ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ ତିଆରି କରନ୍ତୁ ପୋଦିନା ଟମାଟୋ ଖେଚୁଡି

ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ ତିଆରି କରନ୍ତୁ ପୋଦିନା ଟମାଟୋ ଖେଚୁଡି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶ୍ରାବଣ ମାସରେ ଅନେକ ଲୋକ ଆମିଷ କି ପିଆଜ ରସୁଣ ଖାଆନ୍ତି ନାହିଁ। ଏମିତିରେ ଅଲଗା ପ୍ରକାର ରୋଷେଇ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏକ ସ୍ଵାଦିଷ୍ଟ ଏବଂ ସମ୍ପୂର୍ଣ୍ଣ ନୂଆ ଷ୍ଟାଇଲର ଖେଚୁଡି ବିଷୟରେ କହିବୁ। ଯାହାକି ପୋଦିନା ଟମାଟୋ ଖେଚୁଡି ଭାବେ ପରିଚିତ। ଏହା ଉପବାସରେ ଖାଇବା ସହ ଆପଣ ଠାକୁରଙ୍କ ପାଖରେ ଭୋଗ ଲଗେଇ ପାରିବେ। ତେବେ ଚାଲନ୍ତୁ ଜାଣିବା ପୋଦିନା ଟମାଟୋ ଖେଚୁଡି କିପରି ତିଆରି କରିବେ।

ଆବଶ୍ୟକ ସାମଗ୍ରୀ-ଗୋଟା ଅରୁଆ ଚାଉଳ ୧ କପ୍, ତେଲ ବା ଘିଅ, ଜିରା ୧ ଚାମଚ, ହିଙ୍ଗୁ ଅଳ୍ପ, ମୁଗ ଡାଲି ଅଧ କପ୍, ବିନ୍ସ, ଗାଜର, ଗ୍ରୀନ ମଟର, ବିଟ, ଟମାଟୋ ଛୋଟ ଛୋଟ କଟା, ହଳଦୀ ଗୁଣ୍ଡ, ଲୁଣ, ପୁଦିନା ପତ୍ର, ଧନିଆ ପତ୍ର । ଅଦା ଛେଚା ଅଳ୍ପ। କାଜୁ, ବାଦାମ, କିସମିସ।

ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଚାଉଳ ଡାଲିକୁ ଭଲ ଭାବେ ଧୋଇ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଗ୍ୟାସରେ ପ୍ରେସରକୁକର୍ ବସେଇ ଘିଅ କିମ୍ବା ତେଲ ପକାନ୍ତୁ । ଘିଅ ଗରମ ହେବାପରେ ସେଥିରେ ଗୋଟା ଜିରା,ହିଙ୍ଗୁ ପକାଇ ଫୁଟାନ୍ତୁ ।ଏବେ ସେଥିରେ ଟମାଟୋ ପକାଇ ଭଲଭାବେ ଭାଜି ଦିଅନ୍ତୁ। ଯଦି ଆପଣଙ୍କୁ ହିଙ୍ଗୁ ପସନ୍ଦ ନୁହେଁ ତେବେ ପକାନ୍ତୁ ନାହିଁ। ହିଙ୍ଗୁ ଅଳ୍ପ ପକେଇବେ ନଚେତ୍ ପେଟ ଖରାପ ହୋଇପାରେ। ଏହାପରେ ସେଥିରେ ଭିଜାଇ ରଖିଥିବା ଚାଉଳ ଓ ଡାଲିକୁ ପକାଇ ଗୋଳାଇଦିଅନ୍ତୁ । ଏହାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ବିନ୍ସ, ଗାଜର, ବିଟ,ଗ୍ରୀନ ମଟର, ହଳଦୀ ଗୁଣ୍ଡ, ଲୁଣ ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି କୁକର୍ ବନ୍ଦ କରି ସିଝିବାକୁ ଛାଡିଦିଅନ୍ତୁ । ୨ ବା ୩ ଟି ସିଟି ଆସିବା ପରେ ଗ୍ୟାସ୍ ବନ୍ଦ କରି କୁକର ର ଗ୍ୟାସ୍ ଯିବା ଯାଏଁ ରଖି ଦିଅନ୍ତୁ । ଏହାପରେ କୁକର୍ ଖୋଲନ୍ତୁ। ଏବେ ଗ୍ୟାସରେ କଡେଇ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ କୁକରରୁ ଖେଚୁଡିକୁ କାଢି, ସେଥିରେ ପକାଇ ଗୋଳାନ୍ତୁ କରିବେ । ଏହାପରେ ପୁଦିନା ପତ୍ର, ଧନିଆ ପତ୍ରକୁ ଗ୍ରାଇଣ୍ଡିଂ କରି ଖେଚୁଡିରେ ପକାଇ ଗୋଳାଇଦିନ୍ତୁ । ଯଦି ଆପଣ ଚାହାନ୍ତି ସେଥିରେ ନଡ଼ିଆ କୋରା ଓ ଛେଚା ମଧ୍ୟ ପକାଇ ପାରିବେ। ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପୁଦିନା ଟମାଟୋ ଖେଚୁଡି ।କାଜୁ, ବାଦାମ, କିସମିସ ପକାଇ ସଜାଇ ଏହାକୁ ଦହି, ପାମ୍ପଡ କିମ୍ବା ଆଚାର ସହ ଖାଇ ପାରିବେ। ଶ୍ରାବଣ ମାସ ବ୍ରତ ଧାରୀଙ୍କ ପାଇଁ ଏହା ଉତ୍କୁଷ୍ଠ ଖାଦ୍ୟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: