ଭାଇ-ଭଉଣୀଙ୍କ ରାସ୍ତା ଶେଷ: ବାହାରୁ ନେତୃତ୍ୱ ଖୋଜୁଛି ଦଳ ?

ଭାଇ-ଭଉଣୀଙ୍କ ରାସ୍ତା ଶେଷ: ବାହାରୁ ନେତୃତ୍ୱ ଖୋଜୁଛି ଦଳ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ ନିର୍ବାଚନରେ କଂଗ୍ରେସର ‘ହ୍ୱାଇଟ୍ ୱାସ୍’ ଦଳର ନେତା ଓ ସମର୍ଥକଙ୍କ ମଧ୍ୟରେ ସମନ୍ୱୟର ଅଭାବକୁ ଦର୍ଶାଉଛି। କଂଗ୍ରେସ ପରି ଏକ ସର୍ବପୂରାତନ ଦଳର ପୁନରୁଥାନରେ ରାହୁଲ ଗାନ୍ଧିଙ୍କ ବିଫଳତା ଜଳଜଳ ଦିଶୁଛି। ସେପଟେ କେରଳରେ ମଧ୍ୟ ବିଗତ ୫ ବର୍ଷ ମଧ୍ୟରେ ଏହା ହେଉଛି କଂଗ୍ରେସର ସବୁଠୁ ଖରାପ ପ୍ରଦର୍ଶନ। ଆସାମରେ ଅନ୍ୟ ଦଳ ସହ ଯୋଡ଼ାଯୋଡ଼ି କରି ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଚେଷ୍ଟା କରୁଥିବା କଂଗ୍ରେସ ବିଜେପିକୁ ଟକ୍କର ଦେବାରେ ବିଫଳ ହୋଇଛି। କେବଳ ତାମିଲନାଡ଼ୁରେ ଦଳ ସିଟ୍ ଭାଗବଣ୍ଟାରେ ଭାଗୁଆଳୀ ଡିଏମକେର ଲାଙ୍ଗୁଡ଼ ଧରି କିଛିଟା ଉନ୍ନତି କରି ପାରିଛି। ବାସ୍ତବରେ ଏହି ଫଳାଫଳ ଗାନ୍ଧି ଭାଇ-ଭଉଣୀଙ୍କ ପାଇଁ ଏକ ଶକ୍ତ ଧକ୍କା।


ଚଳିତ ନିର୍ବାଚନରେ ସେମାନେ ପ୍ରାକ୍ ପ୍ରସ୍ତୁତି ପାଇଁ ସମୟ ପାଇ ନ ଥିଲେ। ସେମାନେ ଦଳର ବଳିଷ୍ଠ ତଥା ଦିଗଗଜ ନେତୃତ୍ୱକୁ କୋଣଠେସା କରି ନିଜ ବିଶ୍ୱସ୍ତମାନଙ୍କୁ ପଦପଦବୀରେ ଥଇଥାନ କରିଥିଲେ। ଖାସ୍ ସେଥିପାଇଁ ଚଳିତ ବିଧାନସଭା ନିର୍ବାଚନରେ ଦଳ ଏପରି ଦୁର୍ଦ୍ଦଶା ଭୋଗିଲା।
ଦଳରେ ଏପରି ବହୁତ ନେତା ଅଛନ୍ତି, ଯେଉଁମାନେ ନେତା ରୂପେ ରାହୁଲଙ୍କୁ ଚାହାନ୍ତି ନାହିଁ। କାରଣ ତାଙ୍କର ରାଜନୈତିକ ସାମର୍ଥ୍ୟ ଦୀର୍ଘ ବର୍ଷରୁ ଦଳକୁ କୌଣସି ବଡ଼ ଧରଣର ନିର୍ବାଚନ ଜିତାଇବାରେ ସଫଳ ହୋଇନି। ସେହିପରି ଦଳରେ ନେତୃତ୍ୱର ଅଭାବ ଆଗକୁ ମଧ୍ୟ ଜାରି ରହିବା ଜଣାପଡ଼ୁଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ଆସାମରେ ଦଳର ସଙ୍ଗଠନକୁ ସଜାଡ଼ିବାର ଦାୟିତ୍ୱ ଦିଆଯାଇଥିଲା। ଛଅ ବର୍ଷ ପୂର୍ବେ ଦଳର ଜଣେ ଟାଣୁଆ ନେତା ହିମନ୍ତ ବିଶ୍ୱ ଶର୍ମାଙ୍କ ବିଦାୟ, ଏଠି ବିଜେପିକୁ ଦୁଇ ଦୁଇ ଥର କ୍ଷମତାକୁ ଆସିବାର ସୁଯୋଗ ଦେଇଛି।


ପ୍ରିୟଙ୍କା ଓ ରାହୁଲ ଆଉ ‘କମ୍ଫୋର୍ଟ ଜୋନ୍’ରେ ନାହାନ୍ତି ?
କେରଳରେ ମଧ୍ୟ ସମାନ ଘଟଣା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏଠାରେ ଦାୟିତ୍ୱ ଦେଇ ଦଳ ପୁଣି ଥରେ ପରାଜୟର ସ୍ୱାଦ ଚାଖିବାକୁ ବାଧ୍ୟ ହେଲା। ଅମିତ ଶାହଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସ ଏଠି ଫେଲ୍ ମାରିଲା। ରାହୁଲ ଗାନ୍ଧି ମଧ୍ୟ ଏଠାରେ ରହି, ମତ୍ସଜୀବୀଙ୍କ ସହ ସମୟ ବିତାଇ ପ୍ରଚାର କରିଥିଲେ। କିନ୍ତୁ, ତାହା ମଧ୍ୟ ସଫଳ ହେଲା ନାହିଁ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତିନିଟି ରାଜ୍ୟରେ ଗାନ୍ଧି କ୍ଷମତାକେନ୍ଦ୍ରକୁ ବ୍ୟବହାର କରାଯିବା ଘଟଣା। ପ୍ରିୟଙ୍କା ଗାନ୍ଧି ତାଙ୍କର ଉତ୍ତର ପ୍ରଦେଶ ଲକ୍ଷ୍ମଣରେଖା ଡେଇଁ ଆସାମରେ ପ୍ରଚାର କରିବା ଏବଂ ବଘେଲ ଓ ଗେହଲଟଙ୍କୁ ସମର୍ଥନ ଦେବା ପାର୍ଟି ଏଜେଣ୍ଡାର କିଛିଟା ବ୍ୟତିକ୍ରମ ଦର୍ଶାଉଛି। ସେହିପରି ବିଧାନସଭା କ୍ଷେତ୍ରରେ ତାଙ୍କର ଏହି କୌଶଳ କାମ ଦେଲା ନାହିଁ। ପ୍ରିୟଙ୍କାଙ୍କୁ ଦଳ ସବୁବେଳେ ବ୍ରହ୍ମାସ୍ତ୍ର ଭାବେ ବ୍ୟବହାର କରିଥାଏ। ଯେତେବେଳେ ରାହୁଲ ଫେଲ୍ ମାରନ୍ତି, ତାଙ୍କ ପଛରେ ତତକ୍ଷଣାତ୍ ପ୍ରିୟଙ୍କା ଛିଡ଼ା ହୋଇଯା’ନ୍ତି। ରାହୁଲଙ୍କ ସାମର୍ଥ୍ୟକୁ ନେଇ ସନ୍ଦେହ ବହୁ ପୁରୁଣା। ତେବେ ବର୍ତ୍ତମାନ ପ୍ରିୟଙ୍କାଙ୍କ ସାମର୍ଥ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି।

ଅଧିକାଂଶ କଂଗ୍ରେସ ନେତା ଗାନ୍ଧି ପରିବାର ବିନା ଦଳର ଭବିଷ୍ୟତ ଦେଖି ପାରନ୍ତି ନାହିଁ। ବର୍ତ୍ତମାନ ସମୟ ଆସିଛି, ରାହୁଲ- ପ୍ରିୟଙ୍କାଙ୍କ ବ୍ୟତୀତ ଅନ୍ୟ ବିକଳ୍ପ ବାବଦରେ ଚିନ୍ତା କରିବା। ରାଜନୀତିର କ୍ଷମତା କରିଡରରେ ଏକଥା ମଧ୍ୟ ଗୁଞ୍ଜରଣ ସୃଷ୍ଟି ହେଉଛି ଯେ, ଦଳ ପୂର୍ବତନ ବରିଷ୍ଠ ନେତା ଶରଦ ପାୱାର କିମ୍ୱା ମମତା ବାନାର୍ଜୀଙ୍କ ବାବଦରେ ଚିନ୍ତା କରିପାରେ। କାରଣ, ଭାଇ-ଭଉଣୀଙ୍କ ଅପେକ୍ଷା ଏମାନଙ୍କ ରାଜନୀତିର ଅଭିଜ୍ଞତା ଢେର୍ ଅଧିକ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: