ଧାର୍ମିକ ନଗରୀ ପୁରୀରେ ଜହର ଧନ୍ଧା; ଖାକି ଖାଉଛି ଦଲାଲୀ ଦାନା

ଧାର୍ମିକ ନଗରୀ ପୁରୀରେ ଜହର ଧନ୍ଧା; ଖାକି ଖାଉଛି ଦଲାଲୀ ଦାନା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପୁରୀ ଆଉ ଧାର୍ମୀକ ନଗରୀ ହୋଇ ରହିନାହିଁ । ପୁରୁଣା ପରମ୍ପରାର ଏନ୍ତୁଡ଼ି ସ୍ଥଳ ଏବେ ଜହର ଦଲାଲୀଙ୍କ ଆଡ୍ଡା ସ୍ଥଳି ପାଲଟିଛି । ଏଠି ଆଉ କେବଳ ଭାଙ୍ଗକୁ ନେଇ ଚର୍ଚ୍ଚା ନୁହେଁ ଦେଶୀ, ବିଦେଶୀ ମଦ, ପାଉଡର, ଡ୍ରଗ୍ସ କାରବାର ବଢିଛି । ଭୁବନେଶ୍ୱର ପରେ ଏବେ ଶ୍ରୀକ୍ଷେତ୍ର ପୁରୀରେ ନିଶା ମାଫିଆ ରାଜ୍ ଚଲାଇଛନ୍ତି । ଖୋଦ୍ ଅବକାରୀ ବିଭାଗ ଗୁରୁତର ଅଭିଯୋଗ ଆଣି ପୋଲିସ ଉପରେ ବର୍ଷିଛନ୍ତି । ଅବକାରୀ ବିଭାଗକୁ ଖାତିର ନ କରି ପୋଲିସ ସେହି ନିଶା ବେପାରୀଙ୍କ ଠାରୁ ମାସିକ ମୋଟା ଅଙ୍କର ଚାନ୍ଦା ନେଇ ସେମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଏନେଇ ,ପୁରୀ ଅବକାରୀ ବିଭାଗର ଇନସ୍ପେକ୍ଟର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖିବା ପରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି । ଆଉ ଏହାକୁ ନେଇ ପୁରୀ ପୋଲିସ ସମେତ ରାଜ୍ୟ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ଜାଣନ୍ତୁ ପୁରା ଖବର….

ପୁରୀ ଜିଲ୍ଲା ମୋବାଇଲ୍ ୟୁନିଟ୍‌ର ଇନସ୍‌ପେକ୍ଟର୍‌ ଇନ୍‌-ଚାର୍ଜ ଅଫିସ୍‌ରେ ଇନସ୍‌ପେକ୍ଟର୍‌ ଭାବେ କାମ କରୁଥିବା ସଞ୍ଜୟ କୁମାର ପଣ୍ଡା ଜୁନ୍‌ ୪ ତାରିଖରେ ଏକ ଚିଠି(ଡି.ବି ନଂ ୧୨)ରେ ଅବକାରୀ କମିସନର୍‌ଙ୍କ କଟକ ଠିକଣାରେ ଲେଖିଛନ୍ତି। ଏହା ସହିତ ସମାନ ଚିଠି ପୁରୀ ଜିଲ୍ଲାପାଳ, ପୁରୀ ପୁଲିସ ଏସ୍‌ପି, ପୁରୀ ଅବକାରୀ ଏସ୍‌ପିଙ୍କୁ ମଧ୍ୟ ପଠାଇଛନ୍ତି। ଶ୍ରୀ ପଣ୍ଡା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ‘ପୁରୀ ଜିଲ୍ଲାରେ ଗଲା ଏକ ବର୍ଷ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା କାରବାର କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରୁଛନ୍ତି, ସେମାନେ ଥାନା ପୁଲିସକୁ ମାସିକିଆ ଟଙ୍କା ଦେଉଥିବା କହୁଛନ୍ତି। ତେଣୁ ‘‘ଅବକାରୀ ବାଲାଙ୍କୁ ଖାତିର କରୁନାହାନ୍ତି ବୋଲି ଦୁର୍ବୃତ୍ତମାନେ କହୁଛନ୍ତି। ଏହାଫଳରେ ଥାନା ଅଧିକାରୀଙ୍କ ଦ୍ବାରା ଅଳ୍ପ ସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି।

ଅବକାରୀ ବିଭାଗରେ ହୁଲସ୍ତୁଲ: ‘ମାସିକିଆ ଟଙ୍କା ନେଉଛି ପୁରୀ ପୁଲିସ, କମିସନର୍‌ଙ୍କୁ ଇନସ୍‌ପେକ୍ଟର୍‌ଙ୍କ ଖୋଲା ଚିଠି
ସଞ୍ଜୟ କୁମାର ପଣ୍ଡା

ବିଭାଗର ଜଣେ ଦାୟିତ୍ବବାନ୍ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡ଼ି, ବିନା କ୍ବାର୍ଟର୍ସ, ବିନା ମେଡାଲ୍‌ରେ ହତୋତ୍ସାହିତ ଅନୁଭବ କରୁଛି। ତେଣୁ, ପୁଲିସ କର୍ମଚାରୀଙ୍କ ଏ ପ୍ରକାର ଅସାଧୁ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଆମକୁ କଠିନ ପରିଶ୍ରମ, ସଚ୍ଚୋଟତା ପାଇଁ ପୁରସ୍କୃତ କରାଯିବା ଉଚିତ ବୋଲି ଶ୍ରୀ ପଣ୍ଡା ଚିଠିରେ ଦର୍ଶାଇଛନ୍ତି। ତେବେ ବିଭାଗରେ ଦୁଇ ଦିନ ହେବ ଏଭଳି ଚିଠିକୁ ନେଇ ବରିଷ୍ଠ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। ପୁରୀ ପୁଲିସ ଅଧିକାରୀଙ୍କ ବିରୋଧରେ ମାସିକିଆ ଟଙ୍କା ସଂଗ୍ରହ ଭଳି ସଂଗିନ ଅଭିଯୋଗ ଆସିଥିବା ଘଟଣା ଏବଂ ବିଭାଗରେ ଭିତ୍ତିଭୂମିର ଅଭାବ ଥିବା ଶ୍ରୀ ପଣ୍ଡା ଦର୍ଶାଇଥିବାରୁ ଏଭଳି ଚିଠିକୁ ନେଇ ଓଡ଼ିଶା ପୁଲିସ ଓ ଅବକାରୀ ବିଭାଗ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛି, ତାକୁ ଅପେକ୍ଷା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: