ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ପ୍ରିଜମ ନ୍ୟୁଜ ବ୍ୟୁରୋ:ଓଡ଼ିଆ ଭାଷାରେ ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା। ସେ ତାଙ୍କର କବିତା ସଂକଳନ ‘ଦୟାନଦୀ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୁରସ୍କାର ସ୍ବରୂପ ତାଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି ସହ ତାମ୍ରଫଳକ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ‘ଦୟାନଦୀ’ କବିତା ସଂଳଳନ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ।

ଏଥିରେ ମୋଟ୍‌ ୬୪ଟି କବିତା ରହିଛି। ଏଥିରେ ଥିବା କବିତା ସବୁ ଇତିହାସର ନଦୀରେ ନୌଯାତ୍ରା କରୁଥିବା ଏକ କାବି୍ୟକ ଭାବନା। ଦୀର୍ଘ ୩୦ ବର୍ଷ ହେଲା ସେ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଆଦି ଲେଖିଆସୁଛନ୍ତି। ତାଙ୍କର ୨୫ଟି ପୁସ୍ତକ ପ୍ରକାଶ ପାଇସାରିଛି।ସେଥିମଧ୍ୟରୁ ଓଡ଼ିଆ ଭାଷାରେ ବାରଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି ।ଏତଦ୍ବ୍ୟତୀତ ହିନ୍ଦୀ ଭାଷାରେ ପାଞ୍ଚଟି କବିତା ସଂକଳନ ଓ ଇଂରାଜୀ ଭାଷାରେ ଦୁଇଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ପ୍ରକାଶ ପାଇଛି । ସେ ପ୍ରାୟ ଅତି ଛୋଟ ଦିନରୁ କବିତା ଲେଖିବା ଆରମ୍ଭ କରିଥିଲେ। ଗାୟତ୍ରୀବାଳାଙ୍କ ଜେଜେବାପା ଜଣେ ଔପନ୍ୟାସିକ ଥିଲେ ଓ ତାଙ୍କଠାରୁ ସେ ଅନୁପ୍ରାଣିତ ହୋଇଥିଲେ ବୋଲି କୁହନ୍ତି। ପିଲାବେଳରୁ ସେ, ନିଜ ଦୁଃଖ ଓ ଅସହୟତା ଯାହାକୁ ଅନ୍ୟଭାବରେ କହି ପାରୁ ନଥିଲେ ତାହା କବିତା ମାଧ୍ୟମରେ ପ୍ରକାଶ କରୁଥିଲେ। ବାର ବର୍ଷ ହେବା ବେଳକୁ, ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା। ୨୦୦୦ ମସିହାରେ, ରାଜ୍ୟ ଯୁବ ପୁରସ୍କାର ତାଙ୍କୁ ଲୋକଲୋଚନକୁ ଆଣିଥିଲା।

ଏହା ପୂର୍ବରୁ ଗାୟତ୍ରୀବାଳା ୨୦୧୧ରେ କବିତା ସଂକଳନ “ଗାଁ” ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ ।ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତି୍ୟକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବ କବି ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, “ରାଇଟର୍ସ-ଇନ୍-ରେସିଡେନ୍ସ” ଆଟ୍ ରାଷ୍ଟ୍ରପତି ଭବନ-୨୦୧୫, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ପାଇଁ ପୁରସ୍କୃତ ହେବାସହିତ ସତ୍ୟବାଦୀ ସାହିତ୍ୟ ସମ୍ମାନ, ରାଜକନ୍ୟା ରତ୍ନମାଳୀ ଜେମା ସାରସ୍ୱତ ସମ୍ମାନ, ଆର୍ଯ୍ୟା ସମ୍ମାନ, କଳିଙ୍ଗ ବୀରାଙ୍ଗନା ସମ୍ମାନ, ଭଞ୍ଜ ଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ, ଟାଇମ୍ସ ପାୱାର ୱିମେନ୍ ସମ୍ମାନ ଓ ଅକ୍ଷୟ ସାହିତ୍ୟ ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: