ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମିତ ଜନିତ ମୃତ୍ୟୁ ସଂଖ୍ୟା । ଆଜି କରୋନା ନେଇଛି ଆଉ ୩ ମୁଣ୍ଡ। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ୩ ମୃତକଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର। ତିନି ଜଣ ଯାକ ପୁରୁଷ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଯାହାର ମୃତ୍ୟୁ ଘଟିଛି, ତାଙ୍କୁ ୭୨ ବର୍ଷ ହୋଇଥିଲା।

ସେହିପରି ଗଞ୍ଜାମ ଜିଲ୍ଲାର ଦୁଇ ମୃତକଙ୍କ ବୟସ ଯଥାକ୍ରମେ ୬୫ ଓ ୮୬ ବର୍ଷ। ୬୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍‌ରେ ପୀଡ଼ିତ ଥିଲେ। ଅନ୍ୟ ବୃଦ୍ଧ ଜଣଙ୍କର ଉଚ୍ଚ ରକ୍ତଚାପ ଥିଲା। ଗଞ୍ଜାମ ଜିଲ୍ଲାରେ ଆଉ ୨ ଜଣଙ୍କ ମୃତ୍ୟୁ ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚି ଯାଇଛି। ସେହିଭଳି ଖୋର୍ଦ୍ଧାରେ ଏହି ସଂଖ୍ୟା ୧୩ରେ ପହଞ୍ଚିଛି।

ଅନ୍ୟ କରୋନା ମୃତକଙ୍କ ମଧ୍ୟରୁ କଟକରୁ ୮ ଜଣ ଥିବା ବେଳେ ପୁରୀରୁ ୨ ଜଣ ଅଛନ୍ତି। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୯୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯,୮୬୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪,୯୩୩ ଜଣ ଚିକିତ୍ସାଧୀନ ଅଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: