ମହେଶ୍ବର ଭେଦି ପାରୁନାହାନ୍ତି ‘ଲକି’ ମାୟାଜାଲ?

ମହେଶ୍ବର ଭେଦି ପାରୁନାହାନ୍ତି ‘ଲକି’ ମାୟାଜାଲ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁରୀ ଖାଲି ଓଡ଼ିଶାର ପରିଚୟ ନୁହେଁ, ସାରା ଭାରତର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର। ତେଣୁ ନବୀନ ସରକାରଙ୍କ ପଞ୍ଚମ ପାଳିରେ ପୁରୀକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ବେଳାଭୂମି ଉନ୍ନୟନ, ପର୍ଯ୍ୟଟନ ଭିତ୍ତିଭୂମି, କୋଷ୍ଟାଲ ହାଇୱେ, ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ବିକାଶ ସବୁକିଛି। ହାଇପ୍ରୋଫାଇଲ ସହର ହୋଇଥିବାରୁ ପୁରୀର ରାଜନୀତି ଉପରେ ଓଡ଼ିଶାବାସୀଙ୍କ ନଜର ରହିଥାଏ। ସେହିପରି ଲୋକସଭା ନିର୍ବାଚନରେ ପୁରୀ ଆସନରୁ ଯିଏ ବିଜୟୀ ହୁଅନ୍ତି, ଦିଲ୍ଲୀ ଦରବାରରେ ତାଙ୍କର ସ୍ବତନ୍ତ୍ର କାଟତି ରହିଥାଏ। ହେଲେ ୨୦୧୯ ନିର୍ବାଚନରେ ମହେଶ୍ବର ମହାନ୍ତିଙ୍କ ପରାଜୟ ଓ ପୀନାକି ମିଶ୍ର ପୁରୀ ବିଧାନସଭା ଆସନରୁ ଲୋକସଭା ଭୋଟରେ ୨୦ ହଜାରରୁ ଅଧିକ ଭୋଟରେ ପଛୁଆ ରହିବା ବିଜେଡିକୁ ବ୍ୟାକଫୁଟକୁ ଠେଲି ଦେଇଥିଲା।

ତେଣୁ ପୁରୀକୁ ସଜାଡ଼ିବା ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେଇଥିଲେ। ତାହାର ସୁଫଳ ଆସ୍ତେଆସ୍ତେ ଦେଖିବାକୁ ମିଳୁଛି। ହେଲେ ଏହି ସୁଫଳ ରାଜନୈତିକ ସଫଳତାରେ ଯେ ରୂପାନ୍ତରିତ ହେବ ସେ ବିଶ୍ବାସ ପୁରୀ ନେତା, କର୍ମୀ, ଯୁବ ଓ ଛାତ୍ର ବିଜେଡି ବିଶ୍ବାସ କରି ପାରୁନାହିଁ। ମହେଶ୍ବର ୪୦ ବାଟିଆ ପଞ୍ଚାୟତ ନିର୍ବାଚନ ଜିତି କିଛିଟା ଆତ୍ମବିଶ୍ବାସ ଫେରି ପାଇଥିଲେ। ହେଲେ ହରାଇଥିଲେ ବହୁତ କିଛି। ଦିବାକର ପାତ୍ର(ବାବୁ)ଙ୍କୁ ଭରସା କରି ଯଏ ସଦର ସଂଗଠନ ଆଉ ଚଳାଇ ହେବନି, ତାହା ମହେଶ୍ବର ବୁଝି ସାରିଲେଣି। ହେଲେ ମହେଶ୍ବରଙ୍କ ପାଇଁ ଚିନ୍ତାର କାରଣ ସାଜିଛନ୍ତି ଲଖି ଖୁଣ୍ଟିଆ।

ମହେଶ୍ବରଙ୍କୁ ସବୁ କଥାରେ ଚ୍ୟାଲେଞ୍ଜ ଦେବା, ନିଜସ୍ବ ସାମାଜିକ ଓ ସାଂସ୍କୃତିକ କାମ ଚଲାଇ ଦେଖିବା ମହେଶ୍ବରଙ୍କୁ ଅଶ୍ବସ୍ତିକର ଲାଗୁଛି। ପିନାକୀ ମିଶ୍ର ପୁରୀ ରାଜନୀତିରେ ଏତେଟା ଧାର ଧରୁନାହାନ୍ତି। ହେଲେ ରାଜନୈତିକ କାର୍ଯ୍ୟକ୍ରମରେ ମହେଶ୍ବରଙ୍କୁ ନିମନ୍ତ୍ରଣ ନ କରି ଲକିଙ୍କ ସହିତ ଯୋଗଦେବା ଶ୍ରୀ ମହାନ୍ତିଙ୍କୁ ପସନ୍ଦ ହୋଇନି। ଦୁଇ ଦଶନ୍ଧି ଧରି ମହେଶ୍ବରଙ୍କ ବିରୋଧରେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଥିବା ଉମାବଲ୍ଲଭ ରଥ, ବିପିନ ଦାଶ, ଉତ୍ତମ ଆଚାର୍ଯ୍ୟ, ସୁର ଦାଶ ଓ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଏତେଟା ଚର୍ଚ୍ଚାରେ ରହୁ ନ ଥିଲେ। ମାତ୍ର ଅଢ଼େଇ ବର୍ଷ ମଧ୍ୟରେ କୌଣସି ସାମ୍ବିଧାନିକ ପଦରେ ନ ଥାଇ ଲକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ପଛରେ ପ୍ରଣବ ପ୍ରକାଶ ଦାସଙ୍କ ଆଶୀର୍ବାଦ ଥିବା କୁହାଯାଉଛି।

ରାଜ୍ୟସ୍ତରୀୟ ଯେକୌଣସି ନେତା ଗଲେ ଲକିଙ୍କୁ ଖୋଜୁଛନ୍ତି। ଲକି ବିଜେଡି ସଂଗଠନରୁ ହଟି ନିଜସ୍ବ କାର୍ଯ୍ୟକ୍ରମ ବେଶ୍ ପାରିବାପଣିଆରେ ସମ୍ପନ୍ନ କରୁଛନ୍ତି। ହେଲେ ଲକିଙ୍କ ବିରୋଧରେ ମହେଶ୍ବର ତୃତୀୟ ମହଲା କିମ୍ବା ବବିଙ୍କ ପାଖରେ ଅଭିଯୋଗ କରିପାରୁ ନାହାନ୍ତି। ମହେଶ୍ବର ଯେ ନିଜକୁ ଅସହାୟ ଭାବୁଛନ୍ତି ସେକଥା ହାଇକମାଣ୍ଡଙ୍କୁ ଜଣାଇବା ପାଇଁ ତାଙ୍କର ସାଥୀଟିଏ ନାହାନ୍ତି। ତେଣୁ, ଧୀରେଧୀରେ ବିଶ୍ବାସ ଫେରି ପାଇବାକୁ ଚେଷ୍ଟା କରୁଥିବା ମହେଶ୍ବର ଏକ ଅଦୃଶ୍ୟ ମାୟାଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି। ସେ ଏଥିରୁ କିଭଳି ମୁକୁଳାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: