ନିର୍ଦ୍ଦୟୀ କୋରୋନା, ଗୋଟିଏ ପରିବାରର ଜଣକୁ ଛାଡ଼ି ସମସ୍ତେ ମୃତ

ନିର୍ଦ୍ଦୟୀ କୋରୋନା, ଗୋଟିଏ ପରିବାରର ଜଣକୁ ଛାଡ଼ି ସମସ୍ତେ ମୃତ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ମହାମାରୀ କୋରୋନା କେତେ ମାରାତ୍ମକ। ତାର କହର କେତେ ଭୟଙ୍କର। ଯିଏ ଦେଖିଛି ସେଇ ଏକା ଜାଣିଛି । କୋରୋନାର ଦାଉରୁ ଜୀବନ ସିନା ବଞ୍ଚି ଯାଇଛି ହେଲେ ପୋଛି ହୋଇଯାଇଛି ମଥାରୁ ସିନ୍ଦୂର । ଭାଙ୍ଗି ଯାଇଛି ହାତର ଚୁଡ଼ି । ପାଦର ଅଳତା ବି ଧୋଇନେଇଛି ଏଇ ରାକ୍ଷସୀ କୋରୋନା । ପୂରା ପରିବାରକୁ ମରଣ ଶେଯରେ ଶୁଆଇ ଏତେ ବଡ଼ ଦୁନିଆରେ ତାଙ୍କୁ ଏକା କରିଦେଇଛି।

ମହାମାରୀ କୋରୋନାର ହଟସ୍ପଟ୍ ଗଞ୍ଜାମ ଦିଗପହଣ୍ଡିରେ ଏମିତି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୌଭାଗ୍ୟବଶତଃ ବୋହୂ ଅନୁରାଧା ପାଣିଗ୍ରାହୀ କୋରୋନା ଯୁଦ୍ଧରେ ସିନା ଜିତି ଯାଇଛନ୍ତି । କିନ୍ତୁ ତାଙ୍କ ସ୍ବାମୀ , ଶାଶୁ ଓ ଶ୍ୱଶୁର ସମସ୍ତଙ୍କୁ ଛଡ଼ାଇ ନେଇଛି କୋରୋନା । ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ପରିବାର ସହ ରହୁଥିଲେ ଅନୁରାଧା । ସ୍ବାମୀ ଜିତେନ୍ଦ୍ର ପାତ୍ର ଓରଫ ରିଙ୍କୁ ଇଲେକ୍ଟ୍ରୋନିକ୍ସ ଦୋକାନ କରି ଯାହା ରୋଜଗାର କରୁଥିଲେ, ସେଥିରେ ଛୋଟିଆ ସଂସାର ହସଖୁସିରେ ଚଳୁଥିଲା । କିନ୍ତୁ କାଳରୂପୀ କୋରୋନା ତାଙ୍କ ହସଖୁସିର ସଂସାରକୁ ଜାଳିପୋଡି ପାଉଁଶ କରିଦେଲା । ପରିବାରର ସମସ୍ତ ସଦସ୍ୟ କୋରୋନା ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଶା ଥିଲା ଭଲ ହୋଇ ପୁଣି ସମସ୍ତେ ଘରକୁ ଫେରିବେ । ହେଲେ କେହି ଜାଣି ନ ଥିଲେ ମୃତ୍ୟୁ ତାଙ୍କୁ ଅପେକ୍ଷା କରି ବସିଛି । ବୁଧବାର ସକାଳେ ପ୍ରଥମେ ଅନୁରାଧାଙ୍କ ଶାଶୁ ଜାନକୀ ପ୍ରାଣ ହରାଇଲେ । ଏହାର ୪ ଦିନ ପରେ ଅର୍ଥାତ୍ ରବିବାର ନିଜେ ଶ୍ୱଶୁର କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଏତିକିରେ ମୃତ୍ୟୁର ତାଣ୍ଡବ ସରି ନ ଥିଲା । ଶାଶୁ, ଶ୍ୱଶୁରଙ୍କ ପରେ ସୋମବାର ସ୍ବାମୀ ଜିତେନ୍ଦ୍ର ପାତ୍ର ଓରଫ ରିଙ୍କୁଙ୍କୁ ସବୁଦିନ ପାଇଁ ଛଡ଼ାଇ ନେଇଗଲା କୋରୋନା । ଏବେ ପରିବାରରେ ଏକା ହୋଇପଡ଼ିଛନ୍ତି ଅନୁରାଧା । ନିଜର କହିଲେ କେହି ନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: