ମଧ୍ୟ ଏହି ଦିବସ ପାଳନର ଆଉ ଏକ ଲକ୍ଷ୍ୟ। ମିଳିତ ଜାତିସଂଘ ଦ୍ଵାରା ୨୦୧୫ ମସିହାରେ ନିର୍ଦ୍ଧାରିତ କରାଯାଇଥିବା ତଥା ୨୦୩୦ ମସିହା ସୁଦ୍ଧା ହାସଲ କରିବାକୁ ଥିବା ଦୀର୍ଘମିଆଦୀ ଓ ଦୀର୍ଘସ୍ଥାୟୀ ବିକାଶର ଲକ୍ଷ୍ୟ ଗୁଡିକ ମଧ୍ୟରୁ ଏହି ନିରକ୍ଷରତା ଦୂରୀକରଣ ମଧ୍ୟ ଗୋଟିଏ। ସ୍ବାକ୍ଷର ହେବା ଦ୍ଵାରା ଜଣେ ମଣିଷ ଖାଲି ଯେ ଅକ୍ଷର ଚିହ୍ନିପାରେ ତା' ନୁହେଁ ବର° ଶିକ୍ଷା ତାକୁ ବିଭିନ୍ନ ବହି ପଢ଼ିବା, ଅନ୍ୟ ଦେଶର ସ°ସ୍କୃତି ବିଷୟରେ ଜାଣିବା, ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଘଟୁଥିବା ଅନେକ ନୂତନ ଆବିଷ୍କାର ଓ ଉଦ୍ଭାବନ ବିଷୟରେ ଅବଗତ ହେବା, ରୋଜଗାରର ନୂତନ ପନ୍ଥା ଖୋଜିପାରିବା ଏବଂ ବିଶ୍ବର ବିଭିନ୍ନ ସମସ୍ୟା ବିଷୟରେ ସଚେତନ କରାଇବା ସହ ତା'ର ସର୍ବାଙ୍ଗୀନ ଉନ୍ନତିରେ ସାହାଯ୍ୟ କରେ। 

UNESCO ଏବଂ ବିଭିନ୍ନ ଦେଶର ସରକାରଙ୍କର ପ୍ରଚେଷ୍ଟା ଦ୍ବାରା ଆଜି ଛୋଟପିଲା ବା ପୃଥିବୀର ୟଙ୍ଗ୍ ଜେନେରେସନ୍ ମଧ୍ୟରେ ସ୍ବାକ୍ଷରତାର ହାର ଢେର୍ ବଢିଛି (୧୫ ବର୍ଷ ଓ ତଦୁର୍ଦ୍ଧ ପିଲାଙ୍କ ମଧ୍ୟରେ ବର୍ତ୍ତମାନ ଏହା ହାରାହାରି ୮୬% ରହିଛି) । କିନ୍ତୁ ଏବେ ବି ପୃଥିବୀର ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସ୍ବାକ୍ଷରତା ହାରରେ ଖୁବ୍ ବେଶି ଉନ୍ନତି ପରିଲକ୍ଷିତ ହୋଇନାହିଁ। ଏବେବି ପୃଥିବୀର ୭୭୧ ମିଲିୟନ ମଣିଷ ନିରକ୍ଷର ହିଁ ଅଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା। ସେମାନେ ନିଜର ଦସ୍ତଖତ କରି ପାରନ୍ତି ନାହିଁ କିମ୍ବା ନିଜ ମାତୃଭାଷାର ଲିପିର ଅକ୍ଷର ସବୁକୁ ଚିହ୍ନି ମଧ୍ୟ ପାରନ୍ତି ନାହିଁ। ଶିକ୍ଷା କ୍ଷେତ୍ରରେ ଯଦିଓ ଢେର ଅଗ୍ରଗତି ଘଟିଛି କିନ୍ତୁ ଗତ ଦୁଇ-ତିନି ବର୍ଷ ଧରି ଲାଗିରହିଥିବା ବିଶ୍ବ ମହାମାରୀ ଏହାକୁ ଖୁବ୍ ମାତ୍ରାରେ ପ୍ରଭାବିତ ତଥା ଏହାର ଗତିପଥକୁ ଅବରୋଧ ମଧ୍ୟ କରିଛି। 

ଗୋଟିଏ ଆକଳନ ଅନୁସାରେ କୋଭିଡ୍-୧୯ ବା ବିଶ୍ବ ମହାମାରୀର ପ୍ରଭାବରେ ପୃଥିବୀର ପ୍ରାୟ ୨୪ ମିଲିୟନ ଛାତ୍ର ହୁଏତ ଆଉ କେବେ ବି ସ୍କୁଲକୁ ଫେରିବେ ନାହିଁ। ସେଥିରୁ ଝିଅ ପିଲାଙ୍କ ସ°ଖ୍ୟା ପ୍ରାୟତଃ ୧୧ ମିଲିୟନ। କିନ୍ତୁ ଏହି ବିଶ୍ବ ମାହାମାରୀ ହିଁ ଆମ ସାମ୍ନାରେ ଶିକ୍ଷା ଦେବାର, ଶିକ୍ଷା ଗ୍ରହଣ କରିବାର ଏବଂ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚେଇବାର ଏକ ନୂତନ ଡିଜିଟାଲ ବା ଇଣ୍ଟରନେଟର ବାଟ ସ୍ପଷ୍ଟ କରିଦେଇଛି। କୁହନ୍ତି, ଆବଶ୍ୟକତା ହିଁ ଆବିଷ୍କାରର ପ୍ରେରଣା। ସେମିତି ଯେତେବେଳେ କୋଭିଡ୍‌ର ନିୟନ୍ତ୍ରଣ ପାଇଁ ଲକ୍-ଡାଉନ୍ ହେଲା, ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଲା, ସେତେବେଳେ ମଣିଷ ଅନଲାଇନ କ୍ଲାସର ବା ଶିକ୍ଷାଗ୍ରହଣର ପଦ୍ଧତିକୁ ଆପଣାଇ ନେଲା। ଆଜି ଇଣ୍ଟରନେଟ୍ ମାଧ୍ୟମରେ ଶିକ୍ଷା ଓ ବିଚାରଧାରାକୁ ପୃଥିବୀର ଯେକୌଣସି କୋଣରେ ପହଞ୍ଚେଇବା ଖୁବ୍ ସହଜ ହୋଇଯାଇଛି।

ଅନେକ ହୁଏତ ଚଳିତ ବର୍ଷର ସ୍ବାକ୍ଷରତା ଦିବସର ଥିମ୍ ର ଅର୍ଥ ଭାବିଥିବେ, ଉନ୍ନତ ମାନରେ ନିର୍ମିତ ଶ୍ରେଣୀଗୃହ କିମ୍ବା ଶ୍ରେଣୀଗୃହ ଗୁଡିକର ଆଧୁନିକୀକରଣ। କିମ୍ବା ଶ୍ରେଣୀଗୃହ ଗୁଡିକୁ ଆଖିଦୃଶିଆ ଭାବେ ସୁନ୍ଦର ଓ ମନୋରମ କରି ସଜାଇବା କିମ୍ବା ସମସ୍ତ ପ୍ରକାର ବୈଷୟିକ ବ୍ୟବସ୍ଥା ଉପଲବ୍ଧ କରାଇବା। କିନ୍ତୁ UNESCO ଦ୍ବାରା ଉଚ୍ଚାରଣ କରାଯାଇଥିବା ଶବ୍ଦ "learning spaces"ର ଅର୍ଥ କୌଣସି ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ ଆଦୌ ନୁହେଁ। ମଣିଷ ଯେ କେବଳ କୌଣସି ଶ୍ରେଣୀ କୋଠରୀ ଭିତରେ ଶିକ୍ଷା ଗ୍ରହଣ କରେ କିମ୍ବା ଶିଖିବାର ମୌକା ପାଏ ତା' ନୁହେଁ ବର° ନିଜ ଘର,    କାର୍ଯ୍ୟକ୍ଷେତ୍ର ତଥା ସମାଜରୁ ମଧ୍ୟ ଶିକ୍ଷା ଗ୍ରହଣ କରିଥାଏ। ତେଣୁ ଯୁଗ ପରିବର୍ତ୍ତନ ସହ ଆମକୁ ମଧ୍ୟ ଆମର ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ଓ ଶିକ୍ଷାକୁ ନିଜ ନିଜ ଜରିଆରେ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବାକୁ ପଡିବ। ଖାଲି ଆମେ ନିଜେ ଖବରକାଗଜ, ବହି କିମ୍ବା ମ୍ୟାଗାଜିନ୍ ପଢ଼ି ପୃଥିବୀର ଓ ମଣିଷ ସମାଜର ସମସ୍ୟା ବିଷୟରେ ଜାଣିଗଲେ ହେବନି ଏସବୁକୁ ନେଇ ଆମ କର୍ମକ୍ଷେତ୍ର ଓ ବନ୍ଧୁମାନଙ୍କ ମଧ୍ୟରେ ସଚେତନତା ଆଣିଲେ ହିଁ ସମାଧାନର ପନ୍ଥା ବାହାରି ପାରିବ। ସେମିତି କେବଳ UNESCO କିମ୍ବା ଦେଶ କିମ୍ବା ରାଜ୍ୟର ସରକାର କିମ୍ବା କୌଣସି ଶିକ୍ଷାନୁଷ୍ଠାନ ହିଁ ସମାଜର ପ୍ରତ୍ୟେକ ସ୍ତରରେ ଶିକ୍ଷା କିମ୍ବା ପାଠ କିମ୍ବା ଅକ୍ଷର ଚିହ୍ନିବାର ମାଧ୍ୟମ ହୋଇପାରିବେ ତା' ନୁହେଁ, ସମାଜର ପ୍ରତ୍ୟେକ ନାଗରିକ ନିଜନିଜ ସ୍ତରରେ ତା' ଚାରିପାଖର ମଣିଷଙ୍କୁ ସ୍ବାକ୍ଷର କରିପାରିଲେ ହିଁ ପ୍ରକୃତ ଅର୍ଥରେ ଶିକ୍ଷାଗ୍ରହଣ କରିବାର ଲକ୍ଷ୍ୟ ପୂରଣ ହେବା ସହ ଶିକ୍ଷା ଗ୍ରହଣର ସ୍ଥାନ ବା ଶ୍ରେଣୀଗୃହ ଗୁଡ଼ିକର ରୂପାନ୍ତରଣ ହୋଇପାରିବ।
(ଭୁବନେଶ୍ୱର)

Leave a Reply

Your email address will not be published. Required fields are marked *