ଶାଶୁ ଉପରେ ରାଗ ସୁଝେଇଲା ବୋହୂ, ୱେଟରଙ୍କୁ ଦେଲା ଟିପ୍ସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯେତେ ସମ୍ପର୍କ ଥାଉନା କାହିଁକି, ଶାଶୁ-ବୋହୂଙ୍କର ସମ୍ପର୍କ ସବୁଠୁ ନିଆରା ହୋଇଥାଏ । ଏହା ଏପରି ଖଟା-ମିଠା ସମ୍ପର୍କ ହୋଇଥାଏ ଯେଉଁ ଠାରେ ଝଗଡା ତ ଥାଏ, ତା ସହ ପ୍ରେମ ମଧ୍ୟ ରହିଥାଏ। ସେମାନେ ଟିକିଏ ଟିକେ କଥାରେ ମୁହଁ ଫୁଲାନ୍ତି ପୁଣି ଏକାଠି ବସି ଟିଭି ସିରିୟଲ ଦେଖନ୍ତି। ତେବେ ବେଳେ ବେଳେ ଏମିତି ବି ହୁଏ ଶାଶୁ ବୋହୂର କି ବୋହୂ ଶାଶୁର ସିରି ମଧ୍ୟ ଦେଖି ପାରେନି। ସେହି ଭଳି ଶାଶୁ ବୋହୂଙ୍କ ସମ୍ପର୍କ ସହ ଜଡିତ ଏକ ମାମଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଠାରେ ବୋହୂ ତାଙ୍କ ଶାଶୁଙ୍କ ପୋଷାକରେ ତରକାରୀ ଢ଼ାଳିଥିବା ୱେଟରଙ୍କୁ ଟିପ୍ସ ସ୍ୱରୂପ ସାଢେ ସାତ ହଜାର ଟଙ୍କା ଦେଇଥିଲେ। ତାହା ପୁଣି ନିଜ ବାହାଘର ଦିନ। ଅବଶ୍ୟ, ୱେଟର ଅଜଣାତରେ ଶାଶୁଙ୍କ ପୋଷାକରେ ତରକାରୀ ଢ଼ାଳି ଦେଇଥିଲେ କିନ୍ତୁ ଏହି ଭୁଲରେ ବୋହୂରାଣୀ ଏତେ ଖୁସି ହୋଇଯାଇଥିଲେ ଯେ, ସେ ୱେଟରକୁ ଟିପ୍ସ ଭାବରେ ହଜାର ହଜାର ଟଙ୍କା ଦେବାକୁ ପଛେଇ ନଥିଲେ।


ଘଟଣାଟି ବ୍ରିଟେନର ବୋଲି ଜଣାପଡିଛି। ଏଠାରେ କ୍ଲୋ.ବି ନାମକ ଜଣେ ମହିଳା ଏକ ବାହାଘରରେ ୱେଟର ଭାବରେ କାର୍ଯ୍ୟ କରୁଥିଲେ। କ୍ଲୋ.ବି ନିଜ ଟିକଟକ୍ ଆକାଉଣ୍ଟରେ ଏହି ପୁରା ଘଟଣା ବିଷୟରେ ପ୍ରକାଶ କରିଛନ୍ତି। ସେ ଭିଡିଓରେ କହିଛନ୍ତି ଯେ, ଥରେ ସେ ଜଣେ ମହିଳାଙ୍କ ଉପରେ ତରକାରୀ ପରିପୂର୍ଣ୍ଣ ଏକ ପାତ୍ର ଭୁଲ ବଶତଃ ପକାଇ ଦେଇଥିଲେ। ଧଳା ରଙ୍ଗର ପୋଷାକ ପିନ୍ଧି ମହିଳା ଜଣକ ନିଜ ପୁଅ ବାହାଘରକୁ ଆସିଥିଲେ। ତେବେ ତାଙ୍କର ସେହି ଭୁଲ ପାଇଁ ବିରକ୍ତ ହେବା ପରିବର୍ତ୍ତେ କନ୍ୟା କ୍ଲୋଙ୍କୁ ଏକ ଟିପ୍ସ ଭାବରେ ପ୍ରାୟ ୧୦୦ ଡଲାର ଅର୍ଥାତ୍ ୭୫୦୦ ଟଙ୍କା ଦେଇଥିଲେ ବୋଲି ସେ କହିଛନ୍ତି।
କ୍ଲୋଙ୍କ କହିବା ଅନୁଯାୟୀ, କନ୍ୟା ତାଙ୍କୁ କହିଥିଲେ, ‘ମୋ ଶାଶୁ ଧଳା ପୋଷାକ ପିନ୍ଧି ମୋ ବାହାଘରକୁ ଆସିବା ଉଚିତ୍ ନଥିଲା।’ ତେବେ କ୍ଲୋ କହିଛନ୍ତି ଯେ, ଭଗବାନଙ୍କ ଦୟାରୁ ମହିଳା ଜଣକ ପାଖରେ ରହୁଥିଲେ ଏବଂ ତରକାରୀ ଢ଼ାଳି ଯିବାପରେ ସେ ତାଙ୍କ ପୋଷାକ ବଦଳାଇଥିଲେ।

Leave a Reply

Your email address will not be published. Required fields are marked *