ମହିଳା ଆଉ ବିଦ୍ୱେଷ

ପରଂବ୍ରହ୍ମ ତ୍ରିପାଠୀ

ପ୍ରିଜମ ନ୍ୟୁଜ ବ୍ୟୁରୋ :କଥାଟିକୁ ଦୁଇ ବର୍ଷ ପୁରିଲାଣି, ହେଲେ ଆଜି ଯାଏ ସେଇ କଥାକୁ ଉଖାରି ଚାଲିଛନ୍ତି ଶାଶୁ ଆଉ ପ୍ରତିଥର ପ୍ରଭାତୀକୁ ଚେତେଇ ଦେଉଛନ୍ତି ଯେ ସେ କେତେବଡ଼ ଭୁଲ ନକଲା। ନିଜ ବାପାଙ୍କ ଅପେକ୍ଷା ପ୍ରଭାତୀ ଅଧିକ ସ୍ନେହ ମମତା ପାଇଥିଲା ବଡ଼ବାପାଙ୍କ ଠାରୁ। ବଡବାପା ଓ ବଡ଼ବୋଉ ହିଁ ତାର କନ୍ୟାଦାନ କରିଥିଲେ। ପ୍ରଥମ ଲହର ସମୟରେ ଆରପାରିକୁ ଚାଲିଗଲେ ବଡବାପା। ସାବିତ୍ରୀ ଅମାବାସ୍ୟା ଦିନ ବଡ଼ବାପାଙ୍କ ଶୁଦ୍ଧିଘର। ପ୍ରଭାତୀ ଦିନଟି ଓପାସ ରହିଛି, କିନ୍ତୁ ବଡବାପାଙ୍କୁ ଶେଷ ସମ୍ମାନ ଜଣେଇବାକୁ ଯାଇ ପରମ୍ପରା ଅନୁସାରେ ଶୁଦ୍ଧି ବି ହୋଇଛି, ନଖ ବି କାଟିଛି। ଶାଶୁଙ୍କ କଣ୍ଟା ଅଟକିଛି ସାବିତ୍ରୀ ଅମବାସ୍ୟାରେ ପ୍ରଭାତୀର ନଖ କଟେଇବା ପାଖରେ, ଏଥିରେ କୁଆଡେ ତାଙ୍କ ଏକମାତ୍ର ପୁଅର ଆୟୁଷ କମିଯିବ। ଦୁଇ ବର୍ଷ ପରେ ବି କଥା କଥାରେ ସେଦିନର କଥାକୁ ନେଇ ଖୁଣ୍ଟା ଦେବାକୁ ଶାଶୁ ଭୁଲନ୍ତି ନାହିଁ, ଯଦିଓ ସେ ଜାଣନ୍ତି ପ୍ରଭାତୀ ଓ ତାଙ୍କ ପୁଅ ଉଭୟଙ୍କ ଶିକ୍ଷାଗତ ଯୋଗ୍ୟତା, ଚାକିରୀ ଓ ରୋଜଗାରରେ କୌଣସି ଅନ୍ତର ନାହିଁ। ଏବଂ ନିଜର ସମସ୍ତ ପେଶାଦାର ବ୍ୟସ୍ତତା ଭିତରେ ବି ପ୍ରଭାତୀ ଭଲ ବୋହୁଟିଏ ହେବାକୁ କୌଣସି ଚେଷ୍ଟାରେ କିଛି କମ କରି ନାହିଁ।

ପ୍ରସଙ୍ଗକୁ ଆସିବା ପୂର୍ବରୁ ଆଉ କିଛି ଆଉ କିଛି ଛୋଟ ଉଦାହରଣ। ଏହା ଆପଣଙ୍କୁ ପ୍ରସଙ୍ଗଟିକୁ ଟିକେ ଗମ୍ଭୀର୍ଯ୍ୟର ସହ ବୁଝିବାରେ ସହାୟକ ହେବ। ଆପଣଙ୍କ ଝିଅ ଆମର ପସନ୍ଦ ଯେ ବାହାଘର ପରେ ଅଫିସ ଯାଇ ତାର କାମ କରିବା କଣ ଦାଣ୍ଡ ସୁନ୍ଦର କଥା ହେବ? ପାଠ ଦିଅକ୍ଷର ପଢ଼ିଛି ବୋଲି ବୋହୁ କଣ ଇନ୍ଦ୍ରଚନ୍ଦ୍ର ମାନୁଛି, କଥା କଥାରେ ପରା ଜବାବ! ଠିକ ଅଛି ଚାକିରୀ କଲା, ତା ବୋଲି କଣ ଘରକୁ ଫେରିଲା ପରେ ଠିକ ସମୟରେ ରୁଟି ଦିପଟ କରି ପାରିବନି? ତାହାଲେ ମୋ ପୁଅ ବାହା ହେଇଥିଲା କାହିଁକି? ସେ ନିମିତ୍ତ ମାତ୍ର, ମହିଳା ସଂରକ୍ଷଣ ହେଇଗଲା ବୋଲି ତାକୁ ଠିଆ କରିଛୁ, ଭୋଟ ପରେ ସବୁ କଥା ମୁଁ ହିଁ ବୁଝିବି। କିମ୍ଵା, ବୋଉ ତୁ ଚୁପ କଲୁ, ତୁ ବାହାର କଥା ବିଷୟରେ କଣ ଜାଣିଛୁ ଯେ ଗପୁଛୁ କହିଲୁ? ଏଭଳି ଶହ ଶହ ଉଦାହରଣ ଆମେ ଦେଖିଥିବା, ଅଙ୍ଗେ ନିଭେଇଥିବା କିମ୍ବା ଜାଣତ ଅଜାଣତରେ ତାର ପକ୍ଷଭୁକ୍ତ ବି ହୋଇ ଥିବା।

୨୦୨୦ ମସିହାରେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ(ୟୁଏନଡ଼ିପି) ପକ୍ଷରୁ ବିଶ୍ୱର ୭୫ଟି ବଡ଼ ଦେଶରେ ମହିଳା ବିଦ୍ୱେଷ ମନୋଭାବକୁ ନେଇ ସର୍ବେକ୍ଷଣଟିଏ ହୋଇଥିଲା। ଏହି ବଡ଼ ଦେଶମାନଙ୍କରେ ବିଶ୍ୱ ଜନସଂଖ୍ୟାର ୮୦ ଭାଗ ଲୋକ ବାସ କରନ୍ତି। ସର୍ବେକ୍ଷଣର ନିଷ୍କର୍ଷ ଅନୁଯାୟୀ, ପାଖାପାଖି ୯୭ ପ୍ରତିଶତ ମଣିଷ(ଉଭୟ ପୁରୁଷ ଓ ମହିଳା) କୌଣସି ନା କୌଣସି ପ୍ରସଙ୍ଗରେ ମହିଳା ବିଦ୍ୱେଷ ମନୋଭାବ ରଖନ୍ତି। ବିଦ୍ୱେଷର କାରଣ ଶାରୀରିକ ଗଠନ ଠାରୁ ନେଇ ଅର୍ଥନୈତିକ ସ୍ୱାଧୀନତା, ରାଜନୀତିରେ ମହିଳାଙ୍କ ସ୍ଥାନ, ମହିଳାଙ୍କ ପାଇଁ ଶିକ୍ଷା ଇତ୍ୟାଦି ଇତ୍ୟାଦି ପ୍ରସଙ୍ଗ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହି ସର୍ବେକ୍ଷଣ ଅନୁସାରେ ଜନସଂଖ୍ୟାର ମୋଟ ୩୦ ପ୍ରତିଶତ ଲୋକ(ଉଭୟ ପୁରୁଷ ଓ ମହିଳା) ପତି ପତ୍ନୀକୁ ମାଡ଼ ମାରିବା ଯଥାର୍ଥ ବୋଲି ଭାବନ୍ତି। କେମିତି ଆସିବ ଏ ଅବସ୍ଥାରେ ପରିବର୍ତ୍ତନ? କେମିତି ହେବ ପରପିଢ଼ିର ମାନସିକତା ଓ ବ୍ୟବହାରିକ ପରିବର୍ତ୍ତନ? ପରିବାରରୁ ଆରମ୍ଭ ନହେଲେ କଣ ଏହା ସମ୍ଭବ?

ମହିଳାଙ୍କ ପ୍ରତି ଆପଣଙ୍କ ଆଚରଣ ଅନେକ ସମୟରେ ଆପଣଙ୍କ ନିଜ ପରିବାରରେ ମହିଳାଙ୍କ ସ୍ଥାନ, ଗୁରୁତ୍ୱ ଓ ପାରିବାରିକ ନିଷ୍ପତ୍ତି ନେବା ସମୟରେ ମହିଳାଙ୍କ ଭୂମିକା ଆଦି ଜିନିଷର ପରିଚାୟକ। ଉଭୟ ଲିଙ୍ଗଗତ ବୈଷମ୍ୟ ଓ ସମାନତାର ଏନ୍ତୁଡ଼ିଶାଳ ହେଉଛି ପରିବାର। ଯାହା ଓ ଯେମିତି ଦେଖନ୍ତି, ଯେଉଁ ପରିବେଶରେ ଆପଣ ବଡ଼ ହୁଅନ୍ତି, ଆପଣ ଧୀରେ ଧୀରେ ସେମିତି ହୋଇ ଯାଆନ୍ତି। ଆମକୁ ସ୍ଥୂଳ ଦୃଷ୍ଟିରେ ଅନେକ ଅସମାନତା ଜଣା ପଡେ ନାହିଁ, ଜଣା ପଡିଲେ ବି ସେତିକି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ ନାହିଁ। ଆଉ ଏହି ସ୍ଥୂଳଦୃଷ୍ଟି ପ୍ରଚକ୍ଷୁର ଆଢୁଆଳରେ ଦୃଶ୍ୟମାନ ହେଉନଥିବା ସୂକ୍ଷ୍ମ ଅସମାନତା ଗୁଡିକ କେବେ ବଡ଼ ବୈଷମ୍ୟରେ ରୂପାନ୍ତରିତ ହେଇଯାଏ ଜଣାପଡେ ନାହିଁ।

ବୈଷମ୍ୟକୁ ନେଇ ଆମ ଉଚ୍ଚାରଣ ଓ ଆଚରଣ ଭିତରେ ଥିବା ପ୍ରଭେଦ ବି ଅନେକ ସମୟରେ ପରିବାର ଭିତରେ ପର ପିଢୀକୁ ସମାନତାର ସଂଚରଣରେ ବ୍ୟାଘାତ ସୃଷ୍ଟି କରେ। ଉଦାହରଣ ସ୍ୱରୂପ ଆମେ ନିଜ ଝିଅ ପାଇଁ ତା ଶାଶୁଘରେ ଯେଉଁ ପ୍ରକାର ସମାନତା ଆଶା କରୁ ବା ଦାବୀ କରୁ, ଅନେକ ସମୟରେ ଆମ ଘରକୁ ବୋହୁ ହୋଇ ଆସିଥିବା ଝିଅଟିକୁ ତାର କାଣିଚାଏ ଦେବା ପାଇଁ ବି କୁଣ୍ଠିତ ହେଉ। ଏଥିରୁ ପରିବାର ଭିତରର ଛୋଟ ପିଲାଟିଏ ଶିଖେ କଣ? ସମାନତାର ମାନେ ସମାନତା, ଏହା ଏକ ଆପେକ୍ଷିକ ଶବ୍ଦ ନୁହେଁ। ମାତ୍ର ଆମ ଆଚରଣ ଓ ଉଚ୍ଚାରଣ ଭିତରେ ଥିବା ପ୍ରଭେଦ ତାକୁ ଆପେକ୍ଷିକ କରିଦିଏ। ଏଭଳି ପରିସ୍ଥିତିରେ ବଡ଼ ହେଉଥିବା ପିଲା ବା ପିଢି ସମାନତାକୁ ତା ଇଚ୍ଛାଧୀନ ବ୍ୟାପାର ହିସାବରେ ନିଏ। ତାକୁ ଯେଉଁଠି ସୁହାଏ ସେ ସମାନତା ଦେଖାଏ କିମ୍ବା ସେବିଷୟରେ ଭାଷଣ ଦିଏ। ଯେଉଁଠି ସୁହାଇ ନଥାଏ ସେଠି ସେ ସମାନତା ବିରୁଦ୍ଧରେ ଅନେକ ଯୁକ୍ତି ବାଢେ ଯେମିତିକି ଏଇଟି ଆମ ସଂସ୍କୃତିର ଅଙ୍ଗ, ଆମ ଓଡ଼ିଆ/ଭାରତୀୟ ପରିବାରରେ ଏମିତି ହୁଏନି କିମ୍ବା ମୋ ବୋଉ/ଜେଜେମା ତ ପୁଣି ଏସବୁ ଭିତରେ ଖୁସିରେ ଥିଲେ ଇତ୍ୟାଦି ଇତ୍ୟାଦି। ଆଉ ଏପ୍ରକାର ଆପେକ୍ଷିକ ସଂଚରଣ ଲାଗି ହିଁ ଝିଅଟିଏ ସିଗାରେଟ ଟାଣୁଥିଲେ, କି ଚିପା/କଟା ଜିନ୍ସଟିଏ ପିନ୍ଧିଥିଲେ ଆମ ଭିତରୁ ଅନେକ ଆଶ୍ଚର୍ଯ୍ୟରେ ଆଖି ଫାଡ଼ି ଚାହାନ୍ତି କିନ୍ତୁ ରାଜରାସ୍ତାରେ ମହିଳାଟିଏ ଧର୍ଷିତା ହେଉଥିଲେ, ଅତ୍ୟାଚାରିତା ହେଉଥିଲେ ଆମେ ନିଜର ଆଖି ବନ୍ଦ କରି ଦିଅନ୍ତି କିମ୍ବା ମଜା ନେବା ପାଇଁ ଦୃଶ୍ୟର ଭିଡିଓ ତୋଳନ୍ତି।

ସମାନତା ବିରୋଧୀ ମନୋଭାବ ଏକ ଲିଙ୍ଗ ନିରପେକ୍ଷ ମାନସିକତା। ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ପୁରୁଷଙ୍କ ଅପେକ୍ଷା ଅଧିକ ପୁରୁଷତୈନ୍ତ୍ରିକ। ସେମାନଙ୍କ ଠାରୁ ଗଣତିରେ ଟିକେ କମ ହେଲେ ବି ଅନେକ ପୁରୁଷ ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଜୀବନରେ ତଥାକଥିତ ନାରୀବାଦୀଙ୍କ ଅପେକ୍ଷା ଅଧିକ ନାରୀ ସମାନତାର ନଜିର ଛାଡି ଯାଇଛନ୍ତି।

ପରିବାରରୁ ଆରମ୍ଭ ନହେଲେ ମହିଳା ବିଦ୍ୱେଷ ମନୋଭାବରେ ପରିବର୍ତ୍ତନ ସମ୍ଭବ ନୁହେଁ। ଛୋଟ ଛୋଟ କଥା ଯେମିତିକି କି ରୋଷେଇ ଏକ ଲିଙ୍ଗ ନିରପେକ୍ଷ କାର୍ଯ୍ୟ, ଜଣେ ମହିଳା ବି ଜଣେ ପୂରୁଷର ରୋଲ ମଡେଲ ବା ଆଦର୍ଶ ହୋଇ ପାରିବ, ଶାରୀରିକ ସୌନ୍ଦର୍ଯ୍ୟ ଜଣେ ନାରୀ ବ୍ୟକ୍ତିତ୍ୱର ମାପକାଠି ନୁହେଁ, ନିଷ୍ପତ୍ତି ନେବାର ଅଧିକାର ଉଭୟ ପୁରୁଷ ଓ ମହିଳାଙ୍କର ଅଛି ଏବଂ ପାରିବାରିକ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳା ପୁରୁଷର ସମଭାଗୀ ଇତ୍ୟାଦି ଯଦି ଆମେ ପରିବାରରେ ଅଭ୍ୟାସ କରି ପାରିବା, ଉଭୟ ପୁଅ ଓ ଝିଅଙ୍କୁ ଶିଖେଇ ପାରିବା, ତେବେ ଏ ଦିଗରେ କିଛିଟା ସକାରାତ୍ମକ ପରିବର୍ତ୍ତନ ଆସିବ ନିଶ୍ଚୟ।

Leave a Reply

Your email address will not be published.