ପ୍ରିଜମ୍ ନ୍ୟୁଜ ବ୍ୟୁରୋ:କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଚଳିତ ବର୍ଷର ‘ୟୁନିୟନ ହୋମ୍ ମିନିଷ୍ଟର୍ର୍ସ ସ୍ପେସାଲ୍ ଅପରେସନ୍ ମେଡାଲ୍’ ବିଜୟୀଙ୍କ ନାଁ ଘୋଷଣା କରିଛି। ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ ପୋଲିସ ଏବଂ କର୍ଣ୍ଣାଟକ ସମେତ ‘ଏନ୍ଆଇଏ’, ‘ସିଆଇଏସ୍ଏଫ୍’, ‘ଏନ୍ଡିଆର୍ଏଫ୍’ ଏବଂ ‘ଆଇଟିବିପି’ର ୩୯୦ରୁ ଅଧିକ କର୍ମଚାରୀଙ୍କୁ ପଦକ ନିମନ୍ତେ ଚୟନ କରାଯାଇଛି। ଆତଙ୍କବାଦ, ବର୍ଡର ଆକ୍ସନ୍, ଆର୍ମସ୍ କଣ୍ଟ୍ରୋଲ, ଡ୍ରଗ୍ ଚୋରାଚାଲାଣ ଏବଂ ଉଦ୍ଧାର ଅଭିଯାନ କ୍ଷେତ୍ରରେ ସ୍ୱତନ୍ତ୍ର ଅଭିଯାନ ନିମନ୍ତେ ନିରାପତ୍ତାବଳଙ୍କୁ ଏହି ପଦକ ପ୍ରଦାନ କରାଯାଏ। ଚଳିତ ବର୍ଷ ‘ଇଣ୍ଡୋ-ତିବ୍ବେତାନ ବର୍ଡର୍ ପୋଲିସ୍’ର (ଆଇଟିବିପି) ୨୬୦ଜଣ ଯବାନଙ୍କୁ ଏହି ପଦକ ପ୍ରଦାନ କରାଯାଇଛି। ପୂର୍ବ ଲଦାଖରେ ପ୍ରତିକୂଳ ବାତାବରଣରେ ‘ଅପରେସନ୍ ସ୍ନୋ ଲେପର୍ଡ’ ସମେତ କେତେଗୁଡ଼ିଏ ସ୍ୱତନ୍ତ୍ର ଅଭିଯାନ ପାଇଁ ‘ଜାତୀୟ ଏକତା ଦିବସ’ ଅବସରରେ ସେମାନଙ୍କୁ ଏହି ପଦକ ପ୍ରଦାନ କରାଯାଇଛି। ପଦକ ଗ୍ରହଣକାରୀଙ୍କ ମଧ୍ୟରେ ଅଛନ୍ତି, ‘ଆଇଟିବିପି’ ଉତ୍ତର ପଶ୍ଚିମ ସୀମାନ୍ତର ତତ୍କାଳୀନ ଆଇ.ଜି. ଦୀପମ୍ ସେଠ୍। ଚୀନ୍ ସହ ୧୦ମ ପର୍ଯ୍ୟାୟ ‘ସିନିୟର୍ ହାଇଏଷ୍ଟ୍ ମିଲିଟାରି କମାଣ୍ଡର୍’ସ୍ତରୀୟ ଆଲୋଚନାରେ ସେ ସଦସ୍ୟ ଥିଲେ। ସେମାନଙ୍କ ବ୍ୟତୀତ ବରିଷ୍ଠ ‘ଆଇପିଏସ୍’ ଅଧିକାରିଣୀ ସୋନିଆ ନାରଙ୍ଗଙ୍କ ସମେତ ‘ଏନ୍ଆଇଏ’ର ୧୬ଜଣ କର୍ମଚାରୀ ମଧ୍ୟ ଏହି ପଦକ ପାଇଛନ୍ତି।
0 Comments