୪ ଦିନରେ ୪୦ ଚକୋଲେଟ୍ ଖାଉଥିଲେ କୋହଲି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରିକେଟ ଦୁନିଆରେ ଅନ୍ୟତମ ଫିଟନେସ୍ ଖେଳାଳି। କିନ୍ତୁ ଦିନ ଥିଲା, ସେ ଏହି ଫିଟନେସ୍ ଦୁନିଆରୁ ବହୁ ଦୂରରେ ଥିଲେ। ୨୦୧୨ ମସିହାରେ ଏମିତି କିଛି ଘଟିଲା, ଯାହାପରେ ବିରାଟ କୋହଲି ଫିଟନେସ୍ ମନ୍ତ୍ରକୁ ଆପଣାଇବାରେ ଲାଗିଲେ। ଏନେଇ ବିରାଟ କୋହଲି ନିଜର ଫିଟନେସ୍ ଗୁମର ବିଷୟରେ କହିଛନ୍ତି।

୨୦୧୨ ଆଇପିଏଲ ପରେ ଘରକୁ ଫେରିବା ପରେ ବିରାଟ କୋହଲି ନିଜକୁ ଦେଖି ଚମକି ପଡ଼ିଥିଲେ। ଏହାପରେ ସବୁକିଛି ପରିବର୍ତ୍ତନ କରିବାକୁ ସେ ପ୍ରୟାସ ଆରମ୍ଭ କରିବାକୁ ଲାଗିଲେ। ଗୋଟେପଟେ ସାରା ବିଶ୍ୱରେ କ୍ରିକେଟର ନିଆରା ଦବଦବା ରହିଥିବାବେଳେ ଅନ୍ୟପଟେ ଫିଟନେସ୍ ଠାରୁ ଅନେକ ଦୂରରେ ଥିବାର ଅନୁଭୂତି ବିଷୟରେ କୋହଲି ମୟଙ୍କ ଅଗ୍ରୱାଲଙ୍କ ସହ ଏକ ଆଲୋଚନାରେ କହିଛନ୍ତି। ୨୦୧୨ ଆଇପିଏଲ ସିଜନ ସମୟରେ କୋହଲି ୪ରୁ ୫ ଦିନ ମଧ୍ୟରେ ଏକ୍ଲେରସ୍ ଚକୋଲେଟର ଏକ ପ୍ୟାକେଟ୍ ଶେଷ କରି ଦେଉଥିଲେ। ସେ ରହୁଥିବା ଆଇଟିସି ଗାର୍ଡେନିଆର ମିନି ବାରରେ ସର୍ବଦା ଏକ୍ଲେରସ୍ ଚକୋଲେଟ ରଖା ହେଉଥିଲା ଏବଂ କୋହଲି ସେଥିରୁ ସବୁବେଳେ ଚକୋଲେଟ୍ ଖାଉଥିଲେ। ପ୍ରାୟ ୪୦ଟି ଚକୋଲେଟ୍ ଥିବା ଏକ ପ୍ୟାକେଟକୁ ସେ ୪ରୁ ୫ ଦିନ ମଧ୍ୟରେ ଶେଷ କରି ଦେଉଥିଲେ।
ସେହିପରି ୨୦୧୨ ଆଇପିଏଲ ସିଜନ କୋହଲିଙ୍କ ପାଇଁ ଦମଦାର ମଧ୍ୟ ନ ଥିଲା। ୧୬ଟି ମ୍ୟାଚରୁ ସେ ୩୬୪ ରନ୍ ସଂଗ୍ରହ କରିଥିଲେ। ଏହା ପୂର୍ବରୁ କୋହଲି ୨୦୧୧ରେ ହାରାହାରି ୪୬.୪୧ ପ୍ରତିଶତରେ ୫୫୭ ରନ୍ ସଂଗ୍ରହ କରିଥିଲେ। କିନ୍ତୁ, ଏହି ସମୟରେ ଖେଳିବା ବ୍ୟତୀତ କୋହଲିଙ୍କ ଆଉ ଏକ ନିଶା ଖାଇବା ଥିଲା। ବିଭିନ୍ନ ଜଙ୍କ୍ ଫୁଡ୍ ସମେତ ନିଜ ଫିଟନେସ୍ ପ୍ରତି ଧ୍ୟାନ ନ ଦେଇ ବାହାର ଖାଦ୍ୟ ଅଧିକ ଖାଉଥିଲେ କୋହଲି। ଏହାପରେ ଘରକୁ ଆସିବା ପରେ ବିରାଟ ନିଜର ରୁଟିନରେ ପରିବର୍ତ୍ତନ କରିଥିଲେ ଏବଂ ଫିଟନେସ୍ ପ୍ରତି ଧ୍ୟାନ ଦେଇଥିଲେ। ଆଜି କ୍ରିକେଟ୍ ଦୁନିଆର ଅନ୍ୟତମ ଫିଟନେସ୍ ପ୍ଲେୟାର ହେଉଛନ୍ତି ବିରାଟ କୋହଲି।

Leave a Reply

Your email address will not be published. Required fields are marked *