ମରି ବି ଅମର ନାରାୟଣ, ଜଣେ କରୋନା ସଂକ୍ରମିତଙ୍କ ପାଇଁ ତ୍ୟାଗ କରିଥିଲେ ନିଜ ବେଡ୍

ମରି ବି ଅମର ନାରାୟଣ, ଜଣେ କରୋନା ସଂକ୍ରମିତଙ୍କ ପାଇଁ ତ୍ୟାଗ କରିଥିଲେ ନିଜ ବେଡ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା କାଳରେ ହସ୍ପିଟାଲରେ ବେଡ୍ ଏବଂ ଅକ୍ସିଜେନ୍ ଅଭାବ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି । ବଞ୍ଚିବାକୁ ଚାଲିଛି ଅହରହ ସଂଘର୍ଷ । ଏହାରି ଭିତରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପରିଣତ ବୟସରେ ମଣିଷପଣିଆର ଶିକ୍ଷା ଦେଇଛନ୍ତି ଜଣେ ବୃଦ୍ଧ। ନିଜ ଜୀବନ ଦେଇ ସେ ଆଉ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ସ୍ବାର୍ଥପର ଦୁନିଆରେ ରକ୍ତର ସମ୍ପର୍କ ଫିକା ପିଡିଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ସାରା ଦୁନିଆ ପାଇଁ ପାଲଟିଛନ୍ତି ସେ ଉଦାହରଣ ।

ସେଇ ମହାନ୍ ବ୍ୟକ୍ତି ଜଣକ ହେଲେ ନାଗପୁରର ୮୫ ବର୍ଷ ବୟସ୍କ ନାରାୟଣ ରାଓ ଦାଭାଡ଼କର । କରୋନା ସଂକ୍ରମିତ ହୋଇଥିଲେ । ବହୁତ କଷ୍ଟରେ ହସ୍ପିଟାଲରେ ତାଙ୍କୁ ବେଡ୍ ଖଣ୍ଡିଏ ମିଳିଥିଲା । ହେଲେ ଆଉ ଜଣଙ୍କ ଜୀବନ ବଞ୍ଚାଇବାକୁ ନିଜ ବେଡ୍ ତ୍ୟାଗ କରି ମୃତ୍ୟୁକୁ ବାଞ୍ଚି ନେଇଥିଲେ ।

ନାରାୟଣ ଚିକିତ୍ସିତ ହେଉଥିବା ଓ୍ବାର୍ଡରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ବେଡ୍ ଖୋଜୁଥିଲେ। ତାର ଦୁଃଖ ଦେଖି ସେ ସହିପାରିଲେ ନାହିଁ । ନିଜ ବେଡ୍ ଦେବାକୁ ନିଷ୍ପତ୍ତି ନେଇଥିଲେ । ସେ ନିଜ ବେଡ୍ ଦେଇ କହିଥିଲେ, ‘ମୁଁ ୮୫ ବର୍ଷର ହୋଇସାରିଛି, ଜୀବନ ଦେଖିଛି, କିନ୍ତୁ ଯଦି ସେହି ସ୍ତ୍ରୀର ସ୍ୱାମୀ ମରିଯାଏ, ତେବେ ତାର ପିଲାମାନେ ଅନାଥ ହୋଇଯିବେ, ତେଣୁ ସେହି ବ୍ୟକ୍ତିର ଜୀବନ ରକ୍ଷା କରିବା ମୋର କର୍ତ୍ତବ୍ୟ |’

ଡାକ୍ତରଖାନାରୁ ଫେରିବାର ତିନି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। କିଛି ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କର ଅମ୍ଳଜାନ ସ୍ତର ୬୦ ଯାଏଁ ପହଞ୍ଚିଥିଲା | ଝିଅ ଓ ଜ୍ବାଇଁ ତାଙ୍କୁ ଇନ୍ଦିରା ଗାନ୍ଧୀ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ବହୁ ସଂଘର୍ଷ ପରେ ସେ ଏକ ବେଡ୍ ପାଇଥିଲେ | ଠିକ୍ ସେତିକି ବେଳେ ଜଣେ ମହିଳା, ତାଙ୍କ ୪୦ ବର୍ଷର ସ୍ୱାମୀକୁ ବଞ୍ଚାଇବା ପାଇଁ ଏକ ବେଡ୍ ଖୋଜୁଥିଲେ। ବେଡ୍ ନ ଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆଡମିଟ୍ କରିବାକୁ ମନା କରିଦେଇଥିଲେ । କାନ୍ଦୁଥିବା ମହିଳାଙ୍କୁ ଦେଖି ନାରାୟଣଙ୍କ ହୃଦୟ ତରଳି ଯାଇଥିଲା ଏବଂ ସେ ନିଜ ବେଡ୍ ତାଙ୍କୁ ପ୍ରଦାନ କରିଥିଲେ ।

ଡାକ୍ତରଖାନା ପ୍ରଶାସନ ଏନେଇ ନାରାୟଣଙ୍କ ଠାରୁ ଲେଖିତ ଲେଖା ରଖିଥିଲା । ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ ସ୍ୱେଚ୍ଛାକୃତ ଭାବେ ଅନ୍ୟ ଜଣେ ରୋଗୀଙ୍କ ପାଇଁ ମୋର ବେଡ୍ ଖାଲି କରୁଛି |’ ଏହା ପରେ ସେ ଘରକୁ ଫେରି ଥିଲେ ଏବଂ ତିନି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବୃଦ୍ଧ ଏହି କାର୍ଯ୍ୟ ଦୁନିଆବାସୀ ଭୂୟସୀ ପ୍ରଶଂସା କରୁଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନାରାୟଣଙ୍କ ପ୍ରଶଂସା କରିଛନ୍ତି ।  ଟ୍ୱିଟରରେ ନାରାୟଣଙ୍କ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, “ମୁଁ ୮୫ ବର୍ଷ ବୟସର, ଜୀବନ ଦେଖିଛି, କିନ୍ତୁ ଯଦି ସେହି ସ୍ତ୍ରୀର ସ୍ୱାମୀ ମରିଯାଏ ତେବେ ପିଲାମାନେ ଅନାଥ ହୋଇଯିବେ । ଏଥିପାଇଁ ସେହି ବ୍ୟକ୍ତିର ଜୀବନ ବଞ୍ଚାଇବା ମୋର କର୍ତ୍ତବ୍ୟ |” ଏପରି କହି ଆରଏସଏସ ସ୍ବୟଂସେବାକ ଶ୍ରୀ ନାରାୟଣ ଜୀ ସେହି ରୋଗୀଙ୍କୁ ବେଡ୍ ପ୍ରଦାନ କରିଥିଲେ।

ଦ୍ୱିତୀୟ ଟ୍ୱିଟ୍‌ରେ ସେ ଲେଖିଛନ୍ତି, ‘ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାକୁ ଯାଇ ଶ୍ରୀ ନାରାୟଣ ଜୀ ତିନି ଦିନ ମଧ୍ୟରେ ଏହି ଜଗତରୁ ବିଦାୟ ନେଇଛନ୍ତି । ସମାଜ ଏବଂ ରାଷ୍ଟ୍ରର ପ୍ରକୃତ ସେବକ ହିଁ ଏପରି ବଳିଦାନ ଦେଇପାରିବ, ଆପଣଙ୍କ ପବିତ୍ର ନିସ୍ବାର୍ଥପର ସେବାକୁ ପ୍ରଣାମ । ଆପଣ ସମାଜ ପାଇଁ ଏକ ପ୍ରେରଣା | ଦିବ୍ୟ ଆତ୍ମାକୁ ବିନମ୍ର ଶ୍ରଦ୍ଧାଞ୍ଜଳି | ଓଁମ୍ ଶାନ୍ତି। ‘

0 Comments

Leave Your Comment

Your email address will not be published. Required fields are marked *

%d bloggers like this: