ମଧୁବାବୁଙ୍କ ପରିକଳ୍ପିତ ଓଡ଼ିଶା; କେତେ ସ୍ବପ୍ନ କେତେ ବାସ୍ତବତା? ମତ ରଖିଲେ ବିଶ୍ଵ ସମୁଦାୟର ଓଡ଼ିଆ

ମଧୁବାବୁଙ୍କ ପରିକଳ୍ପିତ ଓଡ଼ିଶା; କେତେ ସ୍ବପ୍ନ କେତେ ବାସ୍ତବତା? ମତ ରଖିଲେ ବିଶ୍ଵ ସମୁଦାୟର ଓଡ଼ିଆ

ପ୍ରିଜମ ନ୍ୟୁଜ ବ୍ୟୁରୋ:ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ଅବସରରେ ବିଶ୍ବର ବିଭିନ୍ନ କୋଣରୁ କିଛି ସମର୍ପିତ ଓଡିଆ ବ୍ଯକ୍ତିତ୍ବ ଏକତ୍ର ହୋଇ କୁଳବୃଦ୍ଧଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ‘ମଧୁବାବୁଙ୍କ ପରିକଳ୍ପିତ ଓଡ଼ିଶା; କେତେ ସ୍ବପ୍ନ କେତେ ବାସ୍ତବତା’ ଶୀର୍ଷକ ଆଲୋଚନାରେ ଭାଗନେଇ ଏକ ସମୃଦ୍ଧ ଓଡ଼ିଶା ପାଇଁ ମଧୁବାବୁଙ୍କ ସ୍ବପ୍ନକୁ ସାକାର କରିବା ନିମିତ ସାମୁହିକ ପ୍ରୟାସ କରିବାକୁ ନିଜ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି| ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଓ ବିଶିଷ୍ଟ ଚିନ୍ତକ ଡଃ ଭଗବାନ ପ୍ରକାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଆଭାଷୀ ଆଲୋଚନାରେ ବିଶିଷ୍ଟ ଐତିହାସିକ ପ୍ରଫେସର ପ୍ରିତିଶ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ମଧୁବାବୁଙ୍କ କାର୍ଯ୍ୟ ଶୈଳୀର ବିଭିନ୍ନ ଦିଗ ଉପରେ ଆଲୋଚନା କରି କହିଥିଲେ ତାଙ୍କର ଦୁରଦର୍ଶିତା ଯୋଗୁଁ ଇଂରେଜ ସରକାରଙ୍କ ସମର୍ଥନରେ ଖଣ୍ଡବିଖଣ୍ଡିତ ଓଡିଆ ଭାଷୀ ଅଞ୍ଚଳକୁ ଏକତ୍ର କରି ଏକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପରିକଳ୍ପନା ଓ ତାକୁ ବାସ୍ତବାତରେ ରୂପାନ୍ତରିତ ହେବା ସମ୍ଭବ ହୋଇ ପାରିଥିଲା|

ବରେଣ୍ୟ ବକ୍ତା ଭାବରେ ଗାନ୍ଧୀ ଅନୁଗାମୀ ବିଶିଷ୍ଟ ସ୍ତମ୍ଭକାର ପ୍ରହଲ୍ଲାଦ ସିହ୍ନା ଯୋଗଦେଇ ମଧୁବାବୁଙ୍କର ଜୀବନ ଦର୍ଶନ କିପରି ମହାତ୍ମା ଗାନ୍ଧୀଙ୍କୁ ପ୍ରଭାବିତ କରିଥିଲା ତାହା ବର୍ଣ୍ଣନା କାରିବା ସହିତ ତାଙ୍କ ତ୍ୟାଗ ଓ ବଳୀଦାନର ପ୍ରତୀକ ସ୍ବତନ୍ତ୍ର ଓଡ଼ିଶାର ନାଗରିକମାନଙ୍କୁ ନିଜର ଦାୟିତ୍ବକୁ ହୃଦୟଙ୍ଗମ କରି ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିଜର ଭାଗୀଦାରୀ ଦେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ| ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରୁ ବିଶିଷ୍ଟ ଭାଷା ସୁରକ୍ଷା କର୍ମୀ କୁକୁ ଦାସ, ଭୁବନେଶ୍ବରରୁ ହେଲେପଜ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଭାରତୀ ଚକ୍ର, କୋରାପୁଟରୁ ଯୁବ ପୁଲିସ ଅଧିକାରୀ ତଥା ସାହିତ୍ୟିକ ଡଃ ଚନ୍ଦ୍ରଶେଖର ହୋତା, ବାଙ୍ଗାଲୁରରୁ ଯୁବ ସାହିତ୍ୟିକ ତାପସ ରାଜ, କଟକରୁ ପ୍ରଫେସର ନଟବର ଶତପଥି ପ୍ରମୁଖ ଯୋଗଦେଇ ଓଡିଆ ଭାଷାକୁ ଏବଂ ଓଡିଆ ମାଟିକୁ ପ୍ରତ୍ୟକ ଓଡିଆ ମଧୁବାବୁଙ୍କ ଭଳି ଭଲ ପାଇବ ସହିତ ଉତ୍କଳ ଗୌରବଙ୍କୁ କେବଳ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ସୀମିତ ନରଖି ପ୍ରତ୍ଯେକ ମୁହୂର୍ତରେ ସ୍ମରଣ କରିବା ଆମର ଧର୍ମ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ|

ଓଡିଆ ଜାତିର ଅନିଶ୍ଚିତ ଅତୀତରୁ ଏକ ସୁପରିକଳ୍ପିତ ଭବିଷ୍ୟତ ଆଡକୁ ଯାତ୍ରାର ସାରଥି ଉତ୍କଳ ଗୌରବଙ୍କୁ ଏ ଜାତି ଯେତିକି ସମ୍ମାନ ଦେବା କଥା ସେଥିରେ କାର୍ପଣ୍ୟତା ପ୍ରକାଶ ନକରିବାକୁ ଆବାହକ ଶ୍ରୀ ରାଉତ ଆହ୍ବାନ ଦେଇଥିବା ବେଳେ ରାଜ୍ୟର ସାମୁହିକ ବିକାଶରେ ନିଜର ଭାଗୀଦାରୀ ରଖିଲେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସଭାପତି ଡଃ ଭଗବାନ ପ୍ରକାଶ ନିଜର ମତ ରଖିଥିଲେ| ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଐତିହାସିକ ପ୍ରଫେସର ନିବେଦିତା ମହାନ୍ତି, ପ୍ରଶାସକ ପ୍ରଣବ ଦେ, କୃତିମ ବୌଦ୍ଧିକତା ବିଶେଷଜ୍ଞ ଅଞ୍ଜନ ପଣ୍ଡା, ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା, ପୀତାମ୍ବର ବାରିକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ପ୍ରେମଲତା ବାରିକ, ସ୍ନେହମୟୀ ଆଚାର୍ଯ୍ୟ, ଶିବାନୀ ଭଟ୍ଟାଚାର୍ଯ୍ୟ, ସିଦ୍ଧାନ୍ତ ପାତ୍ର, ସୁରେଶ ମଲ୍ଲିକ, ସୋମନାଥ ପରିଡା, ସନାତନ ଦାସ, ପ୍ରମୁଖ ଅନେକ ମାଟି ମନସ୍କ ବ୍ଯକ୍ତିତ୍ବ ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିଲେ| ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା କବୟତ୍ରୀ ମହାସ୍ମିତା ଓଝା ପ୍ରଦାନ କରିଥିବା ବେଳେ ନଗେନ୍ଦ୍ର ନାଥ ସ୍ବାଇଁ, ବସନ୍ତ ମଞ୍ଜରି ଦାସ ତଥା ଅନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ|

0 Comments

Leave Your Comment

Your email address will not be published. Required fields are marked *

%d bloggers like this: