କିଏ ହେବେ ପରବର୍ତ୍ତୀ ବିଏମସି କମିଶନର? ବଲୱନ୍ତ ନା କୁଲାଙ୍ଗେ ?

କିଏ ହେବେ ପରବର୍ତ୍ତୀ ବିଏମସି କମିଶନର? ବଲୱନ୍ତ ନା କୁଲାଙ୍ଗେ ?

ପ୍ରିଜମ୍ ନ୍ୟୁଜ(SUPER EXCLUSIVE): ପ୍ରାଶାସନିକ ପଦରେ ରହିବା କାହାକୁ ବା ଭଲ ନ ଲାଗେ। ଭାରତୀୟ ପ୍ରାଶାସନିକ ସେବାର ଅଧିକାରୀ ଯେକୌଣସି ରାଜ୍ୟରେ ଥାଆନ୍ତୁ ନା କାହିଁକି, ଦୁଇ ରାଜଧାନୀ ମୋହରେ ସର୍ବଦା ବାନ୍ଧି ହୋଇଯାଆନ୍ତି। ପ୍ରଥମେ ସେ ଯେଉଁ ରାଜ୍ୟ କ୍ୟାଡରର ଅଧିକାରୀ ହୋଇଥାନ୍ତି, ଅନ୍ୟଟି ଭାରତର ରାଜଧାନୀ ଦିଲ୍ଲୀରେ ଡେପୁଟେସନ। ହେଲେ ନିର୍ଦ୍ଦିଷ୍ଟ କିଛିଦିନ ଚାକିରୀ କରିବା ପରେ ଡେପୁଟେସନର ସୁଯୋଗ ମିଳିଥାଏ। ତେଣୁ, ରାଜ୍ୟ କ୍ୟାଡରରେ ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ପଦରେ ରହିବା ପ୍ରାୟ ସବୁ ଅଫିସର ଚାହିଁଥାନ୍ତି। ଆମ ରାଜ୍ୟରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଓ ଅରଣ୍ୟ ଭବନକୁ ବାଦ୍ ଦେଲେ ଆଉ ଏକ କାର୍ଯ୍ୟାଳୟ ରହିଛି, ଯାହାର ପ୍ରାଶାସନିକ ମୁଖ୍ୟ ହେବାକୁ ସବୁ ଉଦୀୟମାନ ଆଇଏଏସ୍ ଇଚ୍ଛା ପ୍ରକାଶ କରିଥାନ୍ତି। ସେହି ପଦଟି ହେଉଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି)।

ବର୍ତ୍ତମାନର ଶ୍ରୀମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଷନ କୁମାର(@Krishan_Kumar09) ବିଏମସି କମିଶନର ଥିଲାବେଳେ ସ୍ମାର୍ଟସିଟିର ହୁଲିଆ ବଦଳାଇବାକୁ ଏକ ପ୍ରକାର ଅଣ୍ଟା ଭିଡ଼ିଥିଲେ। ରାଜଧାନୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ତୃତୀୟ ମହଲାର ଗୁଡ୍ ସାର୍ଟିଫିକେଟ୍ ପାଇଥିଲେ। ଏହି ପଦରେ କିଛି ସମୟ ପାଇଁ ସମର୍ଥ ବର୍ମା(@samarth_verma) ଓ ଶୁଭମ ସକ୍ସେନା(Shubham Saxena) ରହିଥିଲେ। ହେଲେ ଏମାନେ ବେଶି ଦିନ ତିଷ୍ଠି ପାରି ନ ଥିଲେ। ଏହାପରେ କିନ୍ତୁ ପ୍ରେମଚନ୍ଦ ଚୌଧୁରୀ(Prem Chandra Chaudhury) ଦୀର୍ଘ ଦିନ ଧରି ବିଏମସି କମିଶନର ରହିଥିଲେ। ଏକ ଭିନ୍ନ କାରଣରୁ ତାଙ୍କୁ ଅବ୍ୟାହତି ଦିଆଯାଇ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ତାଙ୍କୁ ଦାୟିତ୍ବ ଦିଆଗଲା। ଏବେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ।

ବର୍ତ୍ତମାନ ସଞ୍ଜୟ ସିଂହ(@SanjayKr1997) ବିଏମସି କମିଶନର ଅଛନ୍ତି। ଏକ ବିଶେଷ ପରିସ୍ଥିତିରେ କୋଭିଡ୍ ପରିଚାଳନା ଦୃଷ୍ଟିରୁ ତାଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ନିଯୁକ୍ତି ଦିଆଯାଇଥିଲା। ପୂର୍ବାପେକ୍ଷା ରାଜଧାନୀର କୋଭିଡ୍ ଚିତ୍ର ହ୍ରାସ ପାଇବାରେ ଲାଗିଛି। ତେଣୁ, ସଞ୍ଜୟଙ୍କୁ ବିଏମସି କମିଶନର ପଦରୁ ଅପସାରଣ କରି ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଦିଆଯିବାର ଆଲୋଚନା ହେଉଛି। ତେଣୁ, ସଞ୍ଜୟ ଶିଳ୍ପ, ସୂଚନା ଓ ପ୍ରଶାସନ କିମ୍ବା ଏମ୍ଏସ୍ଏମ୍ଇ ବିଭାଗକୁ ଫେରି ପାରନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି। ତେବେ ସଞ୍ଜୟଙ୍କ ପରେ ବିଏମସି କମିଶନର କିଏ ହେବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଉ ଏହି ଚର୍ଚ୍ଚାରେ ସବୁଠୁ ଆଗରେ ଥିବା ଦୁଇ ଆଇଏଏସ୍ ହେଉଛନ୍ତି ୨୦୦୭ ବ୍ୟାଚର ବଲୱନ୍ତ ସିଂହ(@balwantskalewa7) ଏବଂ ୨୦୧୩ ବ୍ୟାଚ ଆଇଏଏସ୍ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ(@Vijaykulange)।


ବିଜୟ ଅମୃତ କୁଲାଙ୍ଗେ( @Vijaykulange )

କୋରୋନାର ପ୍ରଥମ ଲହର ବେଳେ ଗଞ୍ଜାମ ଜିଲ୍ଲା ପିକ୍ ରେ ଥିଲା। ଏହି ସମୟରେ ସୁପରିଚାଳନା କରି କୋରୋନାକୁ ନିୟନ୍ତ୍ରଣ କରିବାରେ ବିଜୟ ଅମୃତ କୁଲାଙ୍ଗେଙ୍କର ମୁଖ୍ୟ ଭୂମିକା ଥିଲା। ଟ୍ୱିଟରରେ ନିଷ୍ପତ୍ତି ନେବା ଭଳି ଦାମ୍ଭିକ ଅଫିସର କୁଲାଙ୍ଗେ କୋରୋନାର ଦ୍ୱିତୀୟ ଲହର ସମୟରେ ମଧ୍ୟ ଉଚିତ୍ ପରିଚାଳନା କରିଥିଲେ। ନିକଟରେ ସେ ଏକ ପୁସ୍ତକ ରଚନା କରି ଚର୍ଚ୍ଚାକୁ ଆସିଛନ୍ତି। ତେଣୁ ତୃତୀୟ ମହଲା ତାଙ୍କୁ ବିଏମସି କମିଶନର ଭଳି ପଦବୀ ଦେଇପାରେ ବୋଲି ଆଲୋଚନା ହେଉଛି।

ବଲୱନ୍ତ ସିଂହ( @balwantskalewa7 )

ମନେ ପକାନ୍ତୁ ୨୦୧୯ ପୂର୍ବରୁ ପୁରୀର ଚିତ୍ର। ସହରର ଚାରିକଡ଼ ଅଳିଆ ଆବର୍ଜନାରେ ଭର୍ତ୍ତି ଥିଲା। ସେହିପରି ଫନି ସମୟରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦାୟିତ୍ବ ନେଇଥିଲା ବଲୱନ୍ତ ସିଂହ। ସେହି ପରିସ୍ଥିତିରେ ରିଲିଫ ଯୋଗାଣ, ଫନି ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସେ ପ୍ରଶଂସିତ ହୋଇଥିଲେ। ପୁରୀକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିବା, ପୁରୀ ସମୁଦ୍ର ବେଳାଭୂମିକୁ ପରିଷ୍କାର କରିବାରେ ବଲୱନ୍ତ ପ୍ରମୁଖ ଭୂମିକା ନେଇଥିଲେ। ସେହିପରି ଶ୍ରୀମନ୍ଦିର ଚାରିକଡ଼ରେ ହୋଇଥିବା ନୂଆ ବ୍ୟବସ୍ଥା ସବୁରେ ମଧ୍ୟ ବଲୱନ୍ତ ଗୁରୁଦାୟିତ୍ୱ ନିଭାଇଥିଲେ। କୋଭିଡ୍ ପରିଚାଳନା ହେଉ କି ପ୍ରଥମ ଲହରରେ ରଥଯାତ୍ରା, ତାଙ୍କରି ନେତୃତ୍ୱ ପୁରୀ ପ୍ରଶାସନ ପାଇଁ ଆଣିଥିଲା ସଫଳତାର ଅନେକ ଫର୍ଦ୍ଦ। ବର୍ତ୍ତମାନ ସେ ଗୁରୁତ୍ବପୂର୍ଣ୍ଣ ଓଏମସି ଏମଡି ଭାବେ ଦାୟିତ୍ବ ବହନ କରୁଛନ୍ତି। ନିକଟ ଅତୀତରେ ପୁରୀ ପ୍ରଶାସନର ଦାୟିତ୍ୱରେ ଥିବାରୁ ତାଙ୍କ ଅଭିଜ୍ଞତାକୁ ମଧ୍ୟ ସୁବିନିଯୋଗ କରିବା ପାଇଁ ତୃତୀୟ ମହଲା ବିଚାର କରୁଛି।
ତେବେ ଏହି ଦୁଇ ଜଣଙ୍କ ମଧ୍ୟରୁ ନବୀନ କାହାକୁ ବାଛୁଛନ୍ତି, ନା ସବୁ ଥର ଭଳି ଏଥର ବି ସମସ୍ତଙ୍କୁ ମାଷ୍ଟରଷ୍ଟ୍ରୋକ୍ ଦେଉଛନ୍ତି, ତାହା ତ ସମୟ କହିବ। କିନ୍ତୁ, ପାୱାର କରିଡରରେ ଯେ ବିଏମସି କମିଶନର ବଦଳାଇବା ନେଇ ସ୍କ୍ରିପ୍ଟ ଲେଖା ଚାଲିଛି, ତାହା ଏଡ଼ାଇ ଦେଇ ହେବନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: