ୟୁପିରେ ମେଣ୍ଟ ନୁହଁ ଏକା ଲଢିବ କଂଗ୍ରେସ

ୟୁପିରେ ମେଣ୍ଟ ନୁହଁ ଏକା ଲଢିବ କଂଗ୍ରେସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେବେ ଚର୍ଚ୍ଚାରେ ରହିଛି ୟୁପି। ସମସ୍ତଙ୍କ ଦୃଷ୍ଟିରେ ବିଧାନସଭା ନିର୍ବାଚନ ଆଉ ଦଳୀୟ ନେତା। ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଏବେଠୁ ଅଣ୍ଟା ଭିଡିଲେଣି ବିଭିନ୍ନ ରାଜନୈତିକ ଦଳ । ଏଥର କଂଗ୍ରେସର ମଙ୍ଗ ଧରିଛନ୍ତି ମହାସଚିବ ପ୍ରିୟଙ୍କା ଗାନ୍ଧି ।ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ଗୋଟିଏ ପରେ ଗୋଟିଏ ଘୋଷଣା କରିଚାଲିଛି କଂଗ୍ରେସ। ଆଜି ପୁଣି ବଡ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧି । ସେ କହିଛନ୍ତି, ‘ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକି ଲଢିବ । ଦଳ ନିଜ ଦମ୍‌ରେ ନିର୍ବାଚନ ଜିତିବ । ପ୍ରତି ସିଟ୍‌ରେ ଦଳ ପ୍ରାର୍ଥୀ ଦେବ ।’ ବିଜେପି ସମେତ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ।ପ୍ରିୟଙ୍କା କହିଛନ୍ତି, ‘ୟୁପିରେ ନା ଏସ୍‌ପି ଲଢୁଛି ନା ବିଏସ୍‌ପି । କେବଳ କଂଗ୍ରେସ ହିଁ ବିଜେପି ବିପକ୍ଷରେ ନିର୍ବାଚନ ଲଢୁଛି । କରୋନା ମହାମାରୀ ହେଉ କିମ୍ବା ଅନ୍ୟ କୌଣସି ସଙ୍କଟ ଉତ୍ତର ପ୍ରଦେଶରେ ସେବା ଜାରି ରଖିଛନ୍ତି କଂଗ୍ରେସ କର୍ମୀ । ଉନ୍ନାଓ, ହାଥରସ୍‌ ଏବଂ ଲଖୀମପୁର ଘଟଣାରେ କଂଗ୍ରେସ ହିଁ ମୁହଁ ଖୋଲିଛି । ବିରୋଧ ପ୍ରଦର୍ଶନ କରିଛି, ସଂଘର୍ଷ କରିଛି । ନ୍ୟାୟ ଦେବାକୁ ଉଦ୍ୟମ କରିଛି । ଅନ୍ୟ ଦଳମାନେ ଚୁପ ବସିଥିଲେ ।’ବିଜେପିକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ପ୍ରିୟଙ୍କା ଗାନ୍ଧି । କହିଛନ୍ତି, ଦେଶ ସ୍ବାଧୀନତାର ମୂଲ୍ୟ ବୁଝିପାରିନି ବିଜେପି । କେବଳ ସ୍ବାର୍ଥ ହାସଲ ଭାରତୀୟ ଜନତା ପାର୍ଟିର ଲକ୍ଷ୍ୟ । ଆଗାମୀ ଦିନରେ ୟୁପି ଜନସାଧାରଣ ଏହାର ଜବାବ ଦେବେ । ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ କେବଳ ବିକାଶ କରିନି ବରଂ ଦେଶରେ ସଦ୍‌ଭାବ ବି ଆଣିଛି । ପଛୁଆବର୍ଗଙ୍କ ବିକାଶ ପାଇଁ ସବୁବେଳେ କାମ କରିଛି କଂଗ୍ରେସ । କଂଗ୍ରେସ ସମୁଦାୟ ୪୦୩ ସିଟି ପାଇଁ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: