ପ୍ରିଜମ ନ୍ୟୁଜ ବ୍ୟୁରୋ:ଭୁବନେଶ୍ୱର ପ୍ରେସ ଛକରେ ଯୁବକଙ୍କୁ ଛୁରା ମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମ ମିଲୁ ଓ ସତ୍ୟ ବୋଲି ଜଣାପଡିଛି । ମିଲୁର ଘର ଯାଜପୁର ହୋଇଥିବା ବେଳେ ସତ୍ୟର ଘର ଭଦ୍ରକରେ।ଖବର ଅନୁଯାୟୀ, ଉଭୟେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଭଡା ଘରେ ରହୁଥିବା ବେଳେ ଗୋଟିଏ ବାଇକ୍ ସୋରୁମରେ କାମ କରୁଥିବା ସାଙ୍ଗ ପାଖକୁ ଆସିଥିଲେ । ସେଠାରେ ଗାଡକଣର କିଛି ଯୁବକଙ୍କ ସହ ତାଙ୍କ ବଚସା ହୋଇଥିଲା । କେକ୍ ଖାଇବାକୁ ନେଇ ପ୍ରଥମେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ସେହି ସମୟରେ ମିଲୁ ଓ ସତ୍ୟ ଦୁଇଜଣଙ୍କୁ ଛୁରା ମାଡ଼ କରି ଫେରାର୍ ହୋଇଯାଇଥିଲେ। ଛୁରାମାଡରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଦୁଇ ଜଣ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକର ଘର ଗାଡକଣ ଗାଁ ରେ ହୋଇଥିବା ବେଳେ ତାର ନାମ ଚିଣ୍ଟୁ। ଏବେ ପୋଲିସ ଘଟଣା ସହ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରଥମେ ଦୁଇ ଅଭିଯୁକ୍ତଙ୍କ ସହ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିଲା ସେମାନଙ୍କ ମଧ୍ୟରୁ ଜଣଙ୍କୁ ସାକ୍ଷୀ କରି ଅନ୍ୟ ଦୁଇଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ପ୍ରେସ ଛକ ନିକଟରେ ଏହି ଘଟଣା ଘଟିଥିଲା। ଘଟଣା ବିଷୟରେ ଅଧିକ ତଦନ୍ତ କରୁଛି କମିଶନରେଟ ପୋଲିସ।
0 Comments