ଆଗାମୀ ୫ ବର୍ଷରେ ଏତିକି ଯୁବକ-ଯୁବତୀଙ୍କ ଦକ୍ଷତା ବିକାଶ ହେବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟର ୧୫ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କରାଯିବ। ଦକ୍ଷତା ବିକାଶ ଜରିଆରେ ଆତ୍ମ ନିଯୁକ୍ତିକୁ ଅଗ୍ରାଧିକାର ଦେବାପାଇଁ ରାଜ୍ୟ ସରକାର ଆସନ୍ତା ୫ବର୍ଷରେ ବଜେଟ୍‍ରେ ୫୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହାଦ୍ୱାରା ବ୍ୟାପକ ସଂଖ୍ୟାରେ ଯୁବକ ଯୁବତୀଙ୍କ କୌଶଳ ବିକାଶ ପାଇଁ ଲକ୍ଷ୍ୟ ରହିଛି। ଏଭଳି କହିଛନ୍ତି ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା। ରାଜ୍ୟରେ ଶିଳ୍ପ ପ୍ରୋତ୍ସାହନ ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକ ଥିବାବେଳେ ଦକ୍ଷତା ବିକାଶ ଜରିଆରେ ଶିଳ୍ପସଂସ୍ଥାର ଆବଶ୍ୟକତା ପୂରଣ କରାଯାଇ ପାରିବ। ସ୍ଥାନୀୟ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‍ଡିଏ) ସଂସ୍ଥା ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଏଥିପାଇଁ ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି।

ତେବେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ଯୁବ ବର୍ଗଙ୍କୁ ଶିଳ୍ପସଂସ୍ଥାରେ କର୍ମସଂସ୍ଥାନ ଦେବାପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଅଧିକ ଶ୍ରମିକ ଆବଶ୍ୟକ କରୁଥିବା ଔଷଧ ଶିଳ୍ପ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦିର ଆବଶ୍ୟକତା ପୂରଣ ଲାଗି ଦକ୍ଷତା ବିକାଶ କରାଯିବ। ଅନୁରୂପ ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଇନଷ୍ଟିଟ୍ୟୁଟ ଅଫ୍‍ କେମିକାଲ ଟେକ୍ନୋଲୋଜି ବ୍ୟାପକ ସଂଖ୍ୟାରେ ଦକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ଯୋଜନା କରୁଥିବାବେଳେ ଏମାନେ ରାଜ୍ୟ ଭିତରୁ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କୁ ନେବାପାଇଁ ଆଶ୍ୱାସନା ଦେଇଛନ୍ତି। ଏହାଦ୍ୱାରା ରାଜ୍ୟ ବାହାରକୁ କର୍ମସଂସ୍ଥାନ ପାଇଁ ଯୁବକମାନଙ୍କ ପଳାୟନକୁ ରୋକାଯାଇ ପାରିବ।

Leave a Reply

Your email address will not be published. Required fields are marked *