ପ୍ରଦୀପ କରିବେ କ’ଣ ?

ପ୍ରଦୀପ କରିବେ କ’ଣ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଜେଡିର ପୂର୍ବତନ ବିଧାୟକ (!) ପ୍ରଦୀପ ପାଣିଗ୍ରାହୀ ଆଜି ଦୀର୍ଘ ୬ ମାସ ପରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ଜାମିନରେ ମୁକୁଳିଲେ । ତାଙ୍କ ବିରୋଧରେ ଥିବା ସମସ୍ତ ୬ଟି ଯାକ ମାମଲାରେ ତାଙ୍କୁ ଜାମିନ ମିଳି ଯାଇଥିଲା । ଶେଷ ମାମଲାରେ ସେ ଗତକାଲି ଟାଟା ମୋଟର୍ସ ଠକେଇ ମାମଲାରେ ତାଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଦାଏର ହୋଇଥିବା ମାମଲାରେ ମଧ୍ୟ ଜାମିନ ପାଇବା ପରେ ତାଙ୍କ ଜେଲରୁ ବାହାରିବା ଆପାତତଃ ସ୍ପଷ୍ଟ ହୋଇ ଯାଇଥିଲା । ତେବେ ଓଡ଼ିଶା ହାଇକୋର୍ଟ ତାଙ୍କୁ ଦେଇଛନ୍ତି ସର୍ତ୍ତମୂଳକ ଜାମିନ । ବିଭିନ୍ନ ସର୍ତ୍ତ ମଧ୍ୟରୁ ଗୋଟିଏ ହେଉଛି, ସେ କୌଣସି ଛାପା କିମ୍ବା ବୈଦ୍ୟୁତିକ ଗଣମାଧ୍ୟରେ ତାଙ୍କ ବିରୋଧରେ ଥିବା ମାମଲା ସମ୍ପର୍କିତ ବିବୃତି ଦେଇ ପାରିବେ ନାହିଁ । ଯଦି ସେପରି କରନ୍ତି, ତେବେ ସେ କୋର୍ଟଙ୍କ ସର୍ତ୍ତ ଖିଲାପ କରିବା ଅଭିଯୋଗରେ ପୁଣି ଭିତରକୁ ଯାଇପାରନ୍ତି । ଏକଥାକୁ ଖୁବ୍ ଭଲ ଭାବରେ ଜାଣିସୁଦ୍ଧା ଆଜି ସେ ଜେଲରୁ ବାହାରି ଗାଡ଼ିରେ ବସିବା ପୂର୍ବରୁ ରାଜ୍ୟର ପ୍ରମୁଖ ଗଣମାଧ୍ୟମଗୁଡ଼ିକ ଯେପରି ତାଙ୍କୁ ଉସୁକାଇ ତାଙ୍କ ମୁହଁରୁ କଥା ପଦିଏ ବାହାର କରିବାକୁ ଚେଷ୍ଟା କରୁଥିଲେ ତାହା ବାସ୍ତବିକ ଦେଖିବାର କଥା । ବଡ଼କଥା ହେଉଛି (କେହି କେହି କହିପାରନ୍ତି କଥାରେ ଅଛି ପରା ଚୋରି ଉପରେ ସିନାଜୋରି, ତେଣୁ ଏସବୁ ଚଳିବ ବା ନିହାତି ସାଧାରଣ କଥା) ମିଷ୍ଟର ପାଣିଗ୍ରାହୀ ଯେଉଁ ଠାଣିମାଣିରେ ପତ୍ନୀଙ୍କ ଅଣ୍ଟାରେ ହାତଦେଇ ଜେଲରୁ ପଦାକୁ ଗୋଡ଼ କାଢ଼ିଲେ, ଲାଗୁଥିଲା (ବା ସିଏ ନିଜକୁ ଭାବୁଥିଲେ କି !) କେହି ସେଲିବ୍ରିଟି ବୋଧହୁଏ ।

ତେବେ ପ୍ରଦୀପ ତ ଜାମିନ ପାଇଗଲେ । ତାଙ୍କ ବନ୍ଧୁ, ସୁହୃଦ୍ ଓ ପରିବାର, ଖାସ୍ କରି ତାଙ୍କ ପାଇଁ ଦୀର୍ଘ ୬ ମାସ ଧରି ଆଇନର ଲଢ଼େଇ ଜାରି ରଖିଥିବା ତାଙ୍କ ପତ୍ନୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଗଲା । ହେଲେ ଏହା ପଛରେ ସେ ଯେଉଁ ପାମ୍ପଡ଼ ବେଲିଛନ୍ତି, ତାହା କେହି ଜାଣନ୍ତିନି ବା ଜାଣିବାକୁ ଚେଷ୍ଟା ବି କରିବେନି ବୋଧହୁଏ । (ଛାଡ଼ ହୋ… କୋଉ ଦେଶ ସ୍ୱାଧୀନ କରିବାକୁ ଜେଲ୍ ଯାଇଥିଲେ କି ? ଲୋକଙ୍କ ଝାଳବୁହା ଧନକୁ ଶୋଷି ଧରାପଡ଼ିବାରୁ ଯାଇଥିଲେ ପା’) ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରୁଜୁ ହୋଇଥିବା ୬ଟି ଆପରାଧିକ ମାମଲା ମଧ୍ୟରୁ ତିନିଟି ତ ଗୋଳନ୍ଥରା ଥାନାରେ ହିଁ ରୁଜୁ ହୋଇଥିଲା (ସମ୍ଭବତଃ ଏଇଠି ହିଁ ତାଙ୍କୁ ଫସାଇବାର ବ୍ଲୁ ପ୍ରିଣ୍ଟ ରଚା ଯାଇଥିଲା ବା ଏଠାକାର ଥାନାଧିକାରୀ ତାଙ୍କୁ ବାନ୍ଧି ଗଡ୍ ଫାଦରଙ୍କ ବାହାବାଃ ପାଇବାକୁ ଆତୁର ହୋଇ ପଡ଼ିଥିଲେ, ତେବେ ଏଇଟା ଆମ ଅନୁମାନ ମାତ୍ର, ଏଥିରେ ସତ୍ୟର ଗନ୍ଧ ଶୁଙ୍ଘି ଆମକୁ ଅଡୁଆରେ ପକାଇବେ ନାହିଁ ବୋଲି ଆଶା !!!) ଆଉ ଦୁଇଟା ମାମଲା ଗଞ୍ଜାମ ଜିଲ୍ଲାର ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିଲା । ଆଉ ଶେଷ ଅର୍ଥାତ୍ ଛଅ ନମ୍ବର ମାମଲାଟି ରୁଜୁ ହୋଇଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ।

ଏ ସମସ୍ତ ମାମଲାରେ ଜାମିନ ପାଇବାକୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ ବାବଦରେ କୋର୍ଟଙ୍କୁ ସିକ୍ୟୁରିଟି ବାବଦରେ ପଇଠ କରିବାକୁ ପଡ଼ିଛି, ପ୍ରାୟ ୭୦ ଲକ୍ଷ ଟଙ୍କା (ପ୍ରକୃତ ପରିମାଣଟା ହେଉଛି ୬୯.୪୫ ଲକ୍ଷ, ମାନେ ୭୦ ଲକ୍ଷକୁ ଆଉ ୫୫ ହଜାର କମ୍ ! ହଅଃ… ତାକୁ ରାଉଣ୍ଡ ଫିଗର ୭୦ ଲକ୍ଷ ଧରନ୍ତୁ ନା ।) ସେଥିରୁ ୪୭.୪୫ ଲକ୍ଷ ଟଙ୍କା କ୍ରାଇମବ୍ରାଞ୍ଚକୁ ଏବଂ ୬ ଲକ୍ଷ ଟଙ୍କା ବୈଦ୍ୟନାଥପୁର ଥାନା କେସ୍ ବାବଦକୁ । ମାନେ ବାକି ୧୬ ଲକ୍ଷ ଟଙ୍କା ଗୋଳନ୍ଥରା ଥାନାର ୩ଟି ମାମଲା ବାବଦକୁ । ଅର୍ଥାତ୍ ସିଧାକଥାରେ କହିବାକୁ ଗଲେ, ପ୍ରଦୀପ ପାଣିଗ୍ରାହୀ ନିଜର ୭୦ ଲକ୍ଷ ଟଙ୍କା ଆଉ ୬ ମାସ (ଏଇଟା ମୂଲ୍ୟବାନ, ଟଙ୍କା ନୁହେଁ; ସିଏ ତ ତାଙ୍କ ଦେହର ମଳି !) ବିନିମୟରେ ପାଇଲେ ଜାମିନ । ବାହାରକୁ ସିନା ଜଣାପଡୁଛି ଯେ, ଏ ଜାମିନଟା କିଛି ନୁହେଁ ଆଉ ତାଙ୍କୁ ଆହୁରି କାନୁନୀ ଲଢ଼େଇ ଲଢ଼ିବାକୁ ପଡ଼ିବ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ । ହେଲେ ସମସ୍ତେ ଜାଣନ୍ତି, ସେ ଆଉ ଭିତରକୁ ଯିବେନି । (ଆରେ, ସେଥିପାଇଁ କିଛି ଗୋଟେ ‘ଅଣ୍ଡର ଦି ଟେବୁଲ’ ଉହୁଁ, ‘ବିହାଇଣ୍ଡ ଦି ସିନ୍’ ସମଝୌତା ହୋଇଯାଇନି ତ !) ଯେଉଁ ନେତା ଜାମିନ ପାଇଁ ୭୦ ଲକ୍ଷ ଟଙ୍କା ସିକ୍ୟୁରିଟି ଦେଇପାରେ, ସିଏ ଯେ ନିଜ ଝାଳବୁହା ଧନରୁ ଏହା ଦେଇ ନ ଥିବ, ସେକଥାର ତ ସିଧା ସିଧା ପ୍ରମାଣ ମିଳିଯାଉଛି । କାରଣ ଜଣେ ବିଧାୟକ କ’ଣ ଏମିତି ତୀର ମାରିଦେଲା ଯେ ୭୦ ଲକ୍ଷ ଟଙ୍କା ତା’ ପାଖକୁ ଆସିଗଲା ? ଏଇଥିରେ ହିଁ ତ ପ୍ରଦୀପ ପାଣିଗ୍ରାହୀ ସିଧା ଛନ୍ଦି ହେଉଛନ୍ତି ଯେ, ତାଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ଗଚ୍ଛିତ ଅଛି ବୋଲି । ଆଉ ପ୍ରମାଣ କ’ଣ ଦରକାର ? ସିକ୍ୟୁରିଟି ରାଶିର ପରିମାଣ କମ୍ ହୋଇଥିଲେ କିଛି କଥା ନ ଥିଲା । ମାତ୍ର ଏତେବଡ଼ ପରିମାଣ ହୋଇଥିବାରୁ କୋର୍ଟ ଥରେ ତାଙ୍କୁ ପଚାରିବେ କି, ସେ କେଉଁଠାରୁ ଏ ଅର୍ଥ ରାଶି ଆଣି ସିକ୍ୟୁରିଟି ଡିପୋଜିଟ୍ କରି ଜାମିନ ନେଲେ ?

ଗତ ୩ ଡିସେମ୍ବର ୨୦୨୦ରେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଅଭିଯୋଗ ଥିଲା ଭାବି ଜ୍ୱାଇଁ ଆକାଶ ପାଠକଙ୍କ ତରଫରୁ ସେ ଟାଟା କମ୍ପାନୀରେ ଚାକିରୀ ଦେବାକୁ ଲୋକଙ୍କଠୁ ନେଉଥିଲେ ମୋଟା ଅଙ୍କର ଟଙ୍କା, ଯାହା ଥିଲା ଘୁଷ୍ ବା ଲାଞ୍ଚ । ଏ ମାମଲାରେ ଆକାଶ ପାଠକ ଆଉ ସିଆଡ଼େ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଚରା (!) ଭାବି ସମୁଦୀ ଅଭୟକାନ୍ତ ପାଠକ ବି ପୂର୍ବରୁ ବନ୍ଧା ହୋଇ ସାରିଥିଲେ । ପ୍ରଦୀପଙ୍କ ନାମରେ ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ଆଇପିସି ୧୨୦-ବି, ଧାରା ୬୬, ସି/୬୬-ଡି (୨୦୦୦ ମସିହା ଆଇଟି ଆକ୍ଟ) ଏମିତି କେତେ କ’ଣ ଧାରାରେ ରାତିକା ରାତି ରୁଜୁ ହୋଇଗଲା ମାମଲା । କାହା ଇସାରାରେ ମାମଲା ରୁଜୁ ହେଲା, ସେକଥା ଉହ୍ୟ ଥାଉ, (ସମସ୍ତେ ଜାଣନ୍ତି ମ… ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି) ହେଲେ ଓଡ଼ିଶା ପୋଲିସ କେତେ ତତ୍ପରତାର ସହ ତାଙ୍କୁ ବାନ୍ଧି ପୂରେଇଲା, ତାହା ବାସ୍ତବିକ ଦେଖିବାର କଥା ।

ବାସ୍, ଏଇଆ ହିଁ ତ ଦରକାର ଥିଲା ନା । ତୁରନ୍ତ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଥରର ବିଧାୟକ ଓ ଥରୁଟେ ମନ୍ତ୍ରୀ ଥିବା ପ୍ରଦୀପଙ୍କୁ ଜନବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଦଳରୁ ବହିଷ୍କାର କଲେ । ପ୍ରଦୀପ ଡେଇଁଲେ, ପତ୍ନୀ ବି ଡେଇଁଲେ । ପତ୍ନୀ ଗଣମାଧ୍ୟମରେ ବିବୃତି ଦେଲେ, ଆମେ କ’ଣ ଜନବିରୋଧୀ କାମ କରିଛୁ, ସେ କଥା ତ କୁହାଗଲାନି ? ଦିନାକେତେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ପତ୍ନୀ ଶିରୋମଣୀ ପତିଙ୍କ ଗିରଫ ପରେ ତୁନି ପଡ଼ିଲେ ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ବର୍ତ୍ତମାନ କ’ଣ ? ମାନେ ଏବେ ପ୍ରଦୀପଙ୍କର ହେବ କ’ଣ ? ଯେଉଁମାନେ ଭାବୁଥିବେ ଯେ, ତାଙ୍କ ନାମରେ ଥିବା ମାମଲାଗୁଡ଼ିକର ବିଚାର ଚାଲିବ ଏବଂ ଦିନେ ନା ଦିନେ ସେ ଦଣ୍ଡ ପାଇବେ, ସେମାନଙ୍କ ଜାଣିବା ପାଇଁ କହିରଖୁ; ଭାଇମାନେ ଏଇଟା କେବଳ ଦିବାସ୍ୱପ୍ନ ମାତ୍ର । କାରଣ ଯଦି କିଛିଗୋଟେ ବୁଝାମଣା ହୋଇ ନ ଥାନ୍ତା, ତେବେ ବାବୁ ପ୍ରଦୀପ ପାଣିଗ୍ରାହୀ ଜେଲରୁ ହିଁ ବାହାରି ନ ଥାନ୍ତେ । ତେଣୁ ସେ ବାବଦରେ ଆପଣ ଜମା ବି ସନ୍ଦେହ କରନ୍ତୁ ନାହିଁ । ବାକି କଥାଟା ହେଲା, ଏବେ ପ୍ରଦୀପ କରିବେ କ’ଣ ! ହୁଏତ ସେ ନବୀନ ନିବାସ ନ ଯିବା ସର୍ତ୍ତରେ ରାଜି ହୋଇଥିବେ (ଆପଣ ତ ଜାଣନ୍ତି ଆଗରୁ ସେ କିଭଳି ଅବାଧରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଥିଲେ, ଯେଉଁଥିପାଇଁ ‘ନେପଥ୍ୟ ନାୟକ’ଙ୍କ ଚକ୍ଷୁଶୂଳ ହୋଇଥିଲେ) । ଦଳରେ (ଭବିଷ୍ୟତରେ ଯେ ବିଜେଡି ତାଙ୍କୁ କୋଳେଇ ନ ନେବ ସେମିତି ଭାବନ୍ତୁନି) ତାଙ୍କୁ କୋଣଠେସା କରି ରଖାହେବା ବିରୋଧରେ ଉଁ କି ଚୁଁ କରିବେନି । ନବୀନଙ୍କ ପାଖଲୋକ ବୋଲି ରାଇଜବାସୀଙ୍କ ଧାରଣାକୁ ଖୋରାକ ଯୋଗାଇବା ଭଳି କାମ କରିବେନି । ଏମିତି ଆଉ କିଛି ସର୍ତ୍ତ ବି ଥାଇପାରେ । ତେବେ ବର୍ତ୍ତମାନ ନିର୍ବାଚନ ବି ପାଖରେ ନାହିଁ, ଯାଇ ତିନିବର୍ଷ ପରେ । ଏତିକି ସମୟ ଲୋକେ ଭୁଲିଯିବା ପାଇଁ ଯଥେଷ୍ଟ । ଆଉ ୨୦୨୪ ବେଳକୁ ଯଦି ପ୍ରଦୀପ ହିଁ ଗୋପାଳପୁର ଆସନରେ ଶଙ୍ଖଦଳର ପ୍ରାର୍ଥୀ ସାଜନ୍ତି, ତା’ହେଲେ ବି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ହେଲେ ଏଇ ୬ ମାସିଆ (ଜେଲ୍ ମାଡ଼) ଝଟକା ଯେ ପ୍ରଦୀପଙ୍କୁ ମାଟି କାମୁଡ଼ାଇବାକୁ ଯଥେଷ୍ଟ ଥିଲା ଓ ସେ ଆଉ ନବୀନ ନିବାସ ସହ ସିଧା ସମ୍ପର୍କରେ ଆସିବାର ଧୃଷ୍ଟତା କରିବେ ନାହିଁ, ଏକଥାର ଅନୁମାନ ଲଗାଯାଇ ପାରେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: