ଟିକାକରଣ ଅଭିଯାନ ଓ ଗୁଜବ; ମାସିକ ଋତୁସ୍ରାବ ସମୟରେ ଟିକା ନେବାକୁ ନେଇ ଏମିତି ଭ୍ରମିତ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ

ଟିକାକରଣ ଅଭିଯାନ ଓ ଗୁଜବ; ମାସିକ ଋତୁସ୍ରାବ ସମୟରେ ଟିକା ନେବାକୁ ନେଇ ଏମିତି ଭ୍ରମିତ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ ଚାଲିଛି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ଦେଶର ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ କରୋନା ଟିକାକରଣରେ ସାମିଲ କରାଯାଉଛି । ଯଥା ସମ୍ଭବ ସମ୍ପୂର୍ଣ୍ଣ ଟିକାକରଣ କରାଯାଇ ମହାମାରୀ କରୋନା ବିରୋଧରେ ଶେଷ ଯୁଦ୍ଧ ଲଢ଼ିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ହେଲେ ଟିକାକରଣକୁ ନେଇ ମିଥ୍ୟା ଗୁଜବ ଓ ନାନାଦି ପ୍ରକାର ଗସିପ ଯୋଗୁଁ ଅନେକ ଟିକା ନେଉ ନାହାନ୍ତି । କେତେକ ସ୍ଥାନରେ ତ ଟିକା ନେବାକୁ ଆଗ୍ରହୀ ଥିବା ବ୍ୟକ୍ତି ବିଶେଷଙ୍କୁ ଭ୍ରମିତ କରି ଟିକାକରଣରୁ ବାଦ୍ ଦିଆଯାଉଛି । ଏଇ ଯେମିତି….

ମହାମାରୀ କରୋନା କାଳରେ ସଞ୍ଜୀବନୀ ସାଜିଥିବା କୋଭିଡ୍ ଟିକାକରଣରେ ସମସ୍ତକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । କର୍ଣ୍ଣାଟକରେ କିନ୍ତୁ ଏହାର କିଛି ଭିନ୍ନ ଚିତ୍ର ହିଁ ଦେଖିବାକୁ ମିଳିଛି । ଋତୁସ୍ରାବ ମହିଳାଙ୍କୁ ସେମାନଙ୍କ ମାସିକ ଋତୁସ୍ରାବ ଅବଧି ତଥା ପିରିୟଡ୍ସ ଚକ୍ର ସମୟ ଶେଷ ନ ହେବା ଯାଏ ଟିକା ନିଅନ୍ତୁ ନାହିଁ ବୋଲି କହି ଟିକାକରଣରୁ ଦୂରେଇ ରଖୁଛନ୍ତି ସ୍ୱାସ୍ଥ୍ୟକର୍ମୀ ।

କର୍ଣ୍ଣାଟକର ରାଇଚୁର, ବେଲଗାଭି ଏବଂ ବିଦର ଭଳି ଜିଲ୍ଲାରେ ଦିଖିବାକୁ ମିଳିଛୁ । ଏହି ତିନି ଜିଲ୍ଲାର କୋଭିଡ ଟିକାକରଣ ଗୁଡ଼ିକରେ ପିରିୟଡ୍ସ ସମୟରେ ଟିକା ନ ଦେବାକୁ ପରାମର୍ଶ ଦିଆଯାଉଥିବା ଖବରକୁ ନେଇ ଅନେକ ଆପତ୍ତି ଉଠାଇଛନ୍ତି ।

ଜଣେ ମହିଳା ଅଧିକାର କର୍ମୀ ବିଦ୍ୟା ପାଟିଲଙ୍କ କହିବାନୁସାର ରାଇଚୁର ଜିଲ୍ଲାର ବିଭିନ୍ନ ଟିକାକରଣ କେନ୍ଦ୍ରରେ କିଛି ସ୍ୱାସ୍ଥ୍ୟକର୍ମୀ ମହିଳାଙ୍କୁ କହୁଛନ୍ତି ଯେ, ପିରିୟଡ ସମୟରେ ଟିକା ନେଲେ ଅଧିକ ରକ୍ତସ୍ରାବ ହେବାର ଆଶଙ୍କା ରହିଛି । ତେଣୁ ଥରେ ପିରିୟଡ୍ସ ଶେଷ ହେବା ଯାଏ ସେମାନେ ଅପେକ୍ଷା କରନ୍ତୁ ବୋଲି ପରାମର୍ଶ ଦେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେଉଁ କାରଣ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଏହି ଦାବି କରୁଛନ୍ତି ଏହାକୁ ସିଦ୍ଧ ବା ପ୍ରମାଣ କରିବା ପାଇଁ ସେମାନଙ୍କ ପାଖରେ ବଳିଷ୍ଠ କାରଣ କିଛି ବି ନାହିଁ । ଏହା ସତ୍ତ୍ୱେ ବି ଟିକାକରଣକୁ ନେଇ ଏଭଳି ଭ୍ରାନ୍ତ ଧାରଣା ଓ ଗୁଜବ ବ୍ୟାପିବାରେ ଲାଗିଛି ।

ସେପଟେ କର୍ଣ୍ଣାଟକ ସରକାର କିମ୍ବା କୌଣସି ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାକରଣକୁ ନେଇ ଏମିତି କିଛି ନିର୍ଦ୍ଦେଶନାମା ଜାରି କରାଯାଇଥିବା କହିଛନ୍ତି ରାଇଚୁର ଡେପୁଟି କମିଶନର ଆର୍ ଭେଙ୍କେଟସ କୁମାର । ଆଗକୁ ଯାଇ ସେ କହିଛନ୍ତି ଯେ, ସମସ୍ତ ଯୋଗ୍ୟ ପୁରୁଷ ଓ ମହିଳା କରୋନା ଟିକା ନେଇ ପାରିବେ । କରୋନା ଭ୍ୟାକସିନ୍ ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ନେବା ଦରକାର । ବିଶେଷ କରି ମାସିକ ଋତୁସ୍ରାବ ଚକ୍ର ଦେଇ ଗତି କରୁଥିବା ମହିଳାମାନେ ମଧ୍ୟ ନେଇ ପାରିବେ  । 

ସେପଟେ ଗଲା ଶୁକ୍ରବାର ଦିନ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଗର୍ଭବତୀମାନେ ମଧ୍ୟ କରୋନା ଟିକା ନେଇ ପାରିବେ । ଦେଶର ସବୁ ବର୍ଗର ବ୍ୟକ୍ତି ବିଶେଷ ଟିକା ନେବା ପାଇଁ ଯୋଗ୍ୟ । ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ । ଅବଶ୍ୟ ଆରମ୍ଭରୁ କାଳେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଟିକାକରଣରୁ ଗର୍ଭବତୀ ମହିଳାଙ୍କୁ ଟିକାକରଣରୁ ବାଦ୍ ଦିଆଯାଇଥିଲା । ବର୍ତ୍ତମାନ କିନ୍ତୁ ସରକାର ଭ୍ୟାକସିନ୍ ଫର୍ ଅଲ୍ ବା ସମସ୍ତଙ୍କ ପାଇଁ ଟିକା ବୋଲି ଘୋଷଣା କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: