‘ନବୀନ ବିଜେଡି’ରେ କିଏ ହେବେ ନେତା? ସୌମ୍ୟ-ମହତାବ ନା ଆଉ କିଏ? କାହାକୁ ଗାଦି ଦେବେ ନବୀନ

‘ନବୀନ ବିଜେଡି’ରେ କିଏ ହେବେ ନେତା? ସୌମ୍ୟ-ମହତାବ ନା ଆଉ କିଏ? କାହାକୁ ଗାଦି ଦେବେ ନବୀନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବିଜୁ ଜନତା ଦଳ ବିଜେଡିର ଭବିଷ୍ୟତ କିଏ? ନବୀନ ପଟ୍ଟନାୟକଙ୍କ ପରେ କିଏ ସମ୍ଭାଳିବ ଶଙ୍ଖପତି ପଦଭାର ? ଆଉ କିଏ ବିଜେଡିର ନିରଙ୍କୁଶ ଶାସନକୁ ଲମ୍ବା ସମୟ ପର୍ଯ୍ୟନ୍ତ ସୁରକ୍ଷିତ କିଲ୍ଲାରେ ରଖି କ୍ଷମତାର ଉପଭୋଗ କରିବ? ଏହି ସବୁ ପ୍ରଶ୍ନ ବର୍ତ୍ତମାନ ଏଇଥିପାଇଁ ଉଙ୍କି ମାରୁଛି କାହିଁକି ନା ବିଜେଡିରେ ରହି ଦଳପତି ଓ ଦଳର ଆଭ୍ୟନ୍ତରୀଣ, ଭୁଲ ଭଟକା ନେତା-ଅଫିସରଙ୍କ ଭୂମିକାକୁ ପ୍ରଶ୍ନ ପରେ ପ୍ରଶ୍ନ କରି ଯଦି କିଏ ତେରେଛା ବାଣ ମାରିବାରେ ମାହିର୍ ତେବେ ବର୍ତ୍ତମାନର ତାଲିକାରେ ରହିବେ କଟକ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଭର୍ତ୍ତୃହରି ମହତାବ। ଶଙ୍ଖ ଦଳରେ ରହି ଦଳ ଓ ଦଳପତିଙ୍କୁ ପରୋକ୍ଷ ସମାଲୋଚନା କରିବାରେ ମାହିର ମତବାବ ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

କିଛି ଦିନ ତଳେ ସୌମ୍ୟ ରଞ୍ଜନ ନିଜ ମାଲିକାନାରେ ଏବଂ ସମ୍ପାଦକ ଥିବା ‘ସମ୍ବାଦ’ର ସମ୍ପାଦକୀୟ ‘ଆମ ଘରର ହାଲଚାଲ’କୁ ଏମିତି ଭାବରେ ବ୍ୟବହାର କଲେ ଯେ, ଏକା ସମୟରେ ହଲଚଲ ହେଲା ରାଜ୍ୟ ରାଜନୀତି । କୋଭିଡ୍ ପରିଚାଳନା ହେଉ ଅବା କରୋନା ସଂକ୍ରମଣ ଜନିତ ମୃତ୍ୟୁ ଅବା ଓଡ଼ିଶା ଶାସନରେ ଆଇଏଏସଙ୍କ ଏକ ପାଖିଆ ଅନଧିକାର ହସ୍ତକ୍ଷେପ, ଯାହାକୁ ବିରୋଧ କରି ବି ନାଚାର ବରିଷ୍ଠ ନେତା ଓ ମନ୍ତ୍ରୀ । ଛାମୁଙ୍କ ଛତ୍ରଛାୟା ତଳେ ରହି ଏକ ନିର୍ଦ୍ଧିଷ୍ଟ ଆଇଏଏସ ଗୋଷ୍ଠୀ ଶାସନକୁ ଯେମିତି ନିଜ ହାତକୁ ନେବାକୁ ସକ୍ଷମ ହୋଇଛନ୍ତି ଏବଂ ଶାସନରେ ପ୍ରତ୍ୟେକ୍ଷ ହସ୍ତକ୍ଷେପ ଜାହିର କରୁଛନ୍ତି ତାହା ପ୍ରମାଣିତ କରୁଛି ଓଡ଼ିଶା ଶାସନ ଓ ରାଜନୀତି ବିଶେଷ କରି ବିଜେଡିରେ ସବୁ କିଛି ଭୁଲ୍ ନ ହେଲେ  ବି ଠିକ୍ ଠାକ୍ ବି ଚାଲିନାହିଁ ।

ଏବେ ନଜର ପକାନ୍ତୁ କ’ଣ କହିଥିଲେ ସୌମ୍ୟ ଏବଂ କଣ କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।

ସୌମ୍ୟରଞ୍ଜନଙ୍କ ଘରର ହାଲଚାଲ

‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି?’’ ଶୀର୍ଷକ ସ୍ତମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ନେତୃତ୍ୱ ଓ ପ୍ରାଶାସନିକ କୁଶଳତାର ଭୂୟସୀ ପ୍ରଶଂସା ଥିଲେ ବି ଓଡ଼ିଶା ସରକାର କରୋନା ଭାଇରସ୍‌ ସଂକ୍ରମଣରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଖୁବ୍‌ କମ୍‌ କରି ଦେଖାଉଛନ୍ତି ବୋଲି ଲେଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ସ୍ତମ୍ଭ ବ୍ୟତୀତ ଖବରକାଗଜର ଭିତର ପୃଷ୍ଠାରେ କୋଭିଡ୍-୧୯ରେ ହେଉଥିବା ମୃତ୍ୟୁ ସଂଖ୍ୟାକୁ ସାରା ରାଜ୍ୟରେ କେମିତି କମ୍‌ କରି ଦେଖାଇବାକୁ ଚେଷ୍ଟା ହେଉଛି, ସେ ବିଷୟରେ ଗୋଟେ ପୂରା ପୃଷ୍ଠାର ରିପୋର୍ଟ ବି ସେ ପ୍ରକାଶିତ କରିଛନ୍ତି ।

ଭର୍ତ୍ତୃହରି ତାଙ୍କ ଲେଖା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରମଣା ଉକ୍ତିରୁ ଆରମ୍ଭ କରିଛନ୍ତି । ଗଣତନ୍ତ୍ରର ସଫଳତା କେବଳ ନିର୍ବାଚନରେ ବିପୁଳ ଭୋଟ୍ ପାଇଯିବା ନୁହେଁ ବାସ୍ତବ ସଫଳତା ହେଉଛି ଭିନ୍ନମତର ଆଦାନ ପ୍ରଦାନ । ଏପରିକି ଅବାନ୍ତର ଯୁକ୍ତିକୁ ମଧ୍ୟ ଶୁଣିବା । ତାଙ୍କର ଏହି ମନ୍ତବ୍ୟ ଏପରି ଏକ ସମୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯେବେ ଦେଶରେ ସର୍ବତ୍ର କେହି ଅନ୍ୟର କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ବୁଝିବା ତ ଦୂରର କଥା । ଏଭଳି ଉକ୍ତିକୁ ବ୍ୟବହାର କରି ଦଳ ଭିତର ହାଲଚାଲର ଚିତ୍ର ବୟାନ କରିଛନ୍ତି ଭର୍ତ୍ତୃହରି । ବିଗତ କିଛି ବର୍ଷ ହେଲା ବିଜେଡିକୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ନିୟନ୍ତ୍ରଣ କରୁଛନ୍ତି, ଯାହାଙ୍କୁ ନେଇ ଭର୍ତ୍ତୃହରି ଅସନ୍ତୋଷ ଥିବା ସ୍ପଷ୍ଟ ବାରି ହୋଇପଡୁଛି ।

ବର୍ତ୍ତମାନ ଦଳର ନେତା ହିଁ ସର୍ବେସର୍ବା । ନିର୍ବାଚିତ ପ୍ରତିନିଧି, ସିଏ ବିଧାନସଭାକୁ ନିର୍ବାଚିତ ହୁଅନ୍ତୁ କି ପାର୍ଲାମେଣ୍ଟକୁ । ସେମାନେ ଦଳ ବା ଦଳର ନେତାଙ୍କ ନିର୍ଦ୍ଦେଶରେ ମତ ପ୍ରଦାନ କରିବାକୁ ବାଧ୍ୟ ହୋଇଯାଇଛନ୍ତି । ଗୃହ ଭିତରେ ଆଉ ବୌଦ୍ଧିକ ବିଚାର – ଆଲୋଚନା ହେଉନାହିଁ । ହୋଇପାରୁ ନାହିଁ । ଜଣେ ଚାହିଁଲେ ବି ବ୍ୟକ୍ତିଗତ ମତ ରଖିପାରୁନାହିଁ । କାରଣ ଦଳର ଦୃଷ୍ଟିକୋଣକୁ ହିଁ କେବଳ ଗୃହରେ ଉପସ୍ଥାପନ କରିବା ଏକପ୍ରକାରେ ବାଧ୍ୟ କରାଯାଉଛି । ଯଦି କିଏ ଦଳର ନେତାଙ୍କ ସ୍ବାର୍ଥବିରୋଧୀ କିନ୍ତୁ ରାଷ୍ଟ୍ର ବା ରାଜ୍ୟ ସପକ୍ଷରେ ମତ ଦେଲା, ତେବେ ତାହାକୁ ଦଳବିରୋଧୀ ବୋଲି ଆଖ୍ୟା ଦେବାକୁ ଦୁଇ ମିନିଟ୍ ଲାଗୁନାହିଁ । କୌଣସି ଦଳରେ ସେପରି କିଛି ମଞ୍ଚ କି ଫୋରମ ନାହିଁ ଯେଉଁଠି ଏକଥା ସବୁ ଚର୍ଚ୍ଚା ହୋଇପାରିବ । କୌଣସି ଦଳ ନାଁ ନ ନେଇ ପରୋକ୍ଷରେ ନିଜ ଦଳ ବିଜେଡିରେ କଥା କହିଛନ୍ତି ଭର୍ତ୍ତୃହରି ।

ବର୍ତ୍ତମାନ ସମୟରେ ଚାଲିଥିବା ଅଫିସର ରାଜ୍ ବାବଦରେ ଖୁଲମଖୋଲା କହିଛନ୍ତି ଭର୍ତ୍ତୃହରି । ଅଫିସରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ସେ । କହିଛନ୍ତି, ଯଦି ଦଳ ସରକାରରେ ଅଛି, ତେବେ କିଛି ପଣ୍ଡିତ ଅଫିସର ହିଁ ସରକାରଙ୍କ ନୀତି ନିର୍ଦ୍ଧାରଣ କରିନେଉଛନ୍ତି । ତାହା ହିଁ ଶାସକଦଳର ନୀତି ଭାବେ ଲଦି ଦିଆଯାଉଛି । ପୂର୍ବରୁ ରାଜ୍ୟରେ ଅଫିସର ରାଜ୍ ବାବଦରେ ବିରୋଧୀ କହୁଥିବା ନଜରକୁ ଆସୁଥିଲା । ଏବେ ଦଳୀୟ ନେତା ମଧ୍ୟ ଆଲୋଚନା କରିବାକୁ ପଛେଇନାହାନ୍ତି । ଅତୀତରେ ବୈଜୟନ୍ତ ପଣ୍ଡା, ଦାମଦୋର ରାଉତ, ପ୍ରଫୁଲ୍ଲ ଘଡେଇ ଅନେକ ଏହି ଲିଷ୍ଟରେ ସାମିଲ ହୋଇ ବିଜେଡିରୁ ବିଦା ହୋଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: