ଶୀତଦିନେ ପ୍ରଚୁର ଖାଆନ୍ତୁ ସବୁଜ ବରା

ଶୀତଦିନେ ପ୍ରଚୁର ଖାଆନ୍ତୁ ସବୁଜ ବରା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣ ନିହାତି ବିରି ବା ଚାଉଳ ବରା ଖାଇଥିବେ। କେହି କେହି ବେସନ ବରା, କଖାରୁ ଫୁଲ ବା ପିଆଜ ପତ୍ର ବରା ଖାଇଥିବେ। କିନ୍ତୁ କେବେ ପାଳଙ୍ଗ ଶାଗରେ ପ୍ରସ୍ତୁ ବରା ଖାଇଛନ୍ତି କି? ଏହା ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ। ତେବେ ଚାଲନ୍ତୁ ଜାଣିବା, ଘରେ କିପରି ପ୍ରସ୍ତୁତ କରିବେ ସ୍ବାଦିଷ୍ଟ ‘ପାଳଙ୍ଗ ବରା।’ ତେବେ ପାଳଙ୍ଗ ବରାକୁ ଅନେକ ଶାଗୁଆ ବରା ମଧ୍ୟ କୁହନ୍ତି।

ଆବଶ୍ୟକ ସାମଗ୍ରୀ: ପାଳଙ୍ଗ ଶାଗ, ବେସନ, ଆଳୁ, ଅଦା, ରସୁଣ, କଞ୍ଚା ଲଙ୍କା, ପିଆଜ, ଜିରା, ହଳଦୀ, ବେକିଂ ସୋଡ଼ା, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, ଲେମ୍ବୁ ରସ, ତେଲ ଓ ଲୁଣ।

ପ୍ରସ୍ତୁତ ପ୍ରଣାଳୀ:ପ୍ରଥମେ ପାଳଙ୍ଗ ଶାଗକୁ ବାଛି ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଅଦା ଓ ରସୁଣକୁ ଛେଛି ରଖନ୍ତୁ। ଆଳୁକୁ ମଧ୍ୟ ସିଝାଇ ରଖନ୍ତୁ, ଏକ ବଡ଼ ପାତ୍ରରେ କଟା ପାଳଙ୍ଗ ଶାଗ ସହ ଆବଶ୍ୟକ ପରିମାଣର ବେସନ, ଅଦା-ରସୁଣ ଛେଚା, କଟା କଞ୍ଚା ଲଙ୍କା, ଲମ୍ବା କଟା ପିଆଜ, ଗୋଟା ଜିରା, ଗୁଣ୍ଡ ଜିରା, ହଳଦୀ ଗୁଣ୍ଡ, ବେକିଂ ସୋଡ଼ା, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, ଲେମ୍ବୁ ରସ, ସିଝା ଆଳୁ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏହାକୁ ବରା ଆକୃତି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଗୋଟି ଗୋଟିଏ ବରା ପକାଇ ଛାଣନ୍ତୁ। ଗୋଲ୍ଡେନ୍‌ ବ୍ରାଉନ୍‌ ରଙ୍ଗ ହୋଇଗଲେ, ଏଗୁଡ଼ିକୁ ଏକ ପ୍ଲେଟରେ କାଢ଼ି ଦିଅନ୍ତୁ। ଆପଣ ଯଦି ତେଲରେ ଛଣିବାକୁ ଚାହୁଁନାହାନ୍ତି, ତେବେ ଏହାକୁ ଷ୍ଟିମ୍‌ କରି ବା ଅଳ୍ପ ତେଲରେ ତାୱା ସେକା କରି ଖାଇ ପାରିବେ। ଷ୍ଟିମ୍‌ ଦେବା ପାଇଁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ବରା ଗୁଡ଼ିକୁ ଷ୍ଟିମର୍‌ରେ ରଖନ୍ତୁ। ୧୦ ରୁ ୧୫ ମିନିଟ୍‌ ପରେ ସିଝିଗଲେ ଏଗୁଡ଼ିକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ସେହିପରି ତାୱାରେ ତେଲ ଦେଇ ଅଳ୍ପ ଅଳ୍ପ ଆଞ୍ଚରେ ବରା ସେକାନ୍ତୁ। ‘ପାଳଙ୍ଗ ବରା’କୁ ସସ୍‌ କିମ୍ବା ଚଟଣୀ ସହ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: