ଆଞ୍ଚଳିକ ଦଳର ବଢ଼ୁଛି ଗୁରୁତ୍ୱ, ଦିଦି ସାଜିବେ କି ନୂଆ ସମୀକରଣର କର୍ଣ୍ଣଧାର ?

ଆଞ୍ଚଳିକ ଦଳର ବଢ଼ୁଛି ଗୁରୁତ୍ୱ, ଦିଦି ସାଜିବେ କି ନୂଆ ସମୀକରଣର କର୍ଣ୍ଣଧାର ?

ପ୍ରିଜମ୍ ନ୍ୟୁଜ(ସମ୍ପାଦକୀୟ): ଦିନକୁ ଦିନ ବଦଳୁଛି ରାଜନୀତିର ପରିଭାଷା। ୨୦୧୪ ପରଠାରୁ ବିଜେପି ନିଜ ରାଜନୀତିର ସଂଜ୍ଞା ମଧ୍ୟ ବଦଳାଇଛି। ଦେଶକୁ କଂଗ୍ରେସମୁକ୍ତ କରିବା ନେଇ ଦଳର ସଂକଳ୍ପ ଲଗାତାର ତାକୁ ଦୁଇ ଥର କ୍ଷମତାକୁ ଆଣିଛି। ତେବେ ବିଜେପି ସରକାରର ତୃଣମୂଳ ସ୍ଥିତି କ’ଣ, ତାହା ସମସ୍ତେ ଜାଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛାଡ଼ିଦେଲେ ରାଜ୍ୟ ଗୁଡ଼ିକରେ ଦଳର ଆଉ କେହି ବଡ଼ ଚେହେରା ନାହାନ୍ତି। ତେଣୁ, ଅଣି ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ଦଳ ଉଧେଇ ପାରୁନି। ଓଡ଼ିଶାରେ ଦୁଇ ଦୁଇ ଥର ଚେଷ୍ଟା କରି ଗେରୁଆ ଦଳ ବିଫଳ ହୋଇଛି। ମିଶନ ୧୨୦ ପ୍ଲସ୍ ନାରା ଦଳ ପାଇଁ କାଳ ସାଜିଛି। ଅବଶ୍ୟ ଓଡ଼ିଶାରେ ଦଳ ଏବେ ମୁଖ୍ୟ ବିରୋଧୀ। ତଥାପି ବି ନବୀନ ପଟ୍ଟନାୟକଙ୍କ ଭଳି ମହାଦ୍ରୁମକୁ ଚେକ୍ ଦେଲା ଭଳି ଦଳ ପାଖରେ ସପରି ସାହସ ନାହିଁ। ସେହିପରି ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡ଼ୁରେ ବି ଦଳ ପରୀକ୍ଷା କରି ବିଫଳ ହେଲା। ରାଜ୍ୟରେ ରାଜ୍ୟର ସ୍ୱାର୍ଥକୁ ନେଇ ବିଜେପି ମୁଦ୍ଦା ନ କରିବା ଓ ସବୁଠି ଧର୍ମ ରାଜନୀତିର କାର୍ଡ ଖେଳିବା ମଧ୍ୟ ଦଳର ପରାଜୟର ଅନ୍ୟତମ କାରଣ। ଦେଶରେ ତ କଂଗ୍ରେସ ବିଲୀନ ପଥରେ ରହିଛି। ତେଣୁ, ଭବିଷ୍ୟତରେ ବିଜେପିର ମୁଖ୍ୟ ବିକଳ୍ପ କିଏ ହେବ, ତାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କେତେକ ରାଜନୀତି ସମୀକ୍ଷକଙ୍କ କହିବା କଥା, ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏକାଠି ହୋଇ ବିଜେପି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ପାରନ୍ତି। ଯେହେତୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବାମ ଦଳ, ବିଜେପି ଓ କଂଗ୍ରେସର ଚକ୍ରବ୍ୟୂହରୁ ମୁକ୍ତି ପାଇ ନିଜର ଏକଲା ଚଲୋ ପନ୍ଥାକୁ ପୂରଣ କରିଛନ୍ତି, ତେଣୁ ଅଣ ବିଜେପି ଶାସିତ ନେତାମାନଙ୍କ ପାଇଁ ସେ ଜଣେ ମୁଖ୍ୟ ନେତା। ତେଣୁ, ଭବିଷ୍ୟତର ରାଜନୀତି ଅଙ୍କ ମଧ୍ୟ ସେହି ଅନୁଯାୟୀ ଏବେଠାରୁ ଲେଖାଯିବା ଆରମ୍ଭ ହୋଇଯାଇଛି। ଆଉ ଏହାରି ଭିତରେ ପୁଣି ଥରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ଆଞ୍ଚଳିକବାଦ ବନାମ ଜାତୀୟବାଦ ରାଜନୀତି।

୨୦୧୪ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ଆନ୍ନା ହଜାରେଙ୍କ ନେତୃତ୍ୱରେ ଏକ ରାଲି କରିବାକୁ ଘୋଷଣା କରିଥିଲେ। କିନ୍ତୁ, ଆନ୍ନା ନ ଆସିବାରୁ ତାହା ସଫଳ ହୋଇ ନ ଥିଲା। ଏପରିକି ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ସରକାର ବିରୋଧରେ ଲଢ଼େଇ କରିବାକୁ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଏକ ମହାମେଣ୍ଟ ନେଇ ପ୍ରସ୍ତୁତି ଚାଲିଥିଲା। କୋଲକାତାରେ ହୋଇଥିବା ଏହି ବୈଠକରେ ଶରଦ ପାୱାର, ମଲ୍ଲିକାର୍ଜୁନ ଖାର୍ଗେ, ଚନ୍ଦ୍ରବାବୁ ନାଇଡୁ, ଅରବିନ୍ଦ କେଜରିୱାଲ, ଏଚ. ଡି. ଦେବେଗୌଡ଼ା, ତେଜସ୍ୱୀ ଯାଦବ ପ୍ରମୁଖ ବିଭିନ୍ନ ଦଳର ନେତା ଉପସ୍ଥିତ ଥିଲେ। ତେବେ ଏ ମେଣ୍ଟ ସେତେଟା ସଫଳ ହୋଇ ନ ଥିଲା। ମାତ୍ର ଏବେ ପଶ୍ଚିମବଙ୍ଗ ଫଳ କିଛି ଭିନ୍ନ କଥା କହୁଛି। ଟିଏମସି ଲଗାତାର ତୃତୀୟ ଥର ପାଇଁ ଏତେ ସଂଖ୍ୟକ ଆସନରେ ବିଜୟୀ ହୋଇ ଅନ୍ୟ ବିଫଳ ହେଉଥିବା ଆଞ୍ଚଳିକ ଦଳଗୁଡ଼ିକ ମନରେ ଟନିକ୍ ଭରି ଦେଇଛି। ଏହାବ୍ୟତୀତ ନିର୍ବାଚନ ସମୟରେ ସମସ୍ତ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ସମର୍ଥନ ଲୋଡ଼ିଥିଲେ ମମତା। ୧୫ ଜଣ ବିରୋଧୀ ନେତାଙ୍କୁ ଚିଠି ଲେଖି ବିଜେପି ବିରୋଧରେ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ନେତା ଶରଦ ପାୱାର, ଡିଏମକେ ନେତା ଏମ. କେ. ଷ୍ଟାଲିନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ପ୍ରମୁଖଙ୍କୁ ସେ ଚିଠି ଲେଖିଥିଲେ। ଆଉ ଏବେ ମମତାଙ୍କ ବୃହତ୍ ବିଜୟ ତାଙ୍କୁ ସ୍ୱତଃପ୍ରବୃତ୍ତ ଭାବରେ ଅଣବିଜେପି ରଥର ମଙ୍ଗୁଆଳ ଆସନରେ ନେଇ ବସାଇ ଦେଇଛି।

ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଜାତୀୟ ରାଜନୀତି ଉପରେ ପ୍ରଭାବ ପକାଇବ ବୋଲି ପୂର୍ବରୁ ହିଁ ଚର୍ଚ୍ଚା ହେଉଥିଲା। ଆଉ ୨୦୨୪ରେ ତାହା ହିଁ ହେବାକୁ ଯାଉଛି। କାରଣ ଅଣବିଜେପି ତଥା ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଏବେ ୟୁପିଏ ନୁହେଁ ମମତା ଦିଦି ହିଁ ଏକମାତ୍ର ବିକଳ୍ପ। ମୋଦି ବନାମ ଦିଦିର ଲଢ଼େଇରେ ଜିତାପଟ୍ ହାସଲ କରି ରାତାରାତି ଜାତୀୟ ରାଜନୀତିର ଲାଇମ୍ ଲାଇଟକୁ ଆସିଯାଇଥିବା ମମତା ବାନାର୍ଜୀଙ୍କୁ ଯଦି ୨୦୨୪ର ପ୍ରଧାନମନ୍ତ୍ରୀ କ୍ୟାଣ୍ଡିଡେଟ୍ ଘୋଷଣା କରାଯାଏ, ତାହେଲେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ, କୋରୋନା ପରିଚାଳନାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ମୋଦି ସରକାରଙ୍କୁ ନେଇ ସାରା ଦେଶରେ ଏବେ ତମ୍ୱିତୋଫାନ ଦେଖା ଦେଇଛି। ତେଣୁ, ବିଜେପିର ହାଇଟେକ୍ ପଲିଟିକ୍ସକୁ ଚେକ୍ ଦେବାକୁ ହେଲେ ସବୁ ବିରୋଧୀଙ୍କୁ ଏକାଠି ହେବାକୁ ହିଁ ପଡ଼ିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: