ଥରେ ଘରେ ତିଆରି କରି ଚାଖନ୍ତୁ ସ୍ୱାଦିଷ୍ଟ ‘ମୁଗଡାଲି ଖଡା ରାଇ’

ଥରେ ଘରେ ତିଆରି କରି ଚାଖନ୍ତୁ ସ୍ୱାଦିଷ୍ଟ ‘ମୁଗଡାଲି ଖଡା ରାଇ’

ପ୍ରିଜମ ନ୍ୟୁଜ ବ୍ୟୁରୋ:ବର୍ତ୍ତମାନ ଖରାଦିନ। ଏହି ଋତୁରେ ପ୍ରଚୁର ପରିମାଣରେ ଖଡା ଶାଗ ଓ ଖଡା ମିଳିଥାଏ। ଖଡା ଶାଗ ଭଜା ଯେତିକି ସ୍ଵାଦିଷ୍ଟ ହୋଇଥାଏ ତାଠୁ ଅଧିକ ତାହାର ଡାଙ୍ଗ ରାଇ କରି, ସନ୍ତୁଳା କରି ଖାଇବା ଆହୁରି ଅଧିକ ସ୍ଵାଦିଷ୍ଟ ହୋଇଥାଏ। ଏହାସହ ଖଡା ଖାଇବା ଦେହ ପାଇଁ ହିତକର ମଧ୍ୟ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଖଡାରେ ପ୍ରସ୍ତୁତ ଅତ୍ୟନ୍ତ ସ୍ଵାଦିଷ୍ଟ ଓ ନୂଆ ରେସିପ୍ ବିଷୟରେ କହିବୁ। ଯାହାକୁ ଖାଇବା ସ୍ଵାଦିଷ୍ଟ ସହ ପ୍ରସ୍ତୁତ କରିବା ମଧ୍ୟ ସହଜ ହୋଇଥାଏ। ଏହି ଆଇଟମ ଟି ହେଉଛି ମୁଗଡାଲି ଖଡା ରାଇ।

ଆବଶ୍ୟକ ସାମଗ୍ରୀ:୧୦୦ ଗ୍ରାମ ମୁଗଡାଲି, ଖଡା ଡାଙ୍ଗ ଛୋଟ ଛୋଟ ଖଣ୍ଡରେ କଟା, ଦୁଇଟି ଆଳୁ, ବାଇଗଣ ୨ ଟି, ସାରୁ ୩/୪ ପୁଆ, କଖାରୁ, ଟମାଟୋ, ଦେଶୀ ଆଳୁ, କଦଳୀ, ଜିରା,ସୋରିଷ,ପିଆଜ ଗୋଟେ,ରସୁଣ ୮/୧୦ କୋଲା, ଶୁଖିଲା ଲଙ୍କା ୪ଟି, ହଳଦୀ ଗୁଣ୍ଡ, ତେଲ ଓ ଲୁଣ ଆବଶ୍ୟକ ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ:ସମସ୍ତ ପରିବା ଓ ଖଡାକୁ ଖଣ୍ଡ ଖଣ୍ଡ କରି କାଟି ଧୋଇ ରଖନ୍ତୁ। ଜିରା, ସୋରିଷ, ରସୁଣ, ଲଙ୍କା ଦେଇ ବେସର ବାଟି ରଖନ୍ତୁ। ଏହା ପରେ ଗ୍ୟାସରେ ଗୋଟିଏ କଡ଼େଇ ବା ଡେକେଚି ବସେଇ ସେଥିରେ ପରିବାର ଦେଢ଼ଗୁଣ ପାଣି ଦିଅନ୍ତୁ। ଏବେ ସେଥିରେ ଭଜା ମୁଗ ଡାଲି ଧୋଇ ପକାନ୍ତୁ। ଡାଲି ପକେଇବା ପାରେ ସେଥିରେ ଲୁଣ ହଳଦୀ ପକେଇ ଘୋଡେ଼ଇ ଦିଅନ୍ତୁ। ଡାଲି ଅଧା ସିଝି ଆସିବା ବେଳକୁ କାଟି ରଖିଥିବା ସମସ୍ତ ପରିବା ଓ ଖଡା ସେଥିରେ ପକେଇ ଦିଅନ୍ତୁ।

ପରିବା ଭଲ ଭାବେ ସିଝିବା ପରେ ଗ୍ୟାସରୁ ତାକୁ ବାହାର କରି ଆଉ ଗୋଟିଏ କଡ଼େଇ ବସାନ୍ତୁ, କଡ଼େଇ ଗରମ ହେବା ପରେ ସେଥିରେ ତେଲ ଦିଅନ୍ତୁ ଓ ତେଲ ତାତିବା ପରେ ସୋରିଷ ଫୁଟାନ୍ତୁ। ସୋରିଷ ଫୁଟିବା ପରେ ସେଥିରେ କଟା ହୋଇ ରହିଥିବା ପିଆଜ ପକେଇ ଘାଣ୍ଟନ୍ତୁ। ପିଆଜ ଟିକେ ବ୍ରାଉନ ରଙ୍ଗର ହେବା ପରେ ସେଥିରେ ବଟା ବେସର ପକେଇ କସନ୍ତୁ। ୫ମିନିଟ ସବୁକୁ ମିଶାଇ ଘାଣ୍ଟିବା ପରେ ସେଥିରେ ସିଝା ହୋଇ ରହିଥିବା ମୁଗ ଓ ଖଡପରିବା ପକେଇ ଦେଇ ଗୋଳାନ୍ତୁ। ଗ୍ୟାସ୍ ଆଞ୍ଚ ହାଇରେ ରଖି ସେ ସବୁକୁ ଭଲରେ ଫୁଟାନ୍ତୁ। ଏବେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏବଂ ପ୍ଲେଟକୁ କାଢି ଟେଷ୍ଟ କରନ୍ତୁ କେମିତି ହୋଇଛି ମୁଗଡାଲି ଖଡା ରାଇ। ଏହାକୁ ଭାତ ବା ଖେଚୁଡ଼ି ସହିତ ଖାଇବା ଅଧିକ ସ୍ୱାଦିଷ୍ଟ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: