ପ୍ରଦୀପ ବିଜେଡି ଆସିବାରେ ଥାଥା…ମାମା କାହିଁକି ?

ପ୍ରଦୀପ ବିଜେଡି ଆସିବାରେ ଥାଥା…ମାମା କାହିଁକି ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁର ଲୋକସଭା ଆସନର ପୂର୍ବତନ ଏମପି ପ୍ରଦୀପ ମାଝି ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ହେଲେ ନିକଟରେ ପ୍ରଦୀପ ଏହାକୁ ଖଣ୍ଡନ କରିଥିଲେ। ଅବଶ୍ୟ ରାଜନୈତିକ ଗୁମରକୁ ଖଣ୍ଡନ କରିବା କିଛି ନୂଆ କଥା ନୁହେଁ। ପ୍ରିଜମ୍ ନ୍ୟୁଜକୁ ମିଳିଥିବା ସୂଚନା ଅନୁସାରେ, ବିଜେଡିର ଜଣେ ଶୀର୍ଷ ସ୍ଥାନର ନେତାଙ୍କ ସହ ପ୍ରଦୀପ ନବରଙ୍ଗପୁର ଏବଂ ଭୁବନେଶ୍ୱରରେ ଅଲଗା ଅଲଗା ଆଲୋଚନା କରି ସାରିଛନ୍ତି। ନବରଙ୍ଗପୁରକୁ ଦୃଷ୍ଟି ଦେବା ପାଇଁ ମନ୍ତ୍ରିମଣ୍ଡଳର ନବାଗତ ତୁଷାରକାନ୍ତି ବେହେରାଙ୍କୁ ଦାୟିତ୍ବ ଦିଆଯାଇଛି। ମାଲକାନଗିରି ପ୍ରଦୀପଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି। ତେଣୁ ନବରଙ୍ଗପୁର ଓ ମାଲକାନଗିରିରେ ପ୍ରଦୀପଙ୍କ ପ୍ରଭାବ ରହିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଏମିତି ଏକ ଆସନ ଯେଉଁଠି କଂଗ୍ରେସ ବାଉନ୍ସବ୍ୟାକ୍ କରିବାର ସର୍ବାଧିକ ସମ୍ଭାବନା ରହୁଛି। ୨୦୦୯ରେ ପ୍ରଦୀପ ଏଠାରୁ ବିଜୟୀ ହୋଇଥିବାବେଳେ ୨୦୧୪ ଓ ୨୦୧୯ରେ କମ୍ ବ୍ୟବଧାନରେ ହାରି ଯାଇଥିଲେ। ତେଣୁ ୨୦୨୪ରେ ବିଜେଡି କୌଣସି ରିସ୍କ ନେବାକୁ ଚାହୁଁନି। କୌଣସି ମତେ ବଡ଼ ବ୍ୟବଧାନରେ ନବରଙ୍ଗପୁର ଲୋକସଭା ଜିତିବାକୁ ଚାହୁଁଛି। ସେଥିପାଇଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଦୀପଙ୍କୁ ବିଜେଡି ଶିବିରକୁ ଆଣି ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବାକୁ ବିଚାର ବିମର୍ଶ ଜାରି ରହିଛି।

ବିଜେଡି ଏକ ଆଞ୍ଚଳିକ ଦଳ। ନବୀନ ପଟ୍ଟନାୟକ ଏବଂ ତାଙ୍କର ଭାବମୂର୍ତ୍ତି ଓ ଲୋକପ୍ରିୟତା ଦଳର ଏକମାତ୍ର ଆସେଟ୍। ତେଣୁ, ନବୀନ ଚାହିଁଲେ ପ୍ରଦୀପଙ୍କ ଆସିବାକୁ କେହି ରୋକି ପାରିବେ ନାହିଁ। ତେବେ ମାଝିଙ୍କୁ ଆଣିବାକୁ ଏତେ ଡେରି କାହିଁକି ? ବର୍ତ୍ତମାନ ରମେଶ ମାଝି ସେଠାରୁ ସାଂସଦ ଅଛନ୍ତି। ଏହା ପୂର୍ବରୁ ବଳଭଦ୍ର ମାଝି ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୦୯ରେ ବିଜେଡି ଡମ୍ବରୁ ମାଝିଙ୍କୁ ପ୍ରାର୍ଥୀ କରି ହାରିଥିଲା। ତେଣୁ, ଗତ ତିନିଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିବାରୁ ୨୦୨୪ ପାଇଁ ନୂଆ ପ୍ରାର୍ଥୀ ଖୋଜୁଛି। ଏଥିପାଇଁ ପ୍ରଦୀପଙ୍କଠାରୁ ଭଲ ପ୍ରାର୍ଥୀ ଆଉ କିଏ ହୋଇପାରେ ? ଦୀର୍ଘ କୋଡ଼ିଏ ବର୍ଷ ଧରି ରାଜ୍ୟକୁ ଶାସନ କରୁଥିବା ବିଜେଡି ନିଜର ସ୍ବର୍ଣ୍ଣିମ ସମୟ ଅତିକ୍ରମ କରି ସାରିଛି। ତେଣୁ, ବିଜେଡି ଆମଦାନୀ ନେତାଙ୍କୁ ବଜାୟ ରଖିବା ଏବଂ ପୁରୁଣା ନେତାଙ୍କୁ ସମ୍ମାନ ଦେବା ଭିତରେ ଫସି ଯାଉଛି। ପ୍ରଦୀପ ଆସିଲେ ନବରଙ୍ଗପୁରର ପୁରୁଣା ବିଜେଡି ନେତା କିପରି ଗ୍ରହଣ କରିବେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୦୭ରୁ ଏଯାବତ୍ ପ୍ରଦୀପ ହିଁ ବିଜେଡିର ବଡ଼ ବିରୋଧୀ ଭାବେ ଉଭା ହୋଇଥିଲେ। ବିଜେଡିର ଶାସନ ସତ୍ତ୍ବେ ୨୦୦୭, ୨୦୧୨ ଏବଂ ୨୦୧୭ ପଞ୍ଚାୟତ ନିର୍ବାଚନ ଏବଂ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡିକୁ ପାଣି ପିଆଇ ଥିଲେ। କୁନ୍ଦୁଲି ଘଟଣା ହେଉ କି ଅନାହାର ମୃତ୍ୟୁ, ପ୍ରଦୀପ ବିଜେଡି ପାଇଁ କଣ୍ଟା ସାବ୍ୟସ୍ତ ହୋଇଛନ୍ତି। ତେଣୁ, ପ୍ରଦୀପ ଓ ରମେଶ ଏକାଠି କାମ କରିପାରିବେ ତ !

ପ୍ରଦୀପ ବର୍ତ୍ତମାନ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି। ନିରଞ୍ଜନଙ୍କୁ ଅତିବେଶୀରେ ପଞ୍ଚାୟତ ନିର୍ବାଚନ ଯାଏ ସୁଯୋଗ ଦିଆଯାଇପାରେ। ୨୦୨୪ ପୂର୍ବରୁ ଏଆଇସିସି ଓଡ଼ିଶା କଂଗ୍ରେସ ମଙ୍ଗ ପରିବର୍ତ୍ତନ କରିବାକୁ ଏକ ପ୍ରକାର ବାଧ୍ୟ। ତେଣୁ, ଯେଉଁ କେତେ ଜଣଙ୍କ ନାଁ ପିସିସି ସଭାପତି ପାଇଁ ଚର୍ଚ୍ଚା ହେଉଛି, ସେହି ରେସରେ ଜଣେ ପ୍ରମୁଖ ଦାବିଦାର ପ୍ରଦୀପ ମାଝି। ସେଥିପାଇଁ ବିଜେଡି ବୋଲି ଆଞ୍ଚଳିକ ଦଳର ବଚସ୍କର ହେବା ଅପେକ୍ଷା କଂଗ୍ରେସ ଭଳି ଅସଜଡ଼ା ଘରର ସଭାପତି ହେବା ରାଜନୈତିକ ଗୁରୁତ୍ବ ଢେର୍ ରଖେ। ତେଣୁ, ବିଜେଡି ଆସିବା ପୂର୍ବରୁ ପ୍ରଦୀପଙ୍କ ଶିବିରକୁ ଏହି କଥା ଆନ୍ଦୋଳିତ କରୁଛି।

ଅନ୍ୟ କେତେକ ବରିଷ୍ଠ ବିଜେଡି ନେତାଙ୍କ ମତ ଅନୁଯାୟୀ, ପ୍ରଦୀପଙ୍କୁ ୨୦୨୪ ପୂର୍ବରୁ ମିଶାଯାଇ ପାରିଥା’ନ୍ତା। ବର୍ତ୍ତମାନ ତାଙ୍କୁ ଆଣି କଂଗ୍ରେସ ଭୋଟକୁ ଭାଙ୍ଗିବା ଚକ୍କରରେ ପରୋକ୍ଷରେ ବିଜେଡି, ବିଜେପି ପାଇଁ ରାସ୍ତା ଖୋଲିଦେବା ଭଳି ମନେ ହେଉଛି। ତେଣୁ, ଥାଥାମାମା ଭିତରେ ପ୍ରଦୀପଙ୍କ ବିଜେଡି ଆଗମନ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଭଦ୍ରକର ଜଣେ ଯୁବ ବିଧାୟକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ଯଦି ମିଶିବେ ତେବେ ନବରଙ୍ଗପୁରରେ ହିଁ ମିଶିବେ। ସେଠାରେ ଏକ ବିରାଟ ମିଶ୍ରଣ ପର୍ବ ଆରମ୍ଭ ହେବ। ଯାହାର ସ୍ଥାନୀୟ ଅଞ୍ଚଳରେ ପ୍ରଭାବ ରହିବ। ଯଦି ସବୁକିଛି ଠିକ୍ ହୁଏ, ସେପ୍ଟେମ୍ବର ଶେଷ ଆଡ଼କୁ ପ୍ରଦୀପ ବିଜେଡିରେ ମିଶି ପାରନ୍ତି। କିଛିବର୍ଷ ପୂର୍ବେ ପ୍ରଦୀପଙ୍କ ବ୍ୟକ୍ତିଗତ ଜୀବନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମକା ବ୍ୟବସାୟ ଓ ଚିଟଫଣ୍ଡ ଭଳି ପ୍ରସଙ୍ଗରେ ପ୍ରଦୀପଙ୍କର ଏକ ନକରାତ୍ମକ ଅତୀତ ରହିଛି। ଏସବୁ ଭିତରେ ବିଜେଡି ତାଙ୍କୁ କୋଳାଉଛି ନା ଝୁଲେଇ ରଖୁଛି, ତାହା ଦେଖିବାକୁ ବାକି ରହିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: