ବଦଳିବ କଲେଜ ଓ ୟୁନିଭର୍ସିଟି ନାମଲେଖା ପ୍ରକ୍ରିୟା

ବଦଳିବ କଲେଜ ଓ ୟୁନିଭର୍ସିଟି ନାମଲେଖା ପ୍ରକ୍ରିୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଦଳିବ କଲେଜ ଓ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା । ଯୁକ୍ତ ଦୁଇ ମାର୍କ କିମ୍ବା କଟ୍ ଅଫ୍ ଆଧାରରେ ନୁହେଁ, ଏଥର ଠାରୁ ହେବ ସ୍ବତନ୍ତ୍ର ପ୍ରବେଶିକା । ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ ଏହି ନିଷ୍ପତ୍ତି ନେଇଛି। ନାସନାଲ୍ ଟେଷ୍ଟିଂ ଏଜେନ୍‌ସୀ ଦ୍ବାରା ପରିଚାଳିତ ହେବ ସେଣ୍ଟ୍ରାଲ୍ ୟୁନିଭରସିଟି କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା CUCET । କମ୍ପ୍ୟୁଟର୍ ଦ୍ବାରା ହେବାକୁ ଥିବା ଏହି ପରୀକ୍ଷା କେବଳ ସଂକ୍ଷିପ୍ତ ପ୍ରଶ୍ନ ଆଧାରିତ ହେବ । ଯାହା ବୈଷୟିକ ଦୃଷ୍ଟିକୋଣରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସହଜସାଧ୍ୟ ହେବ । ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ପ୍ରଥମ ସପ୍ତାହରେ ହିଁ CUCET ପାଇଁ ଅନ୍ ଲାଇନରେ ଦରଖାସ୍ତ କରିପାରିବେ ଛାତ୍ରଛାତ୍ରୀ । ପରୀକ୍ଷା କିନ୍ତୁ ଜୁଲାଇ ପ୍ରଥମ ସପ୍ତାହରେ ହେବ । କାରଣ ସେତେବେଳକୁ ପ୍ରାୟ ସମସ୍ତ ଯୁକ୍ତ ଦୁଇ ପରୀକ୍ଷା ସରି ଯାଇଥିବ ।

୧୩ଟି ଭାଷାରେ ହେବ CUCET। ସେଗୁଡ଼ିକ ହେଲା ଇଂରାଜୀ, ହିନ୍ଦୀ, ଗୁଜରାଟୀ, ଅହମିୟା, ବେଙ୍ଗଲି, କନ୍ନଡ, ମାଲୟାଲମ୍, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଦୁ । NCERTର ଯୁକ୍ତ ଦୁଇ ପାଠ୍ୟକ୍ରମ ଆଧାରରେ ହେବ CUCET । ଦେଶରେ ଥିବା ସମସ୍ତ ୪୫ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ଅଣ୍ଡର୍ ଗ୍ରାଜୁଏଟ୍ କୋର୍ସ ପାଇଁ CUCETକୁ ବାଧ୍ୟତାମୂଳକ କରିଛି ୟୁନିଭରସିଟି ଗ୍ରାଣ୍ଟସ୍ କମିଶନ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ସମେତ ଡିମ୍‌ଡ୍ ଟୁ ବି ୟୁନିଭରସିଟି ଗୁଡ଼ିକ ମଧ୍ୟ ସେମାନଙ୍କର ଅଣ୍ଡର ଗ୍ରାଜୁଏଟ୍ କୋର୍ସ ପାଇଁ CUCET ପଦ୍ଧତି ଆପଣାଇବାକୁ କହିଛି ୟୁନିଭରସିଟି ଗ୍ରାଣ୍ଟସ୍ କମିଶନ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ ପିଜି ନାମଲେଖା ପାଇଁ ମଧ୍ୟ CUCET ସ୍କୋର୍ ବ୍ୟବହାର କରିପାରିବେ । କିନ୍ତୁ ବର୍ତ୍ତମାନ ଏହାକୁ ବାଧ୍ୟତାମୂଳକ କରାଯାଇ ନାହିଁ ।

ଯୁକ୍ତ ଦୁଇ ପାସ୍ କରିଥିବା ସସମସ୍ତ ଛାତ୍ରଛାତ୍ରୀ ଦେବେ ସେଣ୍ଟ୍ରାଲ୍ ୟୁନିଭରସିଟି କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା CUCET । ପରୀକ୍ଷା କେନ୍ଦ୍ରକୁ ଯାଇ ହିଁ କଂପ୍ୟୁଟରରେ ଦେବାକୁ ହେବ ପ୍ରବେଶିକା । ୨୭ଟି ବିଷୟ ମଧ୍ୟରୁ ୬ଟି ବିଷୟ ଚୟନ କରିବାକୁ ପଡ଼ିବ । ଯାହା ମଧ୍ୟରେ ରହିଛି ଆଗ୍ରିକଲଚର୍, ଆନ୍ଥ୍ରୋପୋଲଜି, ଆକାଉଣ୍ଟିଂ, ବୁକ୍ କିପିଂ, ପରଫର୍ମିଂ ଆର୍ଟ ଏବଂ ସଂସ୍କୃତ । ସମସ୍ତ ପ୍ରଶ୍ନ ସଂକ୍ଷିପ୍ତ ହେବ । ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରକୁ ହିଁ ବାଛିବାକୁ ପଡ଼ିବ । CUCET ପ୍ରବେଶିକାର ସ୍କୋର୍ ଅନୁସାରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେବେ ଛାତ୍ରଛାତ୍ରୀ । ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ ଯୁକ୍ତ ଦୁଇ ମାର୍କକୁ ନାମଲେଖାର ଆଧାର କରିପାରିବେ ।

CUCET ପ୍ରବେଶିକା ସଂରକ୍ଷଣକୁ ପ୍ରଭାବିତ କରିବ ନାହିଁ ବୋଲି କହିଛି ୟୁନିଭରସିଟି ଗ୍ରାଣ୍ଟସ୍ କମିଶନ । କାରଣ ଏହି ପ୍ରବେଶିକାର ସ୍କୋର୍ ଆଧାରରେ ହିଁ ସାଧାରଣ ବର୍ଗ ଏବଂ ସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ହେବ ନାମଲେଖା। ନୂଆ ଶିକ୍ଷା ନୀତି ଅନୁଯାୟୀ ୨୦୨୧-୨୨ ଶିକ୍ଷାବର୍ଷରୁ ସେଣ୍ଟ୍ରାଲ୍ ୟୁନିଭରସିଟି କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା CUCET ଲାଗୁ ହେବାର ଥିଲା । କିନ୍ତୁ କୋରୋନା ପାଇଁ ଏହା ସ୍ଥଗିତ ରହିଥିଲା । ୨୦୨୨-୨୩ ଶିକ୍ଷାବର୍ଷରୁ ହିଁ ୱାନ୍ ନେସନ୍, ୱାନ୍ ଏକଜାମିନେସନ୍ CUCET ଲାଗୁ କରିବାକୁ ଯାଉଛି ୟୁନିଭରସିଟି ଗ୍ରାଣ୍ଟ୍‌ସ୍ କମିଶନ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: