ମାଲକାନଗିରି ଜିଲ୍ଲା ପ୍ରଶାସନର ଆଗୁଆ ପାଗ ଭିଡ଼ା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହର ନେଇ ଆଶଙ୍କା ବଢ଼ିବା ପରେ ରାଜ୍ୟ ସରକାର ସବୁ ପ୍ରକାର କଟକଣାକୁ ଗ୍ରହଣ କରିବାକୁ ଗୋଟିଏ ପରେ ଗୋଟିଏ ସ୍ତରକୁ ଯାଉଛନ୍ତି । ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଢାଞ୍ଚାରେ ଏବେ ମାଲକାନଗିରି ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି । ଆଗୁଆ ପାଗଭିଡ଼ା ନ୍ୟାୟରେ ଜିଲ୍ଲାରେ ସଂକ୍ରମଣ ଭୟ ସେତେଟା ନଥିଲେ ମଧ୍ୟ ଆଗୁଆ ସତର୍କତା ସ୍ୱରୂପ ଜିଲ୍ଲା ପ୍ରଶାସନ ନାଇଟ କର୍ଫ୍ୟୁ କଟକଣା ଗତକାଲିଠାରୁ ଲାଗୁ କରିଛି ।

କରୋନାକୁ ମାତ ଦେବାକୁ ମାଲକାନଗିରି ପ୍ରଶାସନର ନାଇଟ  କର୍ଫ୍ୟୁ ଭଳି କଟକଣା ମଙ୍ଗଳବାର ରାତିରୁ ଆରମ୍ଭ ହୋଇଛି ।  ଓଡ଼ିଶାରେ କରୋନାର ଦ୍ୱିତୀୟ ଲହରୀ ଭୟ ବଢ଼ିବା ଏବଂ ସଂକ୍ରମଣ ବୃଦ୍ଧି ଘଟୁଥିବା ନେଇ ଚିନ୍ତା ପ୍ରକାଶ ପାଇବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ରାତ୍ରୀକାଳିନ କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାର ବିଭିନ୍ନ ରାସ୍ତାରେ ଆରମ୍ଭ ହୋଇଛି ପୋଲିସର ବ୍ଲକିଂ ଓ ଚେକିଂ। ଛକ ଜାଗା ଓ ଅନ୍ୟ ସ୍ଥାନମାନଙ୍କରେ ରାତିରେ ପୋଲିସ ପଇଁତରା ମାରୁଛି। ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଏହି କଟକଣା ପୁରା ଜିଲ୍ଲାରେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିବ ।

ଜିଲ୍ଲା ପ୍ରଶାସନର କଟକଣା ଅନୁସାରେ ଦୈନିକ ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ କେବଳ ଜରୁରୀ କାର୍ଯ୍ୟ ବ୍ୟତୀତ କେହି ବି ବାହାରେ ବୁଲାବୁଲି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

%d bloggers like this: