କୋରୋନାକୁ ପୁରିଲା ୩ ବର୍ଷ: ଚେତେଇ ଦେଲା ମଣିଷଙ୍କୁ

କୋରୋନାକୁ ପୁରିଲା ୩ ବର୍ଷ: ଚେତେଇ ଦେଲା ମଣିଷଙ୍କୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ୩ ବର୍ଷ ତଳେ ଚୀନରୁ ଉତ୍ପନ ହୋଇ ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିବ କୋରୋନା ଭାଇରସ ପୁଣି ଥରେ ସେଠାରେ ହଇଚଇ ସୃଷ୍ଟି କରୁଛି। ଦୁନିଆର ପ୍ରଥମ ମାମଲା ଚୀନର ସାଂଘାଇରୁ ୩ ବର୍ଷ ତଳେ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ସମୟରେ ଚୀନ୍ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ଏଠାରେ ମାମଲା ବଢିବା ପରେ ପୁଣି ଥରେ କେତେକ ସ୍ଥାନରେ ଲକଡାଉନ୍ ଲାଗୁ ହୋଇଛି ମଧ୍ୟ। ତେବେ ଏହି କରୋନା ବିଶ୍ବାସ ବାସୀଙ୍କୁ ଅନେକ ଶିକ୍ଷାଦେବା ସହ ଉଜାଡି ଦେଲା ବହୁତ୍ କିଛି। ୨୦୧୯ ମସିହା ଡିସେମ୍ବର ମାସରେ ଚୀନର ୱୁହାନ ସହରର ଲୋକଙ୍କ ନିକଟରେ ଏକ ଅଜବ ରୋଗ ଦେଖିବାକୁ ମିଳିଥିଲା। ଲୋକଙ୍କ ମଧ୍ୟରେ ଥଣ୍ଡା ସହିତ ନିମୋନିଆର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ରୋଗୀଙ୍କର ଯେତେବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା ସେତେବେଳେ ଏକ ନୂଆ ଭାଇରସର ଉପସ୍ଥିତି ସମ୍ପର୍କରେ ଜଣା ପଡ଼ିଥିଲା। ତେବେ ଏହାର ନାମକରଣ ସେତେବେଳେ କୋଭିଡ଼-୧୯ ଦିଆଯାଇଥିଲା।

ପରବର୍ତ୍ତୀ ସମୟରେ ଏହି ବେମାରୀ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ବ୍ୟାପିଥିଲା। ଯାହାକି ସମସ୍ତଙ୍କ ଚିନ୍ତା ଆହୁରି ବଢେଇ ଦେଇଥିଲା । ଏଭଳି ସ୍ଥିତିରୁ ଚୀନ ଏହା ଏକ ବିପଜ୍ଜନକ ରୋଗ ବୋଲି ନିଶ୍ଚିତ ହୋଇ ଯାଇଥିଲା। ଏହି ରୋଗକୁ ଲୁଚାଇବାକୁ ବହୁ ପ୍ରୟାସ ମଧ୍ୟ କରିଥିଲା ଚୀନ। କିନ୍ତୁ ଡିସେମ୍ବର ୩୧ ତାରିଖ ୨୦୧୯ ମସିହାରେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସୂଚନା ପ୍ରଦାନ କରିଥିଲା ଚୀନ। ଦେଖୁ ଦେଖୁ ଚୀନରୁ ସୃଷ୍ଚି ହୋଇଥିବା ଏହି ଭାଇରସ ବିଶ୍ୱର ଅଧିକାଂଶ ରାଷ୍ଟ୍ରକୁ ବ୍ୟାପିଯାଇଥିଲା। ଏକାଧିକ ରାଷ୍ଟ୍ର ଏହି ମାମଲାରେ ସାମ୍ନାକୁ ଆସିଥିଲେ। ଏହା ପରେ ଜାନୁଆରୀ ୩୦, ୨୦୨୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପବ୍ଲିକ ହେଲଥ ଏମରଜେନ୍ସି ଘୋଷଣା କରିଥିଲା। ଏହାରି ମଧ୍ୟରେ ଚୀନରେ କୋରୋନା ଦ୍ରୁତ ବେଗରେ ବଢିଯାଇଥିଲା। ଚୀନରେ ସ୍ଥିତି ଆହୁରି ସଂକଟାପନ୍ନ ହୋଇ ପଡ଼ିଥିଲା। ଏହା ପରେ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଏହି ରୋଗକୁ କୋରୋନା ମହାମାରୀ ଭାବରେ ଘୋଷଣା କରାଯାଇଥିଲା। ଚୀନରୁ ଆରମ୍ଭ ହୋଇଥିବା କୋରୋନା ସଂକ୍ରମଣ ଧିରେଧିରେ ପୁରା ବିଶ୍ୱକୁ ବ୍ୟାପିଯାଇଥିଲା। ଏହାରି ମଧ୍ୟରେ ୨୦୨୦ଜାନୁଆରୀ ୩୦ ତାରିଖ ଚୀନରୁ ଆସିଥିବା ଜଣେ ସଂକ୍ରମିତ ଛାତ୍ର କେରଳରେ ପହଞ୍ଚିଥିଲେ। ଯେକି ଭାରତର ପ୍ରଥମ କୋରୋନା ସଂକ୍ରମିତ ବ୍ୟକ୍ତି ହୋଇଥିଲେ। ତେବେ ଏହି ମାମଲା ବାହାରିବାର ଦୀର୍ଘ ଦିନ ପର୍ଯ୍ୟନ୍ତ ଦ୍ୱିତୀୟ ମାମଲା ସାମ୍ନାକୁ ଆସିନଥିଲା। ତେବେ ମାର୍ଚ ମାସରେ ଭାରତରେ କୋରୋନା ଦ୍ରୁତ ଗତିରେ ବଢିବାର ଲାଗିଥିଲା। ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିବା ଫଳରେ ଦେଶରେ ଚିନ୍ତା ବଢିଯାଇଥିଲା। ୧୨ ମାର୍ଚ୍ଚକୁ କର୍ଣ୍ଣାଟକରେ କୋରୋନାର ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ଏହାପରେ ଦେଶରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇ ପଡ଼ିଥିଲା।

ପ୍ରଥମ ଥର ଲାଗିଥିଲା ଲକଡାଉନଚୀନର ୱୁହାନ ସହରରେ କୋରୋନା ମାମଲା ବେଶ ଦୃତ ବେଗରେ ବଢିବାର ଲାଗିଥିଲା। ଏହାକୁ ରୋକିବା ପାଇଁ ଚୀନ ସରକାର ବିଫଳ ହୋଇଥିଲେ। ଏଭଳି ସ୍ଥିତିରେ ଲକଡାଉନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ୱୁହାନରେ ୨୩ ଜାନୁଆରୀ ୨୦୨୦ ମସିହାରେ ଲକଡାଉନ ଲଗାଇ ଦିଆଯାଇଥିଲା। ଏହା ପରେ ବିଶ୍ୱର ଅନେକ ସହରରେ ଏକାଧିକ ରାଷ୍ଟ୍ରରେ ଲକଡାଉନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ଲକଡାଉନ ଶେଷ ବିକଳ୍ପ ଭାବେ ଗ୍ରହଣ କରି ନିଯାଇଥିଲା। ଭାରତରେ ମାମଲା ବଢିବା ପରେ ମାର୍ଚ୍ଚ ୨୪, ୨୦୨୦ ମସିହାରେ ପୁରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଲଗାଇ ଦିଆଯାଇଥିଲା।

ଏବେ ସୁଦ୍ଧା ସମଗ୍ର ବିଶ୍ୱରେ ୬୬ କୋଟି ମାମଲା ସାମ୍ନାକୁ ଆସିଛି। ସେହିପରି ୧୧ ଜାନୁଆରୀ ୨୦୨୦ରେ ଚୀନର ୱୁହାନରେ ୬୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଯାହା ସମଗ୍ର ବିଶ୍ୱର ପ୍ରଥମ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ରହିଥିଲା। ଭାରତରେ ମାର୍ଚ୍ଚ ୧୨ ତାରିଖରେ ପ୍ରଥମ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୬୬ ଲକ୍ଷରୁ ଊର୍ଦ୍ଧ୍ୱ ମୃତ୍ୟୁ ହୋଇ ସାରିଲାଣି। ତେବେ ତଥ୍ୟ ଅନୁଯାୟୀ ସର୍ବାଧିକ ମୃତ୍ୟୁ ଆମେରିକାରେ ହୋଇଥିବା ନେଇ ଜଣାପଡ଼ିଛି। ଆମେରିକାରେ ପ୍ରାୟ ୧୧.୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଭାରତ ଦୁଇ ନମ୍ବରରେ ରହିଛି। ଭାରତରେ ବର୍ତ୍ତମାନ କୋରୋନାରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। କୋରୋନା ଭାଇରସ ବିଗତ ତିନି ବର୍ଷ ମଧ୍ୟରେ ଏକାଧିକ ବାର ତାର ରୂପ ବଦଳାଇ ସାରିଛି। ଏହାର ଏକାଧିକ ଭାରିଆଣ୍ଟ ସାମ୍ନାକୁ ଆସି ସାରିଛି। ବର୍ତ୍ତମାନ ଓମିକ୍ରନର ସବ୍ ଭାରିଆଣ୍ଟ ହେଉଛି BF-7 ଚୀନରେ ତାଣ୍ଡବ ରଚୁଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଘାତକ ଭାରିଆଣ୍ଟ ଡେଲଟା ରହି ଆସିଛି। ତେବେ ଏହି ଡେଲଟା ଭାରିଆଣ୍ଟ ଭାରତରେ ଦ୍ୱିତୀୟ ଲହର ସମୟରେ ତାଣ୍ଡବ ରଚିଥିଲା। ଏହି ଭାରିଆଣ୍ଟ କାରଣରୁ ଦେଶରେ ସର୍ବାଧିକ ମୃତ୍ୟୁ ହୋଇଥିଲା। ସେହିପରି ଓମିକ୍ରନର ନୂଆ ଭାରିଆଣ୍ଟ ମଧ୍ୟ ବେଶ ଘାତକ ବୋଲି କୁହାଯାଉଛି।

ତେବେ କୋରୋନାରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ଟିକା ପ୍ରସ୍ତୁତିରେ ଲାଗି ପଡ଼ିଥିଲା। ଏହାର ପ୍ରଥମ ଭ୍ୟାକସିନ ଋଷ ପ୍ରସ୍ତୁତ କରିଥିଲା। ଅଗଷ୍ଟ ୨୦୨୦ ମସିହାରେ ରୁଷ ବିଶ୍ୱର ପ୍ରଥମ କୋଭିଡ଼ ଭ୍ୟାକସିନ ସ୍ପୁଟନିକ ଭି ପ୍ରସ୍ତୁତ କରିଥିଲା। ଯଦିଓ ଭାରତ ଏହି ଟୀକାକରଣ ଉପରେ ମଧ୍ୟ ଜୋର ଦେଇଥିଲା। ଭାରତ ବାୟୋଟେକର କୋଭାକ୍ସିନ ଓ ସିରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡକୁ ବ୍ୟବହାର ପାଇଁ ଅନୁମତି ମିଳିସାରିଥିଲା। ତେବେ ଏହି ଦୁଇଟି ଟିକା କୋରୋନା ବିରୋଧି ଲଢେଇରେ ସଫଳ ହୋଇଥିଲା। ଏବେ ଭାରତରେ ଦୁଇଟି ଡୋଜ ଟୀକାକରଣ ସମ୍ପୂର୍ଣ୍ଣ ହୋଇସାରିବା ପରେ ବୁଷ୍ଟର ଡୋଜ୍ ଦିଆ ଚାଲିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: