୧୦ରୁ ସାବାଳକଙ୍କୁ ବୁଷ୍ଟର ଡୋଜ୍

୧୦ରୁ ସାବାଳକଙ୍କୁ ବୁଷ୍ଟର ଡୋଜ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ସାବାଳକଙ୍କୁ ମିଳିବ ବୁଷ୍ଟର ଡୋଜ। ୧୦ ତାରିଖରୁ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏହା ଘୋଷଣା କରାଯାଇଛି। କେବଳ ଘରୋଇ ଟିକା କେନ୍ଦ୍ରରେ ଏହି ଡୋଜ୍ ଯୋଗାଇ ଦିଅାଯିବ। ସ୍ବାସ୍ଥ୍ୟ କର୍ମଚାରୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଯେପରି ମାଗଣାରେ ତୃତୀୟ ଡୋଜ୍ ମିଳୁଛି, ଅନ୍ୟମାନଙ୍କ ଲାଗି ତାହା ଉପଲବ୍ଧ ହେବ ନାହିଁ । ସେମାନଙ୍କୁ ଟଙ୍କା ଦେଇ ଟିକା ନେବାକୁ ପଡ଼ିବ। ଅନ୍ୟପକ୍ଷରେ ସରକାରୀ ଟିକାକେନ୍ଦ୍ରଗୁଡ଼ିକରେ କୋଭିଡ୍ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଏବଂ ସ୍ବାସ୍ଥ୍ୟ କର୍ମଚାରୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱଙ୍କ ଲାଗି ପ୍ରିକଶନ ଡୋଜ୍ ପୂର୍ବଭଳି ମାଗଣାରେ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ପରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯେକୌଣସି ବ୍ୟକ୍ତି ପ୍ରିକଶନ ବା ବୁଷ୍ଟର ଡୋଜ୍ ନେବାକୁ ଯୋଗ୍ୟ ବିବେଚିତ ହେବେ । କୋଭିଡ୍-୧୯ ସଂକ୍ରମଣରୁ ଅତିରିକ୍ତ ସୁରକ୍ଷା ଲାଗି ଏହି ଡୋଜ୍ ଘରୋଇ ହସ୍ପିଟାଲଗୁଡ଼ିକରେ ଯୋଗାଇ ଦିଅାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟୁଇଟ୍ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ ବର୍ଷରୁ ଊର୍ଦ୍ଧ୍ୱ ଦେଶର ୯୬ ପ୍ରତିଶତ କୋଭିଡ୍ ଟିକାର ଅନ୍ୟୁନ ଗୋଟିଏ ଡୋଜ୍ ନେଇସାରିଥିବା ବେଳେ ୮୩ ପ୍ରତିଶତ ଉଭୟ ଡୋଜ୍ ନେଇଛନ୍ତି। ୨.୪ କୋଟିରୁ ଅଧତ୍କ ପ୍ରିକଶନ ଡୋଜ୍ ସ୍ବାସ୍ଥ୍ୟ କର୍ମଚାରୀ, ଅାଗଧାଡ଼ିର କର୍ମୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ଦିଅାସରିଲାଣି। ସେହିପରି ୪୫ ପ୍ରତିଶତ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲା ମଧ୍ୟ ପ୍ରଥମ ଡୋଜ୍ ଟିକା ନେଲେଣି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: