ଆରମ୍ଭ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା, ଜାଣନ୍ତୁ କେବେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏବେ ଆରମ୍ଭ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ ହୋଇ ପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଯୋଗ୍ୟ ଭୋଟରମାନେ ଭୋଟର ତାଲିକାରେ ତାଙ୍କର ନାମ ଉଠାଇ ପାରିବେ। ଯେଉଁମାନେ ଭୋଟର ତାଲିକାରୁ ନାମ କାଟିବାକୁ ଚାହୁଁଛନ୍ତି କିମ୍ୱା ତ୍ରୁଟି ସଂଶୋଧନ କରିବାକୁ ଚାହୁଁଛନ୍ତି ସେମାନେ ଚଳିତ ଥର ଅନଲାଇନ୍ ଆବେଦନ କରିପାରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ।
ପୂର୍ବରୁ ଏହା ଅଫ୍‌ଲାଇନ୍‌ରେ କରାଯାଉଥିଲା । ହେଲେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ଏହି ସଂଶୋଧନ ପ୍ରକ୍ରିୟା କରିପାରିବେ ହିତାଧିକାରୀ । ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ପ୍ରମାଣପତ୍ର ଲୋକମାନଙ୍କୁ ଦେବାକୁ ହେବ। ଏହାପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ ଆପଣକୁ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପୀଡ଼ ପୋଷ୍ଟ ମଧାମରେ ଘରକୁ ପଠାଯିବ । ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ୍ ଏହି ମାସର ଦୁଇ ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ମଧ୍ୟ ଭୋଟର ତାଲିକା ସଂଶୋଧନ କରିପାରିବେ । ଉପାନ୍ତ ଅଞ୍ଚଳ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ, ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆବେଦନ କରି ପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ତେବେ ଦୁଇଟି ଭୋଟର ଆଇଡ଼ି ଥିବା ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ୍ ଦ୍ୱାରା ବାଦ୍ ଦିଆଯାଇଥିବାର ସେ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଆହୁରି ୪ ଲକ୍ଷ ଆବେଦନ ରହିଥିବାର କୁହାଯାଉଛି। ଅନ୍ୟ ପକ୍ଷରେ ବିଭିନ୍ନ ଦଳ ପକ୍ଷରୁ ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *