ବିଶିଷ୍ଟ କବି ଡ. ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ କବି ଡ. ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ପରଲୋକ

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ବିଶିଷ୍ଟ କବି, ସମାଲୋଚକ, ସମ୍ପାଦକ ଏବଂ ଶିକ୍ଷାବିତ୍‌ ଡ. ହରପ୍ରସାଦ ପରିଛା ପଟନାୟକଙ୍କ ବୁଧବାର ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମାସେ ତଳେ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ଏହାପରେ ସେ ପାରାଲିସିସ୍‌ରେ ଥିବା ବେଳେ ଧୀରେ ଧୀରେ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବକୁ ଲାଗିଥିଲା। ସେବେଠାରୁ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ। କିଛିଦିନ ହେବ ଭେଣ୍ଟିଲେଟରରେ ଥିବା ବେଳେ ବୁଧବାର ଅପରାହ୍ନ ୩ଟା ୪୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଡ. ପରିଛାଙ୍କ ମୃତ୍ୟୁରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଶୋକପ୍ରକାଶ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ଓଡ଼ିଆ ସାହିତ୍ୟରେ ହରପ୍ରସାଦ ନିଜର କୃତି ଓ କୀର୍ତ୍ତି ପାଇଁ ଚିର ଅମର ରହିବେ। ଶୋକସନ୍ତପ୍ତ ପରିବାର ଓ ଆତ୍ମୀୟ ସ୍ବଜନଙ୍କୁ ରାଜ୍ୟପାଳ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବିଶିଷ୍ଟ ସାରସ୍ବତ ସାଧକ ହରପ୍ରସାଦ ପରିଛା ପଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତି୍ୟକ, ଅନୁବାଦକ, ଶିକ୍ଷାବିତ ତଥା ସମ୍ପାଦକ ଭାବେ ବିଭିନ୍ନ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ‘ଏକା ଏକା ସନ୍ନ୍ୟାସୀ’, ‘ଅଥୟ ସୂର୍ଯ୍ୟ’, ‘ଜୀବନଜଂଘା’, ‘ଆୟୁଷ୍ମାନ ସମୟ’, ‘ସବୁ ଅନ୍ଧାର ଆଜି ରାତିରେ’, ‘ଅରଣ୍ୟରେ ଯେତେ ଦିନ’, ‘ନଷ୍ଟ ହୋଇଯିବାର ମୋହ’, ‘ମନେ ଅଛି ମନେ ନାହିଁ’ ଭଳି ଏକାଧିକ କବିତା ସଂକଳନର ସେ ରଚୟିତା ଥିଲେ। ଏହା ବ୍ୟତୀତ ଅନୁବାଦ, ଗବେଷଣା ଓ ସମ୍ପାଦନାରେ ତାଙ୍କର ଦକ୍ଷତା ରହିଥିଲା। ସେ ଇଂରାଜୀ ଦୈନିକ ‘ସନ୍‌ଟାଇମସ୍‌’ ‘ପ୍ରୋବିଟାସ୍‌’ ଓ ‘ଭର୍ଟେକ୍ସ’ ସମେତ ଓଡ଼ିଆର ‘ଆବର୍ତ୍ତ’ ଇତ୍ୟାଦି ପତ୍ରିକାର ସମ୍ପାଦନା କରିଥିଲେ। ଗ୍ରୀକ୍‌ କବିତାର ଓଡ଼ିଆ ଅନୁବାଦ ସାଙ୍ଗକୁ ସେ ବିଶିଷ୍ଟ କବି ଓ ଗାଳ୍ପିକମାନଙ୍କର ଗଳ୍ପ ଓ କବିତାର ଚମତ୍କାର ଅନୁବାଦ କରିଥିଲେ। ‘ନଷ୍ଟ ହୋଇଯିବାର ମୋହ’ କବିତା ସଙ୍କଳନ ପାଇଁ ତାଙ୍କୁ ୨୦୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ଗଙ୍ଗାଧର ରଥ ଫାଉଣ୍ଡେସନ୍‌, ସାରଳା ସାହିତ୍ୟ ସଂସଦ ଓ ଉତ୍କଳ ସାହିତ୍ୟ ସମାଜ ପରି ବହୁ ଅନୁଷ୍ଠାନଗୁଡ଼ିକ ଦ୍ୱାରା ନିଜ ସାରସ୍ବତ ସାଧନା ପାଇଁ ସମ୍ମାନିତ ହୋଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: