ବିବାଦରେ ସାବରକରଙ୍କ ଦୟା ନିବେଦନ

ବିବାଦରେ ସାବରକରଙ୍କ ଦୟା ନିବେଦନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଆଣ୍ଡାମାନର ସେଲୁଲାର ଜେଲରେ ଦଣ୍ଡ ଭୋଗୁଥିବାବେଳେ ବିନାୟକ ଦାମୋଦର ସାବରକର ବ୍ରିଟିଶ ସରକାରଙ୍କ ନିକଟରେ ଦାଖଲ କରିଥିବା ଦୟା ନିବେଦନଗୁଡିକ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଲେଖାଯାଇଥିଲା ଏବଂ ପଠାଯାଇଥିଲା? ଯଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏହି ଦାବିକୁ ସତ୍ୟ ବୋଲି ବିବେଚନା କରାଯାଏ, ତେବେ ତାହା ହିଁ ଘଟିଲା। ଅକ୍ଟୋବର ୧୨ ତାରିଖରେ ସାବରକରଙ୍କ ଉପରେ ଲେଖାଯାଇଥିବା ଏକ ନୂତନ ପୁସ୍ତକ ଉନ୍ମୋଚନ ଅବସରରେ ରାଜନାଥ ସିଂ ଏହି ଦାବି କରିଛନ୍ତି। ରଜନନାଥ ସିଂ ପୁସ୍ତକ ‘ବୀର ସାବରକର: ଦ ମ୍ୟାନ୍ ହୁ କୁଡ ହାଭ ପ୍ରିଭିଏଣ୍ଟେଡ ପାର୍ଟିସନ୍’ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଛନ୍ତି ଯେ, “ସାବରକରଙ୍କ ବିରୁଦ୍ଧରେ ମିଥ୍ୟା ପ୍ରଚାର କରାଯାଇଥିଲା। କୁହାଯାଉଥିଲା ଯେ ସେ ବ୍ରିଟିଶମାନଙ୍କୁ ବାରମ୍ବାର ନିବେଦନ କରିଥିଲେ, କିନ୍ତୁ ସତ୍ୟ ଏହା ଯେ, ସେ ନିଜକୁ କ୍ଷମା କରିବା ପାଇଁ ଦୟା ଆବେଦନ ଦେଇ ନ ଥିଲେ ବରଂ ମହାତ୍ମା ଗାନ୍ଧୀ ତାଙ୍କୁ ଦୟା ଆବେଦନ କରିବାକୁ କହିଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦୟା ଆବେଦନ କରିଥିଲେ। “
ରାଜନାଥ ସିଂଙ୍କ ଏହି ବିବୃତ୍ତି ପରେ ଭାରତରେ ଏକ ବିତର୍କ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ବିରୋଧୀ ଦଳ ଏହି ବିବୃତ୍ତିରେ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ଅନ୍ୟ ପଟେ ଐତିହାସିକମାନେ ମଧ୍ୟ ଏହି ବିବୃତ୍ତିର ସତ୍ୟତା ଉପରେ ପ୍ରଶ୍ନ କରୁଛନ୍ତି।

ନୂତନ ପୁସ୍ତକରେ ସେପରି କିଛି ଉଲ୍ଲେଖ ହୋଇ ନାହିଁ:

ବୀର ସାବରକର: ଦ ମ୍ୟାନ୍ ହୁ କୁଡ ହାଭ ପ୍ରିଭିଏଣ୍ଟେଡ ପାର୍ଟିସନ୍’ ପୁସ୍ତକଟି ଉଦୟ ମାହୁରକର ଏବଂ ଚିରାୟୁ ପଣ୍ଡିତ ଲେଖିଛନ୍ତି। ଉଦୟ ମାହୁରକର ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିସାରିଥିବା ବେଳେ ବର୍ତ୍ତମାନ ଭାରତ ସରକାରଙ୍କ ସୂଚନା କମିଶନର ଭାବରେ କାର୍ଯ୍ୟ କରୁଛନ୍ତି। ବିବିସି ପକ୍ଷରୁ ତାଙ୍କୁ ପଚରାଯାଇଥିଲା ​​ଯେ ତାଙ୍କ ନୂତନ ପୁସ୍ତକରେ କୁହାଯାଇଛି ଯେ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ ସବାରକର ବ୍ରିଟିଶରଙ୍କ ନିକଟରେ ଦୟା ଆବେଦନ କରିଥିଲେ? ଉଦୟ ମାହୁରକର ଏହାର ଉତ୍ତରରେ କହିଛନ୍ତି, ନା, ଏହା ମୋ ବହିରେ ଉଲ୍ଲେଖ କରାଯାଇ ନାହିଁ। ତାଙ୍କ ପୁସ୍ତକର ଭବିଷ୍ୟତ ସଂସ୍କରଣରେ ଏହାକୁ ଅନ୍ତର୍ଭୁକ୍ତ କରିବେ କି ନାହିଁ, ସେ ନେଇବି ପ୍ରଶ୍ନ କରାଯିବା ଥିଲେ, ଏହାର ଉତ୍ତରରେ ସେ କହିଥିଲେ “ମୁଁ ଏହା ଉପରେ ନିଷ୍ପତ୍ତି ନେବି, ଆପଣ ମୋତେ ଦ୍ବନ୍ଦରେ ପକାନ୍ତୁ ନାହଁ।” ମାହୁରକରଙ୍କୁ ଆଉ ଏକ ପ୍ରଶ୍ନଥିଲା ଯେ ସାବରକରଙ୍କ ଉପରେ ପୁସ୍ତକ ଲେଖିବା ବେଳେ ତାଙ୍କ ଅନୁସନ୍ଧାନ ସମୟରେ ରାଜନାଥ ସିଂଙ୍କ ଦାବି ସାମ୍ନାକୁ ଆସିଥିଲା କି? ଏହାର ଉତ୍ତରରେ ସେ କହିଛନ୍ତି, “ମୁଁ କହୁ ନାହିଁ ଯେ ମୋର ସାବରକରଙ୍କ ଉପରେ ସମ୍ପୂର୍ଣ୍ଣ ଅଧ୍ୟୟନ ଅଛି। ସାବରକରଙ୍କ ବିଷୟରେ ତଥାପି ଅନେକ ତଥ୍ୟ ଅଛି ଯାହା ଲୋକମାନେ ଜାଣନ୍ତି ନାହିଁ। ସାବରକରଙ୍କ ଉପରେ ମୋର ଅଧ୍ୟୟନ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ। ମୁଁ ଆଗକୁ ଯିବି। ମୁଁ ଅନ୍ୟ ଏକ ପୁସ୍ତକ ମଧ୍ୟ ଲେଖିପାରେ,ଏହି କଥାକୁ ମୁଁ ଅନ୍ତର୍ଭୁକ୍ତ କରି ପାରେ। ମୁଁ ଦାବି କରୁନି ଯେ ମୁଁ ସାବରକରଙ୍କ ବିଷୟରେ ସବୁକିଛି ଜାଣିଛି। ” ମାହୁରକର ତାଙ୍କ ସହଅନୁସନ୍ଧାନକାରୀଙ୍କ ସହ ଏହି ବିଷୟରେ କଥାବାର୍ତ୍ତା କରିବାକୁ କିଛି ସମୟ ମାଗିଥିଲେ ଏବଂ କିଛି ସମୟ ପରେ ବିବିସିକୁ କହିଥିଲେ ଯେ, “ଏହି କଥା ସତ ଯେ, ତାଙ୍କ ଭାଇ ବାବା ରାଓ ସାବରକର ଗାନ୍ଧୀଜୀଙ୍କ ପାଖକୁ ଯାଇଥିଲେ ଏବଂ ଗାନ୍ଧିଜୀ ତାଙ୍କୁ ଏହି ବିଷୟରେ ପରାମର୍ଶ ଦେଇଥିଲେ। ଏହା ପୁସ୍ତକର ପରବର୍ତ୍ତୀ ସଂସ୍କରଣରେ ଆମେ ସ୍ଥାନ ଦେବୁ। ବାବା ରାଓ ସାବରକରଙ୍କ ସହ ଆରଏସଏସ କିଛି ଲୋକ ଗାନ୍ଧିଜୀଙ୍କୁ ଭେଟିବା ପାଇଁ ମଧ୍ୟ ଯାଇଥିଲେ। ଏହା ବାବା ରାଓଙ୍କ ଲେଖାରେ ପ୍ରତିଫଳିତ ହୋଇଛି। “

କ’ଣ ସାବରକର ବିଭାଜନକୁ ଅଟକାଇ ପାରିଥାନ୍ତେ କି?

ଏହି ପୁସ୍ତକର ନାମ ଅତ୍ୟନ୍ତ କୌତୁହଳପ୍ରଦ – ‘ବୀର ସାବରକର: ଦ ମ୍ୟାନ୍ ହୁ କୁଡ ହାଭ ପ୍ରିଭିଏଣ୍ଟେଡ ପାର୍ଟିସନ୍’, ଯେତେବେଳେକି ସତ୍ୟତା ହେଉଛି ଯେ ସାବରକର ହେଉଛନ୍ତି ସେହି ବ୍ୟକ୍ତି ଯିଏ ପ୍ରଥମେ ଦୁଇ-ଜାତୀୟତାର ସିଦ୍ଧାନ୍ତ ବିଷୟରେ କହିଥିଲେ। ମୁସଲମ ଲିଗ୍ ୧୯୪୦ ମସିହାରେ ଲାହୋର ଅଧିବେଶନରେ ମୁସଲମାନମାନଙ୍କ ପାଇଁ ଏକ ପୃଥକ ଦେଶ ଦାବି ପ୍ରଥମ ଥର କରିଥିଲା, କିନ୍ତୁ ସାବରକର ପ୍ରଥମରୁ ଏଭଳି କହିଆସୁଥିଲେ। ୧୯୩୭ ମସିହାରେ ଅହମ୍ମଦାବାଦରେ ସେ ମୁସଲିମଲିଗ୍ ର ଦାବିର ତିନି ବର୍ଷ ପୂର୍ବରୁ ସ୍ପଷ୍ଟ ଭାବରେ କହିଥିଲେ ଯେ ହିନ୍ଦୁ ଏବଂ ମୁସଲମାନ ଦୁଇଟି ଭିନ୍ନ ରାଷ୍ଟ୍ର ଏବଂ ଏହି ଭୂମିରେ ଉଭୟଙ୍କର ସମାନ ଅଧିକାର ନାହିଁ।ଏହାପୂର୍ବରୁ ସେ ତାଙ୍କ ପୁସ୍ତକ ‘ହିନ୍ଦୁତ୍ୱ: କିଏ ହିନ୍ଦୁ’ ରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଜାତିର ଆଧାର ହେଉଛି ଧର୍ମ ଏବଂ ସେ ଭାରତକୁ ‘ହିନ୍ଦୁସ୍ତାନ’ ବୋଲି କହିଛନ୍ତି। ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି, “ହିନ୍ଦୁସ୍ତାନର ଅର୍ଥ ହେଉଛି ହିନ୍ଦୁମାନଙ୍କର ଭୂମି। ହିନ୍ଦୁତ୍ୱ ପାଇଁ ଭୌଗୋଳିକ ଏକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ହିନ୍ଦୁ ମୁଖ୍ୟତଃ ଏଠାରେ ନାଗରିକ କିମ୍ବା ତାଙ୍କ ପୂର୍ବପୁରୁଷଙ୍କ କାରଣରୁ ‘ହିନ୍ଦୁସ୍ତାନ’ର ନାଗରିକ।” ସାବରକର ‘ହିନ୍ଦୁତ୍ୱ: କିଏ ହିନ୍ଦୁ’ ରେ ଲେଖିଛନ୍ତି, “ଆମର କେତେକ ମୁସଲମାନ କିମ୍ବା ଖ୍ରୀଷ୍ଟିଆନ ଯେଉଁମାନଙ୍କୁ ଅଣ ହିନ୍ଦୁ ଧର୍ମରେ ଜବରଦସ୍ତ ରୂପାନ୍ତରିତ କରାଯାଇଛି, ସେମାନଙ୍କ ମାତୃଭୂମି ମଧ୍ୟ ସମାନ ଏବଂ ସଂସ୍କୃତିର ଏକ ବଡ଼ ଅଂଶ ମଧ୍ୟ ସମାନ। କିନ୍ତୁ ତଥାପି ସେମାନଙ୍କୁ ହିନ୍ଦୁ ଭାବରେ ବିବେଚନା କରାଯାଇପାରିବ ନାହିଁ। ଯଦିଓ ହିନ୍ଦୁସ୍ତାନ ହିନ୍ଦୁମାନଙ୍କ ପରି ସେମାନଙ୍କର ମାତୃଭୂମି, କିନ୍ତୁ ଏହା ସେମାନଙ୍କର ପବିତ୍ର ଭୂମି ନୁହେଁ। ତାଙ୍କର ପବିତ୍ର ଭୂମି ଆରବଠାରୁ ବହୁତ ଦୂରରେ। ସେମାନଙ୍କର ବିଶ୍ୱାସ, ସେମାନଙ୍କର ଧର୍ମଗୁରୁ , ଚିନ୍ତାଧାରା ଏବଂ ନାୟକ ଏହି ମାଟିର ବଂଶଜ ନୁହଁନ୍ତି। ସାବରକର ଏହିପରି ଭାବରେ ହିନ୍ଦୁ ଏବଂ ମୁସଲମାନ-ଖ୍ରୀଷ୍ଟିଆନମାନଙ୍କୁ ଦେଶର ନାଗରିକ ଭାବରେ ପରସ୍ପରଠାରୁ ଭିନ୍ନ ବୋଲି ବର୍ଣ୍ଣନା କରିଥିଲେ ଏବଂ ପବିତ୍ର ଭୂମି ପୃଥକ ହେବା ଆଧାରରେ ଜାତି ପ୍ରତି ସେମାନଙ୍କର ଆନ୍ତରିକତା ଉପରେ ସନ୍ଦେହ କରିଥିଲେ। ଭୟଙ୍କର ହିନ୍ଦୁ-ମୁସଲମାନ ଦଙ୍ଗା ଭାରତ ବିଭାଜନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କେବଳ ଗାନ୍ଧୀ ଚେଷ୍ଟା କରୁଥିବା ହିନ୍ଦୁ-ମୁସଲମାନ ଏକତା ଦ୍ୱାରା ଭାରତର ବିଭାଜନକୁ ରୋକାଯାଇ ପାରିଥାନ୍ତା, କିନ୍ତୁ ପରସ୍ପରଠାରୁ ମୌଳିକ ରୂପରେ ଭିନ୍ନ ପ୍ରମାଣ କରିବାରେ ସାବରକର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ବୀର ସାବରକରଙ୍କ ବଂଶଧରମାନେ କ’ଣ କୁହନ୍ତି?
ରଣଜିତ୍ ସାବରକର ହେଉଛନ୍ତି ବୀର ସବାରକରଙ୍କ ସାନଭାଇ ଡକ୍ଟର ନାରାୟଣ ରାଓ ସବାରକରଙ୍କ ନାତି ଏବଂ ମୁମ୍ବାଇର ‘ସ୍ଵତନ୍ତ୍ରି ବୀର ସବାରକରଙ୍କ ଜାତୀୟ ସ୍ମାରକ’ ସହିତ ଜଡିତ। ସେ ବିଶ୍ବାସ କରନ୍ତି ନାହିଁ ଯେ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ ବୀର ସାବରକର ଦୟା ଆବେଦନ କରିଥିଲେ। ରାଜନାଥ ସିଂଙ୍କ ବିବୃତ୍ତି ବିଷୟରେ ସେ କୁହନ୍ତି, “ମୁଁ ଭାବୁଛି ଏହା ଜିଭ ସ୍ଲିପ୍ ହୋଇପାରେ। ମହାତ୍ମା ଗାନ୍ଧୀ ତାଙ୍କ ଲେଖାରେ ଏକ ପିଟିସନ୍ ଦାଖଲ କରିବାକୁ ସମର୍ଥନ କରିଥିଲେ। ସେ ସାବରକର ଭାଇମାନଙ୍କ ମୁକ୍ତି ଉପରେ ଦୁଇଟି ଲେଖା ଲେଖିଥିଲେ। ଗାନ୍ଧୀ କହିଥିଲେ ଯେ ଆମର ଆଦର୍ଶଗତ ମତଭେଦ ଅଛି, କିନ୍ତୁ ଯଦି ସାବରକର ଶାନ୍ତିପୂର୍ଣ୍ଣ ପଥରେ ଆସୁଛନ୍ତି, ତା’ହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ବୀର ସବାରକର ଜଣେ ମହାନ ଦେଶପ୍ରେମୀ ଏବଂ ସେ ଆଣ୍ଡାମାନରେ ରହି ମାତୃଭୂମିକୁ ଭଲ ପାଇବାର ମୂଲ୍ୟ ଦେଉଛନ୍ତି।
ରଞ୍ଜିତ ସାବରକର ଆହୁରି ମଧ୍ୟ କହିଛନ୍ତି ଯେ ବୀର ସାବରକରଙ୍କ ନିବେଦନ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟ ସମସ୍ତ ରାଜନୈତିକ ବନ୍ଦୀମାନଙ୍କ ପାଇଁ ଥିଲା। ସେ କହିଛନ୍ତି ଯେ ତତ୍କାଳୀନ ଗୃହମନ୍ତ୍ରୀ ରେଜିନାଲ୍ଡ କ୍ରେଡକ୍ ବୀର ସାବରକରଙ୍କ ଆବେଦନ ବିଷୟରେ ଲେଖିଥିଲେ ଯେ ଏହା ଦୟା ପାଇଁ ଏକ ନିବେଦନ, କିନ୍ତୁ ଏଥିରେ କୌଣସି ଦୁଃଖ କିମ୍ବା ଅନୁତାପ ନାହିଁ। ରଞ୍ଜିତ ଆହୁରି ମଧ୍ୟ କହିଛନ୍ତି, “ସାବରକର ଯାହା କରିଥିଲେ ସେଥିରେ ଗାନ୍ଧୀଙ୍କ ସମର୍ଥନ ଥିଲା ଏବଂ ତାଙ୍କର ସିକୃତି ଥିଲା। ମୁଁ ଭାବୁଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିବା ଅର୍ଥ ଏହା ହୋଇଥିବ।”
ଇତିହାସ ଟ୍ୟାମ୍ପରିଂ?
ବିବାଦୀୟ ବିବୃତ୍ତି ସମ୍ପର୍କରେ ଗାନ୍ଧୀ ଶାନ୍ତି ଫାଉଣ୍ଡେସନର ଚେୟାରମ୍ୟାନ୍ କୁମାର ପ୍ରଶାନ୍ତ କହିଛନ୍ତି ଯେ ଏହା ପୂର୍ବରୁ ଦେଖାଯାଇ ନାହିଁ କିମ୍ବା ଶୁଣାଯାଇ ନାହିଁ କାରଣ ଏହା ଘଟି ନାହିଁ କିମ୍ବା ଏହା ବିଷୟରେ ଲେଖାଯାଇ ନାହିଁ। ସେ କହିଛନ୍ତି, “ଏହି ଲୋକମାନେ ଇତିହାସର ନୂଆ-ନୂଆ ପୃଷ୍ଠା ଲେଖିବାର କଳାରେ ଅତ୍ୟନ୍ତ ପାରଦର୍ଶୀ ଅଟନ୍ତି। ମୁଁ ପ୍ରାୟତଃ କହୁଛି ଯେଉଁମାନଙ୍କର ନିଜର ଇତିହାସ ନାହିଁ, ସେମାନେ ସର୍ବଦା ଅନ୍ୟମାନଙ୍କ ଇତିହାସକୁ ନିଜ ହାତ ମୁଠାରେ ରଖିବାକୁ ଚେଷ୍ଟା କରନ୍ତି। ରାଜନାଥ ଜି ଅତି ହାଲୁକା କଥା କହିଛନ୍ତି। “କୁମାର ପ୍ରଶାନ୍ତ କହିଛନ୍ତି ଯେ ସାବରକରଙ୍କ କ୍ଷମା ପ୍ରାର୍ଥନା ସହିତ ଗାନ୍ଧୀଙ୍କ କୌଣସି ସମ୍ପର୍କ ନାହିଁ। ସେ କୁହନ୍ତି, “ଯଦି ଗାନ୍ଧୀଜୀଙ୍କ ଜୀବନରେ କ୍ଷମା ମାଗିବା ଭଳି ଜିନିଷ ଥାଆନ୍ତା, ତେବେ ସେ ନିଜେ ଏହାକୁ କାର୍ଯ୍ୟକାରୀ କରିଥାନ୍ତେ। ସେ କଦାପି କ୍ଷମା ମାଗି ନାହାଁନ୍ତି କିମ୍ବା ଅନ୍ୟ କୌଣସି ସତ୍ୟଗ୍ରାହୀଙ୍କୁ କ୍ଷମା ମାଗିବାର ରାସ୍ତା କହି ନାହାଁନ୍ତି, ତେଣୁ ରାଜନାଥଙ୍କ କଥାରେ କୌଣସି ଅର୍ଥ ନାହିଁ କି କୌଣସି ପ୍ରକାରର ସତ୍ୟତା ଏବଂ ସଚ୍ଚୋଟତା ନାହିଁ। ଏଗୁଡ଼ିକ ବହୁତ ଛୋଟ ଜିନିଷ, କିନ୍ତୁ ଏହି ସମୟରେ ହିଁ ଏପରି ଘଟଣା ଘଟୁଛି।”
ଗାନ୍ଧୀଙ୍କ ହତ୍ୟା ସହ ଜଡିତ ଦାଗ ଧୋଇବାକୁ ଚେଷ୍ଟା କରାଯାଉଛି:-

ବରିଷ୍ଠ ସାମ୍ବାଦିକ ନିଲାଞ୍ଜନ ମୁଖୋପାଧ୍ୟାୟ ରାଷ୍ଟ୍ରିୟ ସ୍ୱେମସେବକ ସଂଗଠନର ବଡ ନାମ ଉପରେ ‘ଦ ଆରଏସଏସ: ଆଇକନ୍ସ ଅଫ୍ ଇଣ୍ଡିଆନ୍ ରାଇଟ୍’ ନାମକ ଏକ ପୁସ୍ତକ ଲେଖିଛନ୍ତି। ସେ କହିଛନ୍ତି ଯେ ସାବରକରଙ୍କୁ ନେଇ ସବୁଠାରୁ ବଡ ବିବାଦ ମହାତ୍ମାଗାନ୍ଧୀଙ୍କ ହତ୍ୟା ସହ ଜଡିତ। “ଏହି ମାମଲାରେ ସାବରକରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା, କିନ୍ତୁ ଏହା ପରେ କପୁର ଆୟୋଗର ରିପୋର୍ଟ ତାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷରେ ଖଲାସ କରି ନଥିଲା ଏବଂ ଗାନ୍ଧୀ ହତ୍ୟାରେ ସାବରକରଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହର ସୂତ୍ର ଦର୍ଶାଯାଇଥିଲା। ଏହା ସାବରକରଙ୍କ ଉତ୍ତରାଧିକାରୀଙ୍କ ଉପରେ ଏକ ଦାଗ ଥିଲା। ଯାହାକୁ ଆଜିର ସରକାର ଧୋଇବାକୁ ଚେଷ୍ଟା କରୁଛନ୍ତି। ” ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାର ଷଷ୍ଠ ଦିନରେ ଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ସନ୍ଦେହରେ ବିନାୟକ ଦାମୋଦର ସାବରକରଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିଲା। ତେବେ ଫେବୃଆରୀ ୧୯୪୯ ରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ମୁଖୋପାଧ୍ୟାୟ କୁହନ୍ତି, “ରାଜନାଥ ସିଂଙ୍କ ବକ୍ତବ୍ୟ ଯେ ଗାନ୍ଧିଜୀଙ୍କ ଆଦେଶରେ ସାବରକର ବ୍ରିଟିଶମାନଙ୍କୁ କ୍ଷମା ମାଗିଛନ୍ତି। ତାଙ୍କ ଉପରେ ଏକ ବଡ ଦାଗ ହଟାଇବାକୁ ଚେଷ୍ଟା କରାଯାଇଛି। ବର୍ତ୍ତମାନ କେବଳ ଗୋଟିଏ ଜିନିଷ ବାକି ଅଛି। ଆସନ୍ତାକାଲି ଆଉ କିଛି ନେତା ଆସି କହିବେ ଗୋଡସେ ମଧ୍ୟ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ବନ୍ଧୁକ ଉଠେଇଥିଲେ ଏବଂ ତାଙ୍କୁ ହତ୍ୟା କରିଥିଲା। ” ସେ କହିଛନ୍ତି ଯେ “ଆମେ ଇତିହାସର ମିଥ୍ୟାକାରଣ ସମୟରେ ବାସ କରୁଛେ। ପ୍ରତିଦିନ ଗୋଟିଏ ମିଛକୁ ବାରମ୍ବାର କହି କହି ତାହାକୁ ସତ୍ୟ କରି ଦିଆଯାଉଛି।”
ମୁଖୋପାଧ୍ୟାୟଙ୍କ ଅନୁଯାୟୀ, ଏହି ପୁରା ବିବାଦ ହେଡଲାଇନରେ ଇତିହାସ ବିଷୟରେ କହିବାର ପ୍ରବୃତ୍ତି ଦର୍ଶାଏ। ସେ କୁହନ୍ତି, “ଇତିହାସର କଥାବାର୍ତ୍ତା ହେଡଲାଇନରେ ରହିପାରିବ ନାହିଁ। ଇତିହାସ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବାକୁ ପଡିବ। ମୁଁ ଭାବୁଛି ଯେ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ସାବରକର କ୍ଷମା ମାଗିଛନ୍ତି ବୋଲି କହିବା ଐତିହାସିକ ଭୁଲ ଅଟେ।”
ହିନ୍ଦୁତ୍ୱ’ ଶବ୍ଦର ସୃଷ୍ଟିକର୍ତ୍ତା:-

ଐତିହାସିକଙ୍କ ଅନୁଯାୟୀ, ସାବରକରଙ୍କ ରାଜନୈତିକ ଜୀବନକୁ ସ୍ପଷ୍ଟ ଭାବରେ ଦୁଇଟି ପୃଥକ ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ମୁଖୋପାଧ୍ୟାୟ କୁହନ୍ତି, “ପ୍ରଥମ ପର୍ଯ୍ୟାୟ ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରୁ ଆରମ୍ଭ ହୋଇଥିଲା ଯେତେବେଳେ ସେ ଜଣେ ଯୁବ ଜାତୀୟତାବାଦୀ ଥିଲେ। ସେ ଭିଲାୟତକୁ ଯାଇ ଜାତୀୟତାବାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏହି କାରଣରୁ ତାଙ୍କୁ କଳାପାଣି ଦଣ୍ଡିତ କରାଯାଇ ଆଣ୍ଡାମାନର ଜେଲକୁ ପଠାଇ ଦିଆଯାଇଥିଲା।” ତାଙ୍କ କହିବାନୁସାରେ, ନିଜର ରାଜନୈତିକ କ୍ୟାରିୟର ସମୟ ମଧ୍ୟରେ, ସାବରକର ୧୮୫୭ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଲେଖିଥିଲେ। ଯେଉଁଥିରେ ସେ ୧୮୫୭ ର ବିପ୍ଳବକୁ ହିନ୍ଦୁ-ମୁସଲମାନ ଏକତାର ଅନନ୍ୟ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ “ହିନ୍ଦୁ ଏବଂ ମୁସଲମାନମାନେ ଏକାଠି ହୋଇଥିଲେ, ତେଣୁ ଇଂରେଜ ସରକାରଙ୍କୁ ଏତେ ବଡ ଝଟକା ଲାଗିଥିଲା। ମୁଖୋପାଧ୍ୟାୟ କହିଛନ୍ତି ଯେ ସାବରକର ରାଜନୈତିକ କ୍ୟାରିୟରର ଦ୍ୱିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଜେଲରେ ଥିବାବେଳେ ତାଙ୍କର ହୃଦୟ ପରିବର୍ତ୍ତନ ହୋଇଛି ଏବଂ ସେ ବ୍ରିଟିଶରମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କୁହନ୍ତି, “ତାଙ୍କୁ ଆଣ୍ଡାମାନ ଜେଲରୁ ମୁକ୍ତ କରାଯାଇଥିଲା, କିନ୍ତୁ ନାଗପୁର ଏବଂ ପୁଣେ ଜେଲରେ ରଖାଯାଇଥିଲା। ସେ ବୈପ୍ଳବିକ ଜାତୀୟତାର ଅଂଶ ହୋଇଥିବାରୁ ଅନେକ ଜାତୀୟତାବାଦୀ ନେତା ତାଙ୍କ ନ୍ୟାୟିକ ହେପାଜତ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ସେ ମୁକ୍ତ ହେବା ପାଇଁ ଆବେଦନ କରିଥିଲେ।” କିନ୍ତୁ ମୁଖୋପାଧ୍ୟାୟ କହିଛନ୍ତି ଯେ ସାବାରକର ବିବାଦରେ ରହିବାର କାରଣ ହେଉଛି ‘ହିନ୍ଦୁତ୍ୱ: ଆମେ କିଏ’ ନାମକ ସେଲୁଲାର ଜେଲରେ ଲେଖାଯାଇଥିବା ପାଣ୍ଡୁଲିପି। “ଏହି ଦଲିଲରୁ ଅନୁପ୍ରାଣିତ ହୋଇ କେଶବ ବାଲିରାମ ହେଡୱେର୍ ରାଷ୍ଟ୍ରିୟ ସ୍ୱେମସେବକ ସଂଗଠନ ଗଠନ କରିଥିଲେ। ସାବରକରଙ୍କର ପୂର୍ବରୁ ହିନ୍ଦୁ ଜାତୀୟତାବାଦୀ ଚିନ୍ତାଧାରାର ବିକାଶ ହେଉଥିଲା, କିନ୍ତୁ ସାବରକର ତାଙ୍କ ପୁସ୍ତକ ମାଧ୍ୟମରେ ହିନ୍ଦୁତ୍ୱକୁ କୋଡିଂ କରି ଶ୍ରେୟସ୍କର ହୋଇଥିଲେ। ମୁଖୋପାଧ୍ୟାୟ ବିଶ୍ୱାସ କରନ୍ତି ଯେ ସାବରକର ନେତା ଭାବରେ ଅନୁପଯୁକ୍ତ ଥିଲେ ଏବଂ ସେଥିପାଇଁ ସେ କେବେବି ଆରଏସଏସରେ ଯୋଗ ଦେଇନଥିଲେ, କିନ୍ତୁ ଆରଏସଏସର ଜଣେ ସମାଲୋଚକ ଥିଲେ।
ସେ କୁହନ୍ତି, “୧୯୬୬ ମସିହାରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଆରଏସଏସ ସହିତ ତାଙ୍କର ବହୁତ ଖରାପ ସମ୍ପର୍କ ଥିଲା। ସେ ଆରଏସଏସକୁ ଏକ ଅମୂଳକ ସଂଗଠନ ଭାବରେ ବିବେଚନା କରୁନଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ବ୍ରିଟିଶ ନୀତିର ଜଣେ ବଡ଼ ସମର୍ଥକ ଥିଲେ। ସେ କହିଥିଲେ ଯେ ହିନ୍ଦୁମାନେ ନିଜେ ଉଦ୍ଧାର ହେବା ଉଚିତ। ସେ ଭାରତୀୟ ସେନାକୁ ମଜବୁତ କରିବା ପାଇଁ ବ୍ରିଟିଶ ସୈନ୍ୟବାହିନୀରେ ଯୋଗଦେବା ଉଚିତ୍ ବୋଲି କହୁଥିଲେ। ସେ ତାଙ୍କ ଜୀବନରେ କୌଣସି ଇଂରେଜ ବିରୋଧୀ ଆନ୍ଦୋଳନରେ ଭାଗ ନେଇ ନାହାଁନ୍ତି। ସେ ଭାରତ ଛାଡ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇ ନାହାଁନ୍ତି। “
ଏହା ନିଜେ ଏକ ବିଡମ୍ବନାର ବିଷୟ ଯେ, ଯେଉଁ ରାଷ୍ଟ୍ରିୟ ସ୍ୱେମସେବକ ସଂଗଠନ ଏବଂ ଭାରତୀୟ ଜନ ସଙ୍ଘରେ ସାବରକର କେବେବି ସଦସ୍ୟ ହୋଇନଥିଲେ, ସେହି ସଂଘ ପାରିବାରରେ ତାଙ୍କ ନାମକୁ ଇଯତ୍ ଓ ସମ୍ମାନର ସହ ନିଆଯାଉଛି। ୨୦୦୦ ମସିହାରେ, ବାଜପେୟୀ ସରକାର ତତ୍କାଳୀନ ରାଷ୍ଟ୍ରପତି କେ.ଆର ନାରାୟଣନଙ୍କୁ ସାବରକରଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରିବାକୁ ଏକ ପ୍ରସ୍ତାବ ପଠାଇଥିଲେ, ଯାହାକୁ ନାରାୟଣନ ପ୍ରତ୍ୟାଖ୍ୟାନ କରିଥିଲେ।

ଅନାବଶ୍ୟକ ଚର୍ଚ୍ଚା?

ଐତିହାସିକ ତଥା ବୀର ସାବରକରଙ୍କ ଜୀବନୀ ଲେଖକ ବିକ୍ରମ ସାମ ଏକ ଟୁଇଟ୍‌ରେ କହିଛନ୍ତି ଯେ ଏହି ବିବୃତ୍ତି ଉପରେ ଉତ୍ତେଜନା ଅନାବଶ୍ୟକ ଏବଂ ସେ ତାଙ୍କ ପୁସ୍ତକ ଏବଂ ଅନେକ ସାକ୍ଷାତକାରରେ କହିଛନ୍ତି ଯେ ୧୯୨୦ ମସିହାରେ ଗାନ୍ଧିଜୀ ସାବରକର ଭାଇମାନଙ୍କୁ ଚିଠି ଲେଖିଥିଲେ। ଏବଂ ସେ ତାଙ୍କ ପତ୍ରିକା ‘ୟଙ୍ଗ ଇଣ୍ଡିଆ’ର ଏକ ଆର୍ଟିକିଲ ମାଧ୍ୟମରେ ତାଙ୍କ ମୁକ୍ତି ବିଷୟରେ କହିଥିଲେ। ୟଙ୍ଗ ଇଣ୍ଡିଆରେ ଗାନ୍ଧୀ ଲେଖିଥିବା ଆର୍ଟିକିଲର ନାମ “ସାବରକର ଭାଇ” ଏବଂ ଏଥିରେ ସେ ଅନେକ ବିଷୟ ସହ ଲେଖିଥିଲେ ଯେ ସେମାନେ ଉଭୟ ସ୍ପଷ୍ଟ ଭାବରେ କହିଛନ୍ତି କି ସେମାନେ ବ୍ରିଟିଶ ଶାସକଙ୍କଠୁ ସ୍ୱାଧୀନତା ଚାହୁଁ ନାହାଁନ୍ତି। ଅପରପକ୍ଷେ, ସେମାନେ ଭାବୁଥିଲେ ଯେ ଭାରତର ଭାଗ୍ୟ ବ୍ରିଟିଶମାନଙ୍କ ସହଯୋଗରେ ସର୍ବୋତ୍ତମ ହୋଇପାରିବ। ଶ୍ୟାମସୁଲ ଇସଲାମ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ରହିସାରିଛନ୍ତି ଏବଂ ‘ସାବରକର-ହିନ୍ଦୁତ୍ୱ: ପୁରାଣ ଏବଂ ସତ୍ୟ’ ପୁସ୍ତକ ର ଲେଖକ ଅଟନ୍ତି। ଏହି ପୁସ୍ତକର ଇଂରାଜୀ ସଂସ୍କରଣର ନାମ ହେଉଛି ‘ସାବରକର ଅନମାସ୍କେଡ୍’। ସେ ଏଥିରେ କହିଛନ୍ତି ଯେ ପ୍ରଥମ ବର୍ଷରେ ସେଲୁଲାର ଜେଲକୁ ଯିବା ମାତ୍ରେ ସାବରକର ଦୟା ଆବେଦନ କରିଥିଲେ। ଏହା ପରେ ସେ ୧୯୧୩, ୧୯୧୪, ୧୯୧୮, ୧୯୨୦ ରେ ଦୟା ଆବେଦନ କରିଥିଲେ। ଇସଲାମ କୁହନ୍ତି, “ଦୟା ଆବେଦନ କରିବା ଅପରାଧ ନୁହେଁ। କଏଦୀମାନଙ୍କ ଅଭିଯୋଗ ପଞ୍ଜିକରଣ କରିବା ସେମାନଙ୍କର ଅଧିକାର। କିନ୍ତୁ ସାବରକରଙ୍କ କ୍ଷମା ପ୍ରାର୍ଥନା ଆଣ୍ଠୁରେ ରହିଛି। କଳାପାଣିରେ ଅନେକ ବିପ୍ଳବୀଙ୍କୁ ଫାଶୀ ଦିଆଯାଇଛି, କେତେକ ପାଗଳ ହୋଇଥିଲେ ଏବଂ କେହି କେହି ଆତ୍ମହତ୍ୟା କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି କ୍ଷମା ପ୍ରଥାନା କରି ନାହାଁନ୍ତି। “ଇସଲାମଙ୍କ ଅନୁଯାୟୀ, ସାବରକର, ଅରୋବିନ୍ଦ ଘୋଷଙ୍କ ଭାଇ ବରିନ୍ଦ୍ର ଘୋଷ, ହୃଷିକେଶ କାଞ୍ଜିଲାଲ ଏବଂ ଗୋପାଳଙ୍କ ସମେତ କେବଳ ଚାରିଜଣ କ୍ଷମା ପ୍ରାର୍ଥନା କରିଛନ୍ତି।ସେ କୁହନ୍ତି, “ହୃଷିକେଶ କାଞ୍ଜିଲାଲ ଏବଂ ଗୋପାଳଙ୍କ ପିଟିସନରେ କୁହାଯାଇଥିଲା ଯେ ସେମାନେ ରାଜନୈତିକ ବନ୍ଦୀ ଏବଂ ସେମାନଙ୍କୁ ଏପରି ବ୍ୟବହାର କରାଯିବା ଉଚିତ। ଏଗୁଡିକ ଯଥାର୍ଥ ଆବେଦନ ଥିଲା ଯାହାର ବୈଷୟିକ ନାମ ଦୟା ଆବେଦନ। କିନ୍ତୁ ସାବରକର ଏବଂ ବରିନ୍ଦ୍ର ଘୋଷଙ୍କ ଆବେଦନ ଲଜ୍ଜାଜନକ।” ଶ୍ୟାମସୁଲ ଇସଲାମଙ୍କ ଅନୁଯାୟୀ, ହିନ୍ଦୁ ମହାସଭାର ଏବଂ ଆରଏସଏସର ଅନେକ ଲୋକ ସାବରକରଙ୍କ ଜୀବନୀ ଲେଖିଛନ୍ତି, କିନ୍ତୁ ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ସେ ଏହି ଆବେଦନ କରିଥିବା କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ।ସେ କୁହନ୍ତି, ସବୁଠାରୁ ଲଜ୍ଜାଜନକ କ୍ଷମା ପ୍ରାର୍ଥନା ହେଉଛି ନଭେମ୍ବର ୧୪, ୧୯୧୩ ଏବଂ ଗାନ୍ଧିଜୀ ୧୯୧୫ ଶେଷରେ ଭାରତ ରାଜନୀତିରେ ପ୍ରବେଶ କରିଥିଲେ। ତେଣୁ ବୁଝିବା ଅତ୍ୟନ୍ତ ଜରୁରୀ ଯେ ଗାନ୍ଧୀ ଯାହା କହିଥଲେ ସେଥିପାଇଁ କ୍ଷମା ମାଗିବା କଥା ସମ୍ପୂର୍ଣ୍ଣ ଅର୍ଥହୀନ । “ଇସଲାମଙ୍କ ଅନୁଯାୟୀ ଗାନ୍ଧୀ ‘ୟଙ୍ଗ ଇଣ୍ଡିଆ’ରେ ସାବରକରଙ୍କ କ୍ଷମା ପ୍ରାର୍ଥନା ଉପରେ ଏକ ଆର୍ଟିକିଲ ଲେଖିଥିଲେ ଯେଉଁଥିରେ କୁହାଯାଇଛି ଯେ ସାବରକରଙ୍କ ପରି ଲୋକମାନେ ମଧ୍ୟ କ୍ଷମା ପ୍ରାର୍ଥନା କରି ନୈତିକ ଶକ୍ତି ହରାଇଛନ୍ତି। ଇସଲାମ ବିଶ୍ୱାସ କରନ୍ତି ଯେ ଏଭଳି ବିବାଦୀୟ ବିବୃତ୍ତି ଦେଇ କେବଳ ଗାନ୍ଧୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଉଛି। ସେ କୁହନ୍ତି, ଏହି ଲୋକମାନେ ଗାନ୍ଧୀଜୀଙ୍କୁ ନାଥୁରାମ ଗୋଡସେ ଏବଂ ସାବରକରଙ୍କ ସମକକ୍ଷ ଟାଣିବାକୁ ଚାହୁଁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: