ପୋଷ୍ଟର ଖୋଜୁଛି କଙ୍କାଳ ପରିଚୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗତ କିଛି ଦିନ ତଳେ ଯାଆଁଳା ଫାଣ୍ଡି ପରିସରରୁ ଗାଡ଼ି ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ପୋଲିସ ଆଉ ଏକ ପଦକ୍ଷେପ ନେଇଛି। ପୋଲିସ ପ୍ରସ୍ତୁତ କରିଥିବା ମହିଳାଙ୍କ ସ୍କେଚକୁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲଗାଯାଇଛି। ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମଧ୍ୟ ଦିଆଯାଇଛି। ଏହାସହ ଜାରି ହୋଇଥିବା ପୋଷ୍ଟରରେ ସେପ୍ଟେମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଜଣଙ୍କ ନିଖୋଜ ହୋଇଥିବା ଅନୁମାନ କରାଯାଉଛି ବୋଲି ଲେଖାଯାଇଛି।

ସେହିଭଳି ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୫ ବର୍ଷ ହୋଇଥିବା ନେଇ ଅନୁମାନ କରାଯାଇଛି। ମହିଳା ଜଣଙ୍କ ଯକ୍ଷ୍ମା ରୋଗାକ୍ରାନ୍ତ ଥିବା ନେଇ ମଧ୍ୟ ପୋଷ୍ଟରରେ ସୂଚନା ଦିଆଯାଇଛି। ଏହା ସହ ମହିଳାଙ୍କ ଉଚ୍ଚତା ୧୬୪ ସେମି, କଳା ରଙ୍ଗର ମୁଣ୍ଡ ବାଳ ପ୍ରାୟ ୩୫ ସେମି ଲମ୍ବ, ତାଙ୍କ ଡାହାଣ ହାତରେ ଚାରୋଟି ଆଲୁମିନିୟମ ଚୁଡ଼ି ରହିଥିବା ବେଳେ ମହିଳା ଜଣଙ୍କ ସ୍ୱେଟର ପିନ୍ଧିଥିବା ପୋଷ୍ଟରରେ ସୂଚନା ଦିଆଯାଇଛି। ଯେକେହି ମହିଳାଙ୍କ ବିଷୟରେ ପୋଲିସକୁ ସୂଚନା ଦେବ, ତାଙ୍କ ପରିଚୟ ଗୋପନୀୟ ରଖାଯିବ ବୋଲି କୁହାଯାଇଛି। ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ମହିଳାଙ୍କ ପରିଚୟ ଜାଣିବା ନିହାତି ଆବଶ୍ୟକ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

%d bloggers like this: