ଏମିତି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଡ଼ାଲମା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଭାତ ସଙ୍ଗେ ଡାଲମା ଓଡ଼ିଆଙ୍କର ସାଧାରଣ ଓ ରାଜକୀୟ ଖାଦ୍ୟ କହିଲେ ଭୁଲ ହେବନି। ପ୍ରସାଦରୁ ଆରମ୍ଭ କରି ବଡ ବଡ ଭୋଜିରେ ଡାଲମା ପରଷା ଯାଇଥାଏ। ସେହିପରି ଓଡ଼ିଶାରେ ବିଭିନ୍ନ ପ୍ରକାରର ଡାଲମା ହୋଇଥାଏ। ବାଡ଼ିଆ ଡାଲମା, ମୁଗ ଡାଲମା, ଅଭଡ଼ା ଡାଲମା, ଇତ୍ୟାଦି। ତେବେ ଆଜି ଆମେ ଆପଣଙ୍କୁ ଏକ ନୂଆ ଷ୍ଟାଇଲର ଡାଲମା ତିଆରି ବିଷୟରେ ଶିଖେଇବୁ। ଏହି ଡାଲମା ଆମିଷ ପ୍ରିୟ ଲୋକଙ୍କୁ ନିହାତି ପସନ୍ଦ ଆସିବ। କାରଣ ଆମେ ଆଜି ଚିଙ୍ଗୁଡ଼ି ଡାଲମା ପ୍ରସ୍ତୁତି ବିଷୟରେ କହିବାକୁ ଯାଉଛୁ। ତେବେ ଚାଲନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡ଼ି ଡାଲମା…

ଆବଶ୍ୟକୀୟ ସାମଗ୍ରୀ -ମୁଗ କିମ୍ବା ହରଡ ଡାଲି ୧୦୦ ଗ୍ରାମ,ଛୋଟ ଚିଙ୍ଗୁଡ଼ି ୨୫୦ ଗ୍ରାମ, କଖାରୁ, କଞ୍ଚା କଦଳୀ, ଆଳୁ, ଫୁଲ କୋବି, ଟମାଟୋ, ପିଆଜ଼, ରସୁଣ,ଅଦା, ପଞ୍ଚ ଫୁଟଣ,ତେଜପତ୍ର ,ଶୁଖିଲା ଲଙ୍କା, ଅଳେଇଚ, ଡାଲଚିନ, ଗୋଟା ଜିରା, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ,ତେଲ,ଧନିଆ ପତ୍ର, ସ୍ବାଦ ଅନୁସାରେ ଲୁଣ, ତେଲ କିମ୍ବା ଘିଅ।

ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଡାଲମା ପାଇଁ ଆବଶ୍ୟକ ପରିବା ଅଳ୍ପ ବଡ ବଡ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଚିଙ୍ଗୁଡ଼ି ଚୋପା ଛଡ଼ାଇ ଭଲ ଭାବେ ଧୋଇ ଭାଜି ରଖନ୍ତୁ। ଏବେ ପ୍ରେସର କୁକରରେ ଆବଶ୍ୟକ ଅନୁସାରେ ପାଣି ଦେଇ ସେଥିରେ ଡାଲି, କଟା ପରିବା ଦେଇ ଲୁଣ ଓ ହଳଦୀ ପକାଇ ଗ୍ୟାସ୍ ରେ ବସାନ୍ତୁ। ୩/୪ ତି ସିଟି ଦେବା ପରେ ଗ୍ୟାସ୍ ବନ୍ଦ କରି କିଛି ସମୟ ରଖି ଦିଅନ୍ତୁ। ଏବେ ପିଆଜ, ଅଦା, ରସୁଣ, ଶୁଖିଲା ଲଙ୍କା, ଡାଲଚିନି ଆଉ ଅଳେଇଚକୁ ବାଟି ମସଲା ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସ୍ ଅନ୍ କରି କଡ଼େଇ ଚୁଲିରେ ବସାନ୍ତୁ। ସେଥିରେ ଅଳ୍ପ ତେଲ ଗରମ କରି ତେଜ ପତ୍ର ଓ ପଞ୍ଚ ଫୁଟଣ ପକାନ୍ତୁ। ଏହା ପରେ ସେଥିରେ ବଟାହୋଇ ରହିଥିବା ମସଲା ପକାଇ କଷନ୍ତୁ। ଅଳ୍ପ ସମୟ ପରେ ଏଥିରେ ଛୋଟ ଛୋଟ କରି କଟାଯାଇଥିବା ଟମାଟୋ ଖଣ୍ଡଗୁଡ଼ିକୁ ପକାନ୍ତୁ। ମସଲା ଭଲଭାବେ କାଶୀ ସାରିବା ପରେ ସେଥିରେ ଭଜା ଚିଙ୍ଗୁଡ଼ିକୁ ପକାଇ ଦୁଇରୁ ତିନି ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ପରେ କୁକରରେ ଥିବା ସିଝା ଡାଲିକୁ କାଢି ସେଥିରେ ପକାଇ ଫୁଟାନ୍ତୁ। ଶେଷରେ ଧନିଆ ପତ୍ର ଓ ଜିରା-ଲଙ୍କା ଗୁଣ୍ଡ ପକେଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଡାଲମା। ଆପଣ ଏହାକୁ ଭାତ, ରୁଟି କିମ୍ବା ଚପାତି ସହ ଖାଇ ପାରିବେ।

Leave a Reply

Your email address will not be published. Required fields are marked *