ନିଯୁକ୍ତି ବ୍ୟବସ୍ଥାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ

ନିଯୁକ୍ତି ବ୍ୟବସ୍ଥାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମୋଦି ସରକାରଙ୍କ ବିରୋଧରେ ପୁଣି ସ୍ୱର ଉଠାଇଛନ୍ତି ନିଜ ଦଳର ସାଂସଦ ବରୁଣ ଗାନ୍ଧୀ। ଚାକିରି ଓ ପରୀକ୍ଷା ପେପର ଲିକକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ବରୁଣ । ପୂର୍ବରୁ ଚାଷୀ ଆନ୍ଦୋଳନ ଓ ଲଖିମପୁର ଖେରି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଥିଲେ ବରୁଣ । ଏବେ ସେ କହିଛନ୍ତି ଯେ ଦେଶରେ ସରକାରୀ ଚାକିରି ସୁଯୋଗ ନାହିଁ । ଯଦି କିଛି ସୁଯୋଗ ଆସୁଛି ପେପର ଲିକ୍, ପରୀକ୍ଷା ଯଦି ଦେଲ ବର୍ଷ ବର୍ଷ ରେଜଲ୍ଟ ଆସିବାକୁ ଲାଗି ଯାଉଛି। କଥା ସେତିକିରେ ସରୁନି, କୌଣସି ଘୋଟାଲା ନାଁରେ ଅନେକ ସମୟରେ ପରୀକ୍ଷା ରଦ୍ଦ କରାଯାଉଛି । ରେଲଓ୍ବେ ଗ୍ରୁପ୍-ଡି ପରୀକ୍ଷା ଦେଇ ଦେଢ଼ ଲକ୍ଷ ଆଶାୟୀ ରେଜଲ୍ଟ ଆସିବାକୁ ଦୁଇ ବର୍ଷ ହେଲା ଅପେକ୍ଷା କରିଛନ୍ତି । ସେନାରେ ନିଯୁକ୍ତି ଅବସ୍ଥା ମଧ୍ୟ ସେମିତି । ଆଉ କେତେଦିନ ଭାରତୀୟ ଯୁବବର୍ଗ ଧର୍ଯ୍ୟ ଧରି ବସିବେ ।’ ନିଜ ଦଳର ସରକାରକୁ ଏମିତି ପ୍ରଶ୍ନ କରିଛନ୍ତି ବରୁଣ । ଉତ୍ତରପ୍ରଦେଶରେ କିଛିଦିନ ପୂର୍ବେ ୟୁପିଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା । ଏହାକୁ ନେଇ ବରୁଣ ଟ୍ବିଟ୍ କରି କହିଥିଲେ, ‘ୟୁପିଟିଇଟି ପ୍ରଶ୍ନପତ୍ର ପ୍ରଘଟ ଲକ୍ଷ ଲକ୍ଷ ଯୁବବର୍ଗଙ୍କ ଭବିଷ୍ୟତ ସହ ଖଳ ଖେଳ। ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ କାମ ଚଳିବନାହିଁ। ସେମାନଙ୍କୁ ରାନୈତିକ ସୁରକ୍ଷା ଦେଉଥିବା ଶିକ୍ଷା ମାଫିଆଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । କାରଣ ଅଧିକାଂଶ ଶିକ୍ଷାନୁଷ୍ଠାନର ମାଲିକଙ୍କର ରାଜନୈତିକ ପ୍ରଭାବ ରହିଛି । ଏମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ? ବୋଲି ସେ ପ୍ରଶ୍ନ ମଧ୍ୟ କରିଥିଲେ ’।ଏହା ପୂର୍ବରୁ ଲଖିମପୁର ଖେରୀ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ବରୁଣ । ଏଥିରେ ସେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଥିଲେ । ୩ ବିବାଦୀୟ କୃଷୀ ଆଇନ ପ୍ରତ୍ୟାହାରକୁ ସ୍ବାଗତ କରିବା ସହ ଏମଏସପି ଓ ଅନ୍ୟ ପ୍ରସଙ୍ଗରେ ଆଇନ ଆଣିବାକୁ ତୁରନ୍ତ ନିଷ୍ପତ୍ତି ନେଇ ଚାଷୀ ଆନ୍ଦୋଳନ ଶେଷ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଥିଲେ ସେ। ଚାଷୀ ଆନ୍ଦୋଳନରେ ମାରିଥିବା ୭୦୦ ଚାଷୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଦେବାକୁ କହିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: