ମହାମାରୀ ଓ ବିଦ୍ୟାର୍ଥୀଙ୍କ ପ୍ରଭାବିତ ଶିକ୍ଷା

କୋଭିଡ ପରେ ବନ୍ଦ ସ୍କୁଲ ଖୋଲିବା ପରେ ଆହୁରି ୧. ୧ କୋଟି ବାଳିକା ସ୍କୁଲ ଫେରିନାହାନ୍ତି

କୋଭିଡ ମହାମାରୀ ବ୍ୟାପିବା ପରେ ସଂକ୍ରମଣ ଭୟରେ ଶିକ୍ଷା ଅନୁଷ୍ଠାନ ଗୁଡିକୁ ବନ୍ଦ କରିଦିଆହେଲା l ପିଲାମାନଙ୍କ ପାଠପଢାରେ ବ୍ୟାଘାତକୁ ଦୃଷ୍ଟିକୁ ନେଇ ଅନଲାଇନ ପାଠପଢ଼ାର ନିଷ୍ପତ୍ତି ଅଭାବୀ ଓ ଗରିବ ମାନଙ୍କ ପାଇଁ ଚିନ୍ତାର ବିଷୟ ସାଜିଲା l କାରଣ କରୋନା ଯୋଗୁଁ ରୋଜଗାର ହରାଇଥିବା ଲୋକଙ୍କ ପାଇଁ ସ୍ମାର୍ଟଫୋନ ଟିଏ କିଣିବା ଏକ ଦୁରୂହ ବ୍ୟାପାର ଥିଲା l ଏପଟେ ପରିବାରର ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି ପିଲାମାନେ ମଧ୍ୟ ବାପାମାଆଙ୍କୁ ମୋବାଇଲ ଯୋଗେଇବା ପାଇଁ ଉଚିତ ମଣିଲେ ନାହିଁ l ଶେଷରେ ଉଧାର କରି, ଗହଣା ବନ୍ଧକ ରଖି, ଏପରିକି ନିଜ ରୋଜଗାର ର ମାଧ୍ୟମ ଯେପରିକି ଗାଈ, ମଇଁଷି, ଅଟୋ ବିକ୍ରି କରି ବାପାମାଆ ପିଲାଙ୍କୁ ସ୍ମାର୍ଟଫୋନ ଯୋଗାଇଦେଲେ l ମୋବାଇଲ ତ କିଣା ହୋଇଗଲା, ହେଲେ ମାସକୁ ମାସ ସେଥିରେ ରିଚାର୍ଜ କରିବା କିମ୍ବା ଇଣ୍ଟେର୍ନେଟର ସୁବିଧା ଯୋଗେଇବା ଆଉ ଏକ ସମସ୍ୟା ପାଲଟିଗଲା l ସମସ୍ୟା ଏଥିରେ ବି ସରିଲା ନାହିଁ, ପିଲାମାନେ ସିଗନାଲ ଟିକେ ପାଇଁ ପାହାଡ଼, ଗଛ ଚଢ଼ି ଦୁର୍ଘଟଣାର ଶିକାର ହେଲେ l ଏହିପରି ନାନା ଅସୁବିଧା ଦେଇ ଗତି କରି ଦୁଇ ବର୍ଷ ସମୟ କଟିଗଲା, କହିବା ବାହୁଲ୍ୟ ପିଲାମାନେ ପାଠପଢା ପ୍ରତି ଅମନଯୋଗୀ ହେଲେ l ପରିଣାମ, ଧୀରେ ଧୀରେ ସେମାନେ ଆଉ ବିଦ୍ୟାଳୟ ଯିବାକୁ ଆଉ ରାଜି ହଉନାହାନ୍ତି l ବିଶେଷ କରି ଝିଅ ମାନଙ୍କ ପାଠପଢା ବେଶୀ ପ୍ରଭାବିତ ହୋଇଛି, ଏପରିକି ଅନେକ ବାଳିକାଙ୍କ ପାଠପଢ଼ାରେ ସବୁଦିନ ପାଇଁ ଡୋରୀ ବନ୍ଧା ହୋଇଯାଇଛିl

ତଥ୍ୟ ରହିଛି ଯେ ସାରା ବିଶ୍ୱରେ କୋଭିଡ ମହାମାରୀ ପୂର୍ବରୁ ପ୍ରାୟ ୧୩ କୋଟି ବାଳିକା ବିଦ୍ୟାଳୟ ପାଠପଢା ବ୍ୟବସ୍ଥା ବାହାରେ ଥିଲେ, କୋଭିଡ ପରେ ବନ୍ଦ ସ୍କୁଲ ଖୋଲିବା ପରେ ଆହୁରି ୧. ୧ କୋଟି ବାଳିକା ସ୍କୁଲ ଫେରିନାହାନ୍ତି l ଏତେସଂଖ୍ୟକ ବାଳିକା ସ୍କୁଲ ଆସିବା ବନ୍ଦ କଲେ ଶିକ୍ଷା କ୍ଷେତ୍ରରେ ଆସୁଥିବା ପ୍ରଗତିରେ ରୋକ ଲାଗିବା ସୁନିଶ୍ଚିତ l କୋଭିଡ ସମୟରେ ବିଦ୍ୟାଳୟ ବନ୍ଦ ଯୋଗୁଁ ପାଖାପାଖି ୩୨ କୋଟି ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ବେଳେ ସେଥିରେ ୧୫. ୮ କୋଟି ସଂଖ୍ୟକ କେବଳ ଛାତ୍ରୀ ଅଟନ୍ତି l ଏହା ପଛରେ ଲିଙ୍ଗଗତ ଭେଦଭାବକୁ ମଧ୍ୟ ଦାୟୀ କରାଯାଇପାରେ l ଏବେ ବି ଆମ ସମାଜରେ ପୁଅ ଓ ଝିଅଙ୍କ ଭିତରେ ପୁଅ ମାନଙ୍କୁ ଅଧିକ ପ୍ରାଥମିକତା ଦିଆଯାଉଛି l ଉଦାହରଣ ସ୍ୱରୂପ ଗୋଟିଏ ଗରିବ ପରିବାରରୁ ଉଭୟ ପୁଅ ଓ ଝିଅ ପାଠ ପଢୁଥିଲେ, ପୁଅକୁ ସ୍ମାର୍ଟଫୋନ ବ୍ୟବହାର କରିବା ପାଇଁ ପ୍ରଥମେ ସୁଯୋଗ ଦିଆଯାଉଛି l

ରୋଜଗାର ହରେଇଥିବା ପରିବାର ଗୁଡ଼ିକ ନିଜର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ଝିଅ ମାନଙ୍କୁ ଘରୋଇ କାର୍ଯ୍ୟ, ଭାଇଭଉଣୀଙ୍କ ଯତ୍ନ ନେବା ଭଳି କାମରେ ନିୟୋଜିତ କରୁଥିବା ବେଳେ ପୁଅ ମାନଙ୍କୁ ମଜୁରୀ, ଛୋଟମୋଟ ବ୍ୟବସାୟ କରି ପଇସା ରୋଜଗାର ପାଇଁ ପ୍ରବର୍ତ୍ତାଉଛନ୍ତି l ଗୋଟିଏ ପଟେ ପିଲାଙ୍କ ପାଠପଢା ଜନିତ ଖର୍ଚ୍ଚ ବହନ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ ; ଅନ୍ୟ ପଟେ ପିଲାଙ୍କ ଦ୍ୱାରା ଅର୍ଜିତ ଧନ ଘର ଚଲେଇବାରେ ସହାୟକ ହେଉଛି l ସୁତରାଂ ମଝିରୁ ପାଠ ଛାଡିବାରେ ପରିବାର ଜନଙ୍କୁ କିଛି କ୍ଷତି ହୋଇଛି ଭଳି ଅନୁଭବ ହଉନାହିଁ l ମାତ୍ର ମଝିରୁ ପାଠପଢା ବନ୍ଦ କରିବାର କୁପ୍ରଭାବ ଭବିଷ୍ୟତରେ ଯେ ଅନେକ କ୍ଷତି ପହଞ୍ଚେଇବ, ତାହା ସେମାନେ ଜାଣିପାରୁନାହାନ୍ତି l ଯାହା ଆଗକୁ ସମାଜ, ରାଜ୍ୟ ଓ ଦେଶର ଉନ୍ନତିରେ ବାଧକ ସାଜିବ l ଦେଖାଯାଇଛି ଯେ ଶିକ୍ଷାଦାନ କ୍ଷେତ୍ରରେ କରାଯାଉଥିବା ଅବହେଳା ଯୋଗୁଁ ଅନେକ ଦେଶର ଅର୍ଥନୀତିକୁ ବିରାଟ କ୍ଷତି ସହିବାକୁ ପଡିଛି l ଏଣୁ ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି ହେବାକୁ ଯାଉଛି l

ପିଲାମାନେ ବିଦ୍ୟାଳୟକୁ ନ ଫେରିବା ଦ୍ୱାରା ଅନେକ ସାମାଜିକ ସମସ୍ୟା ଓ ଅପରାଧ ଦେଖାଯିବାର ସମ୍ଭାବନା ରହିଛି l ଦିନ ମଜୁରିଆ ଭାବେ କାମ କରିବା କିମ୍ବା କେଉଁଠି ୧୮ ବର୍ଷ ପୂର୍ବରୁ ପଇସା ରୋଜଗାର କରିବା, ସମାଜରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି କରିବ l ବାଳିକା ମାନେ ଘରେ ବସି ରହିଲେ ଯୌନ ଶୋଷଣ ଓ ହିଂସାର ଶିକାର ହେବେ l ମହିଳା ଚାଲାଣ, କୁଆଁରୀ ମାତୃତ୍ୱ, ଦେହ ବ୍ୟବସାୟ ଭଳି ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବ l ଅଭିଭାବକ ମାନେ ବିବାହ ବୟସ ପୂର୍ବରୁ ଝିଅମାନଙ୍କୁ ବିବାହ ପାଇଁ ବାଧ୍ୟ କରିବେ, ଯାହା ସରକାର ଙ୍କ ବିବାହ ବୟସ ବୃଦ୍ଧିର ମୂଳ ଲକ୍ଷ୍ୟକୁ ପୂରଣ ହେବାକୁ ଦେବ ନାହିଁl

ଏଣୁ ପିଲାମାନଙ୍କୁ ଯଥାଶୀଘ୍ର ସ୍କୁଲକୁ ଫେରାଇ ଆଣିବା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ମାନଙ୍କୁ ଚେଷ୍ଟା କରିବାକୁ ହେବ l ଏହା ପାଇଁ ସର୍ବପ୍ରଥମେ ଗଣନା କରିବାର ଆବଶ୍ୟକତା ରହିଛି ଯେ, କେତେ ପିଲା ବିଦ୍ୟାଳୟକୁ ଆସିବା ବନ୍ଦ କରିଦେଇଛନ୍ତି l ସେମାନଙ୍କୁ ଠାବ କରି ପୁଣି ଥରେ ଫେରାଇ ଆଣିବା ଏତେ ସହଜ ହୋଇ ନ ପାରେ l ତଥାପି ଜନ ସଚେତନତା କାର୍ଯ୍ୟକ୍ରମ ଏବଂ ଅଭିଭାବକ ମାନଙ୍କୁ ବୁଝେଇ ପିଲାଙ୍କୁ ପୁଣିଥରେ ସ୍କୁଲକୁ ଆଣିବା ସମ୍ଭବ ହୋଇପାରିବ l ଏଥିରେ ସମାଜସେବୀ ଏବଂ ବିଭିନ୍ନ ଅନୁଷ୍ଠାନର ସାହାଯ୍ୟ ମଧ୍ୟ ନିଆଯାଇପାରେ l

ଜୀବନରେ ଶିକ୍ଷାର ମହତ୍ୱ ବିଷୟରେ ପିଲାଙ୍କର ଏବଂ ଅଭିଭାବକ ମାନଙ୍କର ଧାରଣା ରହିଲେ, ସେମାନେ ପିଲାଙ୍କୁ ମଝିରୁ ପାଠ ଛାଡିବା, ସ୍କୁଲ ନ ଯାଇ ଘରେ ବସିବାରୁ ନିବୃତ୍ତ କରିବେ l ଏହା ପାଇଁ ଜନସାଧାରଣଙ୍କ ସହିତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି l

🔸 ଶ୍ରୁତକୀର୍ତ୍ତି ତ୍ରୀପାଠୀ 🔸
ଫୋନ – 6370516478
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର

Leave a Reply

Your email address will not be published.