ୱହିଦା ରେହମାନଙ୍କୁ ନିଜର ଏହି ୫ଟି ସିନେମା ଅଧିକ ପସନ୍ଦ

ୱହିଦା ରେହମାନଙ୍କୁ ନିଜର ଏହି ୫ଟି ସିନେମା ଅଧିକ ପସନ୍ଦ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏକଦା ପଚାଶ ଓ ଷାଠିଏ ଦଶକରେ ରୁପେଲି ପରଦାରେ ନିଜ ଅଭିନୟର ପରାକାଷ୍ଠା ଦେଖାଉଥିଲେ ସେ । ତାଙ୍କର ପ୍ରତିଟି ଅଭିନୟ ଥିଲା ଜୀବନ୍ତ । ସେଥିପାଇଁ ତ ୧୯୬୭ ମସିହାରେ ‘ଗାଇଡ୍’ ସିନେମା ପାଇଁ ସେ ପାଇଥିଲେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର । ୱହିଦା ରେହମାନ । ସେ ସମୟରେ ଜଣେ ଆଗଧାଡ଼ିର ଅଭିନେତ୍ରୀ । ଏବେ ବି ତାଙ୍କୁ କାଁ ଭାଁ କେତେକ ସିନେମାରେ ଦେଖିବାକୁ ମିଳେ । ତେବେ ଆପଣ ଜାଣିଛନ୍ତି କି ୱହିଦା ରେହମାନଙ୍କୁ ତାଙ୍କ ଅଭିନୀତ କେଉଁ ୫ଟି ସିନେମା ଅଧିକ ପସନ୍ଦ ଲାଗେ…?

ଗାଇଡ୍


୧୯୬୫ ମସିହାରେ ପ୍ରସିଦ୍ଧ ଲେଖକ ଆରକେ ନାରାଣଙ୍କ ଉପନ୍ୟାସ ‘ଦ ଗାଇଡ୍’କୁ ନେଇ ତିଆରି ହୋଇଥିଲା ‘ଗାଇଡ୍’ ସିନେମା । ଭାରତୀୟ ସିନେମାର ଏହି କାଳଜୟୀ ଫିଲ୍ମକୁ ନିର୍ମାଣ କରିଥିଲେ ଦେବ୍‌ ଆନନ୍ଦ । ଏହାର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ବିଜୟ ଆନନ୍ଦ । ତେବେ ହିନ୍ଦୀ ସମେତ ଇଂରାଜୀରେ ମଧ୍ୟ ନିର୍ମାଣ କରାଯାଇଥିଲା ଏହି ସିନେମା । ତେବେ ‘ଗାଇଡ୍‌’ କେବଳ କାହାଣୀ, ନିର୍ଦ୍ଦେଶନା, ଅଭିନୟ, ଫୋଟୋଗ୍ରାଫି, ସୁଟିଂ ଲୋକେସନ୍‌କୁ ନେଇ କମାଲ କରି ନ ଥିଲା, ଗୀତରେ ମଧ୍ୟ ସମସ୍ତଙ୍କ ହୃଦୟ ଜିତିଥିଲା । ସଚିନ ଦେବ ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଲତା ମଙ୍ଗେସକରଙ୍କ ଗୀତ ‘ଆଜ୍‌ ଫିର୍ ଜିନେ ତି ତମନ୍ନା ହୈ’ ଆଜି ବି ଜୀବନରେ ଏକ ନୂଆ ରଙ୍ଗ ଭରି ଦେଇଥାଏ । ଏହାସହ ୱହିଦା ରେହମାନଙ୍କ ମସ୍ତିଭରା ଅଭିନୟ ସମସ୍ତଙ୍କୁ ବିମୋହିତ କରିଥାଏ । ଏହି ସିନେମା ପାଇଁ ୱହିଦା ରେହମାନଙ୍କୁ ଚିକାଗୋ ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଥିଲା । ଏହାସହ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା ।

ମୁଝେ ଜିନେ ଦୋ


୧୯୬୩ ମସିହାରେ ନିର୍ମିତ ଏହି କଳା-ଧଳା ସିନେମା ଥିଲା ବଡ଼ ବିଚିତ୍ର । ଏହି ସିନେମାରେ ଡାକୁ ସମସ୍ୟାକୁ ଅତ୍ୟନ୍ତ ଭାବନାତ୍ମକ ଢଙ୍ଗରେ ଦର୍ଶାଯାଇଥିଲା । ଜଣେ ଡାକୁ ସହ କିଭଳି ତନୁ-ମନ ଦେଇ ପ୍ରେମ କରାଯାଇପାରେ, ତାହା ଏହି ସିନେମାର କାହାଣୀକୁ ଗତିଶୀଳ କରାଇଛି । ମୋନି ଭଟ୍ଟାଚାର୍ଯ୍ୟଙ୍କ ଏହି ସିନେମାରେ ୱହିଦା ରେହମାନଙ୍କ ସହ ଅଭିନୟ କରିଛନ୍ତି ସୁନିଲ ଦତ୍ତ । ଏହାସହ ସୁନିଲ ହେଉଛନ୍ତି ଏହି ସିନେମାର ନିର୍ମାତା । ନିରୁପା ରାୟ ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ଡାକୁ ଓ ସମାଜକୁ ନେଇ ‘ଜିସ୍ ଦେଶ୍ ମୈ ଗଙ୍ଗା ବହତି ହୈ’ ଏବଂ ‘ଗଙ୍ଗା ଯମୁନା’ ପରେ ‘ମୁଝେ ଜିନେ ଦୋ’ ସେହି ସମୟର ଅନ୍ୟତମ ସୁପରହିଟ୍ ସିନେମା । ଡାକୁ ଜେନେରାଲ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ସୁନିଲ ଦତ୍ତ । ୧୯୬୪ରେ ଏହି ସିନେମା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା । ଚମେଲିଜାନ୍ ଭୂମିକାରେ ଏହି ସିନେମାରେ ଅଭିନୟ କରିବା ପରେ ୱହିଦା ରେହମାନଙ୍କୁ ଏକ ନୂଆ ଶିଖର ମିଳିଥିଲା । ତେବେ ଏହି ଫିଲ୍ମରେ ସବୁଠୁ ଆକର୍ଷଣ ଥିଲା ସାହିର ଲୁଧିଆନୱିଙ୍କ ଗୀତ ଏବଂ ଜୟଦେବଙ୍କ ସଂଗୀତ ନିର୍ଦ୍ଦେଶନା । ଏଥିରେ ଶାସ୍ତ୍ରୀୟ ଧୂନ୍‌ରେ ‘ନଦୀ ନାରେ ନା ଜାଓ ଶ୍ୟାମ୍ ପଇୟାଁ ପଁଡୁ ’କୁ ଗାଇଥିଲେ ଆଶା ଭୋଁଶଲେ । ଏହାସହ ‘ରାତ୍ ଭି ହୈ କୁଛ୍‌ ଭିଗି ଭାଗୀ’ ଅନ୍ୟତମ ଲୋକପ୍ରିୟ ଗୀତ ।

ଖାମୋସୀ


ୱହିଦା ରେହମାନଙ୍କ ଅନ୍ୟତମ ପସନ୍ଦର ସିନେମା ହେଉଛି ଖାମୋସୀ । ରାଜେଶ ଖାନ୍ନାଙ୍କ ସହ ଅନ୍ ସ୍କ୍ରିନ୍ ରୋମାନ୍ସ ୱହିଦାଙ୍କୁ ଆହୁରି ଲୋକପ୍ରିୟ କରାଇଥିଲା । ଏହି ସିନେମା ଆଶୁତୋଷ ମୁଖାର୍ଜୀଙ୍କ କ୍ଷୁଦ୍ର ଗଳ୍ପ ‘ନର୍ସ ମିତ୍ର’କୁ ଆଧାର କରି ନିର୍ମାଣ କରାଯାଇଥିଲା । ଏହା ପୂର୍ବରୁ ନିର୍ଦ୍ଦେଶକ ଅସିତ ସେନ ଏହି ଗଳ୍ପକୁ ନେଇ ଅଭିନେତ୍ରୀ ସୁଚିତ୍ରା ସେନଙ୍କ ସହ ୧୯୫୯ ମସିହାରେ ବଙ୍ଗଳା ସିନେମା ‘ଦୀପ୍ ଜ୍ବଲେ ଜାଇ’ ତିଆରି କରି ସାରିଥିଲେ । ତେଣୁ ୧୯୬୯ରେ ଯେତେବେଳେ ହିନ୍ଦୀରେ ଏହି ସିନେମା ତିଆରି ହେଲା, ସେତେବେଳେ ୱହିଦାଙ୍କୁ ତ ଚୟନ କରା ସରିଥିଲା । କିନ୍ତୁ ହିରୋ କାହାକୁ ନିଆଯିବ, ତାହା ଅସିତ ସେନଙ୍କୁ ଚିନ୍ତାରେ ପକାଇଥିଲା । ଏହାପରେ ୱହିଦା ରେହମାନ ହିଁ ରାଜେଶ ଖାନ୍ନାଙ୍କ ନାଁ ସୁପାରିସ କରିଥିଲେ । ‘ଆଖିରି ଖତ୍’ ଦେଖିବା ପରେ ୱହିଦା ରାଜେଶଙ୍କ ନାଁ ନେଇଥିଲେ । ତେବେ ଏହି ସିନେମା ମାନସିକ ରୋଗୀ ହସ୍ପିଟାଲର ଜଣେ ନର୍ସ ରାଧାଙ୍କ ମାର୍ମିକ କାହାଣୀ । ଏହି ସିନେମାର ନିର୍ମାତା ସମେତ ସଙ୍ଗୀତକାର ମଧ୍ୟ ହେମନ୍ତ କୁମାର । ସେହିପରି ଗୁଲଜାର ସାହେବ ଏହାର ଚିତ୍ରନାଟ୍ୟ ଓ ଗୀତ ଲେଖିଛନ୍ତି । ‘ହମ୍‌ନେ ଦେଖି ହୈ ଉନ୍‌ ଆଁଖୋ କି ମହକତି ଖୁସ୍‌ବୁ’, ‘ତୁମ୍ ପୁକାର୍ ଲୋ’ ଏବଂ ‘ୱ ସାମ୍ କୁଛ୍ ଅଜିବ୍ ଥି’ ଏବେ ବି ଲୋକଙ୍କ ମନରେ ଗୁଣୁଗୁଣେଇ ହୁଏ । ଏହି ସିନେମାକୁ ସେତେବେଳେ କଳା-ଧଳା ସିନେମାଟୋଗ୍ରାଫି ପାଇଁ ଫଲ୍ମ ଫେୟାର ପୁରସ୍କାର ମିଳିଥିଲା ।

ତିସରି କସମ୍


‘ତିସରି କସମ୍’ ହେଉଛି ଏମିତି ଏକ ସିନେମା, ଯାହାକୁ ୧୯୬୬ ମସିହାରେ ପ୍ରଥମେ ଦର୍ଶକ ପସନ୍ଦ କରି ନ ଥିଲେ । କିନ୍ତୁ ଏବେ ଏହା ଏମିତି ଏକ କାଳଜୟୀ ସିନେମା, ଯେ ଏହା ବିନା ଭାରତୀୟ ସିନେମାର ଇତିହାସ ସତେ ଯେମିତି ଅଧୁରା ଲାଗେ । ଫଣିଶ୍ବର ନାଥ ରେଣୁଙ୍କ ‘ମାରେ ଗଏ ଗୁଲଫାନ୍’ ଉପରେ ଆଧାରିତ ଏହି ସିନେମାର ନିର୍ମାତା ହେଉଛନ୍ତି ଗୀତିକାର ଶୈଳେନ୍ଦ୍ର । ଆଉ ଏହାର ନିର୍ଦ୍ଦେଶକ ହେଉଛନ୍ତି ଭାରତୀୟ ସିନେମାର ଅନ୍ୟତମ ଯାଦୁଗର ବାସୁ ଭଟ୍ଟାଚାର୍ଯ୍ୟ । ଫିଲ୍ମର ଆକର୍ଷଣ ଥିଲେ ରାଜ କପୁର ଏବଂ ୱହିଦା ରେହମାନ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ସିନେମା ତିଆରି କଲା ସମୟରେ ଶୈଳେନ୍ଦ୍ର ଋଣରେ ଡୁବି ଯାଇଥିଲେ । ୧୯୬୭ରେ ଏହି ସିନେମା ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଏହାସହ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ବାସୁ ଭଟ୍ଟାଚାର୍ଯ୍ୟଙ୍କୁ ମସ୍କୋ ଫିଲ୍ମ ସମାରୋହ ପୁରସ୍କାର ମିଳିଥିଲା । ଏହି ସିନେମାରେ ସମୁଦାୟ ୧୦ଟି ଗୀତ ଅଛି । ‘ସଜନ୍‌ରେ ଝୁଠ୍ ମତ୍ ବୋଲୋ’, ‘ଦୁନିଆ ବନାନେ ବାଲେ’, ‘ପାନ୍ ଖାଏ ସଇଁୟା ହମାରା’ ଏବଂ ‘ଚଲତ୍ ମୁସାଫିର୍’ ସବୁଠୁ ଲୋକପ୍ରିୟ ଗୀତ ।

ରେସମା ଔର୍ ସେରା


ନିର୍ମାତା ଏବଂ ନିର୍ଦ୍ଦେଶକ ସୁନିଲ ଦତ୍ତଙ୍କ ଏହି ସିନେମା ପାଇଁ ୱହିଦା ରେହମାନଙ୍କୁ ମିଳିଥିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ରେସମା ଭୂମିକାରେ ଅଭିନୟ କରି ୱହିଦା ଅନେକ ପ୍ରଶଂସା ସାଉଁଟି ଥିଲେ । ସେହିପରି ୧୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ୱହିଦାଙ୍କ ସମେତ ଜୟଦେବଙ୍କୁ ନିର୍ଦ୍ଦେଶନା ପାଇଁ ଏବଂ ରାମଚନ୍ଦ୍ରଙ୍କୁ ସିନେମାଟୋଗ୍ରାଫି ପାଇଁ ପୁରସ୍କାର ମିଳିଥିଲା । ରାଜସ୍ଥାନ ପୃଷ୍ଠଭୂମିକୁ ନେଇ ତିଆରି ହୋଇଥିବା ଏହି ସିନେମାରେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ୧୯୭୧ରେ ନିର୍ମିତ ହୋଇଥିବା ଏହି ସିନେମାରେ ଅମିତାଭ ବଚ୍ଚନ, ବିନୋଦ ଖାନ୍ନା, ରାଖି, ଅମରିଶ ପୁରୀ ଏବଂ ରଣଜିତଙ୍କ ଭଳି ମହାନ କଳାକାର ଅଭିନୟ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: