ଆଉ କେତେ ହେଲେ ମନ ଭରିବ ?

ଆଉ କେତେ ହେଲେ ମନ ଭରିବ ?

(ସୋନାଲି ପାଢ଼ୀ): ମଣିଷ ଏକ ସାମାଜିକ ପ୍ରାଣୀ। ମଣିଷର ସର୍ବୋତ୍କୃଷ୍ଟ ସାମର୍ଥ୍ୟ । ସବୁବେଳେ ଚିନ୍ତା କରିବା, କଳ୍ପନା କରିବା, ସୃଷ୍ଟି କରିବା, ନିରୀକ୍ଷଣ କରିବା, ସାମାଜିକ ହୋଇ ଗୋଷ୍ଠୀବଦ୍ଧ ଭାବେ ଏକତ୍ରିତ ହେବା ତାହାର ପ୍ରଭୃତି। ଏହି ଗୁଣାବଳୀମାନ ମନୁଷ୍ୟକୁ ପଶୁଙ୍କ ଉପରେ ବିଜୟ ଲାଭ କରିବାରେ ସାହାଯ୍ୟ କରିଥିଲା ଯେଉଁ ମାନେ ମନୁଷ୍ୟ ଠାରୁ ଅଧିକ ଶକ୍ତିଶାଳୀ, ଦ୍ରୁତ ଏବଂ ବଡ଼ ଥିଲେ। କାଳକ୍ରମେ ଜନବସତି ସୃଷ୍ଟି ହେବା ସହ ମନୁଷ୍ୟ ସମାଜ ଓ ସଭ୍ୟତାରେ ଯୋଗାଯୋଗର ଦ୍ରୁତ ମାଧ୍ୟମ ସବୁ ଖୋଜିଚାଲିଲା । ଏଥିସହ ତଥ୍ୟ ଓ ସୂଚନା ପ୍ରେରଣର ସହଜ ମାଧ୍ୟମ ସୃଷ୍ଟି କରିବା ପାଇଁ ମଣିଷ ଆଗ୍ରହ ପ୍ରକାଶ କଲା। ଏହିକ୍ରମରେ ମନୁଷ୍ୟର ଅନ୍ୟତମ ଚମତ୍କାର ଆବିଷ୍କାର ଥିଲା ଟେଲିଫୋନ୍ ଏବଂ ଅନ୍ୟତମ ଉଲ୍ଲେଖନୀୟ ଆବିଷ୍କାର ଥିଲା କମ୍ପ୍ୟୁଟର। ଏହି ଦୁହିଙ୍କ ମାନବ ସଭ୍ୟତାକୁ ଆଧୁନିକତାର ସ୍ପର୍ଶ ଅଧିକମାତ୍ରାରେ ଦେଇଅଛନ୍ତି। ଆଉ ବୋଧହୁଏ ଆଜିର ତାରିଖରେ ସ୍ମାର୍ଟ ଫୋନ୍ ଭାବେ ପରିଚିତ ହେବା ପାଇଁ ଦୁହେଁ ଏକାଠି ହେବା ଅବଶ୍ୟମ୍ଭାବୀ ଥିଲା।

ତେବେ କଥା ରେ ଅଛି ଅତିରୁ ଇତି। ଜଳ ହିଁ ଜୀବନ, କିନ୍ତୁ ଅତ୍ୟଧିକ ଜଳ ପ୍ରଳୟ ସୃଷ୍ଟି କରିଥାଏ। ମୋବାଇଲ୍/ସ୍ମାର୍ଟ ଫୋନ୍ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଉଛି। ମୋବାଇଲ ହେଉଛି ଏକ ଉନ୍ମାଦ ଯାହା ମାନବ ସମାଜର ଅଧିକାଂଶ ଲୋକଙ୍କୁ, ବିଶେଷ କରି ଯୁବପିଢ଼ିଙ୍କୁ ପ୍ରଭାବିତ କରୁଥିବା ଜଣାପଡିଛି। ଏହାର ହାତବାରିସି ପ୍ରକୃତି ଏବଂ ବିଭିନ୍ନ ଆପ୍ଲିକେସନ ମାନ ସୁଲଭରେ ପ୍ରଦାନ କରାଇବାର କ୍ଷମତା ଯୋଗୁଁ ଯୁବପିଢ଼ି ଏହାକୁ ନିଜର ଛାୟା ମନେ କରିବା ସହ ଏହାର ନିଶାରେ ଛନ୍ଦି ହେଇପଡ଼ଛନ୍ତି। ନିଜର ପରିଚିତ ଲୋକ ସବୁ ଆଭାଷୀ ଗୋଷ୍ଠିମାନ ଗଠନ କରି ପରସ୍ପରକୁ ଏହି ଆସକ୍ତିରେ ଅଧିକ ମାତ୍ରାରେ ଟାଣୁଅଛନ୍ତି । ଏହାର ପ୍ରଭାବ ବିଷୟରେ ଏକ ଗବେଷଣା ଲେଖିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆହୂତ ହୋଇଥିଲା । ଯେଉଁଠି ଗବେଷଣା ମୁଖ୍ୟତଃ ଯୁବପିଢ଼ିଙ୍କ ଉପରେ ମୋବାଇଲ୍ ଫୋନ୍ ର ପ୍ରଭାବ, ସେମାନଙ୍କ ପାରସ୍ପରିକ ସମ୍ପର୍କ, ଶୈକ୍ଷିକ ପ୍ରଦର୍ଶନ ଓ ଆଚରଣ ଶୈଳୀକୁ ଅନୁଧ୍ୟାନ ଓ ବିଶ୍ଳେଷଣ କରିବା ଉଦ୍ଦେଶ୍ୟ ଥିଲା ।ଏହିଭଳି କାର୍ଯ୍ୟ କରିବା ଲକ୍ଷ୍ୟରେ ଭୁବନେଶ୍ୱର ସାଲିଆ ସାହିର ଜଗନ୍ନାଥ ବସ୍ତିର ଯୁବକଙ୍କୁ ଏଥିରେ ଉତ୍ତରଦାତା ଭାବେ ଚୟନ କରାଯାଇଥିଲା। ଉପାୟଟି ଥିଲା ଷ୍ଟ୍ରାଟିଫାଏଡ୍ ରାଣ୍ତମ୍ ସାମ୍ପଲିଂ । ଗବେଷିକା ଏଥିରେ ଉଭୟ ପୁରୁଷ ଓ ମହିଳାଙ୍କ ସାକ୍ଷାତକାର ନେଇଥିଲେ। ଉତ୍ତରଦାତା ଥିଲେ ବିଭିନ୍ନ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଦ୍ୟାର୍ଥି, କମ୍ପାନୀ ଓ କାର୍ଯ୍ୟାଳୟର କର୍ମକର୍ତ୍ତା ।
ଗବେଷିକାଙ୍କ ସୁବିଧା ହେତୁରୁ ତଥା ଉତ୍ତରଦାତାଙ୍କୁ ସମୟକୁ ଆଖିଆଗରେ ରଖି ଭୁବନେଶ୍ବର ଅଞ୍ଚଳରେ ସର୍ବେକ୍ଷଣଟି ସମାହିତ ହୋଇଥିଲା । ବର୍ତ୍ତମାନର ଅଧ୍ୟୟନର ନମୁନା ଆକାର 40 ଜଣ ଯୁବକ/ଯୁବତୀଙ୍କ ମଧ୍ୟରେ ସୀମିତ ଥିଲା । ପୂର୍ବ ନିଋପିତ ପ୍ରଶ୍ନାବଳୀ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇଥିଲା।

ଗବେଷିକା ସର୍ବେକ୍ଷଣ ପଶ୍ଚାତ୍ ଯେଉଁଥିରେ ଉପନୀତ ହେଲେ, ସେୟା ଏଠି ଉପସ୍ଥାପନା କରାଯାଉଅଛି ।ଏହି ଗବେଷଣାରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟ ଜନକ ହୋଇଥିଲେ ମଧ୍ୟ ଆଶାତୀତ ନୁହେଁ।
ଉତ୍ତରଦାତା ସବୁ ମୋବାଇଲ୍ ଫୋନ୍, ବର୍ତ୍ତମାନର ପ୍ରଯୁକ୍ତି ଏବଂ ବିଭିନ୍ନ ସାମାଜିକ ନେଟୱର୍କିଂ ସାଇଟ୍ ବିଷୟରେ ଅବଗତ ଅଛନ୍ତି । ନିୟମିତ ବ୍ୟବହାରକାରୀଙ୍କ ମଧ୍ୟରୁ ସ୍ନାତକୋତ୍ତର ରେ ମାତ୍ର ୧୦ ପ୍ରତିଶତ ଥିବାସ୍ଥଳେ ସ୍ନାତକରେ ୪୦ ଏବଂ ଉଚ୍ଚ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟର ବିଦ୍ୟାର୍ଥିଙ୍କୁ ୨୦ ପ୍ରତିଶତ ରହିଥିଲେ । ଏହା ସୂଚାଉଛି ଯେ ଶିକ୍ଷା ସ୍ତର ବୃଦ୍ଧି ପାଇବା ସହିତ ମୋବାଇଲ୍ ଫୋନ୍ ବ୍ୟବହାର ହ୍ରାସ ପାଇଛି।ଏବଂ ଅଧିକାଂଶ ଯୁବକ ଯେଉଁମାନେ ପାଠପଢା ଶେଷ କରିନଥିଲେ ଏବଂ ବେକାର ଥିଲେ ସେମାନେ ମୋବାଇଲ ଫୋନରେ ଅଧିକ ସମୟ ବିତାଉଥିଲେ। ସାମସଙ୍ଗ୍ ଫୋନ୍ ଏହାର ସୁଲଭତା ଏବଂ ବ୍ୟବହାର ଉପଯୋଗୀ ପ୍ରଭୃତି ଯୋଗୁଁ ଉତ୍ତରଦାତାଙ୍କ ପ୍ରିୟପାତ୍ର ହୋଇପାରିଅଛି । ଯଦିଓ ପୂର୍ବରୁ ଫୋନ୍ ଗୁଡି଼କ କଥାବାର୍ତ୍ତା ନିମନ୍ତେ ବ୍ୟବହାର କରାଯାଉଥିଲା, କିନ୍ତୁ ପକେଟ ମଧ୍ୟରେ ଧରିହେଉଥିବା ଏହି ଯନ୍ତ୍ର ଆସି ସୂଚନା ବ୍ୟାପକ କରିବାରେ ଲାଗିପଡିଅଛି । ଯୁବପିଢିଙ୍କ ମଧ୍ୟରେ ଏହା ବ୍ରାଉଜିଂ କରିବା, ଅଭାଷୀ ଖେଳ ଖେଳିବା, ଗୀତ ଶୁଣିବା ଏବଂ ଭିଡି଼ଓ କ୍ଲିପ୍ ସହ ରିଲ୍ସ ବନେଇବାରେ ମୁଖ୍ୟତଃ ବ୍ୟବହୃତ ହେଉଅଛି । ସକରାତ୍ମକ ଦିଗ ପ୍ରତି ଦୃଷ୍ଟି ଦେଲେ ୮୦ ପ୍ରତିଶତ ଲୋକେ ଆଭାଷୀ ବିପଣନ ସେବା ପାଇଁ ଫୋନ ବ୍ୟବହାର କରୁଥିବାର ସୂଚନା ମିଳିଛି। ନକରାତ୍ମକ ଦିଗକୁ ବିଚାରକଲେ ପାରସ୍ପରିକ ସମ୍ପର୍କ ଏବଂ ସାମାଜିକ ସମ୍ପର୍କ କୁ ଏୟା ବହୁ ମାତ୍ରାରେ କମେଇ ଦେଇଅଛି । ଯଦିଓ ବ୍ୟବହାରକାରୀ ନିଜ ପକେଟରେ ଏହାକୁ ଭର୍ତ୍ତିକରି ରଖୁଛନ୍ତି, କିନ୍ତୁ ନିଜ ମାନସ ତାହା ନିକଟରେ ବନ୍ଧା ରଖିବା ଭଳି ପ୍ରତୀୟମାନ ହେଉଅଛି । ନିଜ ଦୈନିକ ଜୀବନରୁ ୭୦ ପ୍ରତିଶତକୁ ୮୦ ପ୍ରତିଶତ ସମୟ ଏହି ଫୋନ୍ ରେ କଟିଯାଉଅଛି । ପିଲାମାନେ କ୍ଲାସରେ କିମ୍ବା ଘରେ ବସି ପାଠ ପଢିବା ଅପେକ୍ଷା ମୋବାଇଲରେ ସମୟ ବିତାଉଛନ୍ତି। ଏହା ନିଃସନ୍ଦେହ ଯେ ସେମାନେ ନିଶ୍ଚିତ ଭାବରେ ଅଧ୍ୟୟନ କରୁନାହାନ୍ତି। କେବଳ ସେତିକି ନୁହେଁ, ସେମାନେ ନିଜ ପରିବାର ସହ ଭଲ ସମୟ ବିତାଇବା ପାଇଁ ମଧ୍ୟ କୁଣ୍ଠାବୋଧ କରୁଅଛନ୍ତି ଏବଂ ବନ୍ଧୁ ଏବଂ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବା ଅପେକ୍ଷା ଫୋନରେ ସମୟ ବିତାଇବାକୁ ପସନ୍ଦ କରନ୍ତି।ଏହି ସାଧନକୁ ଆୟତ୍ତ କରିବା ପରିବର୍ତ୍ତେ ମଣିଷ ଏହାର ଦାସ ପାଲଟି ଯାଇଛି। ଆଉ ଧିରେ ଧିରେ ମଣିଷ ତାର ସାମାଜିକ ସ୍ୱଭାବକୁ ହରାଇ ବସିଅଛି । ଯଦି ଭବିଷ୍ୟତରେ ମଧ୍ୟ ଯୁବପିଢ଼ିଙ୍କ ଜୀବନରେ ମୋବାଇଲ୍ ଫୋନ୍ ବର୍ତ୍ତମାନ ଭଳି ଆଧିପତ୍ୟ ବିସ୍ତାର କରିଚାଲିବ, ତେବେ ଖୁବ୍ ଶୀଘ୍ର ମଣିଷ ସାମାଜିକ ପ୍ରାଣୀରୁ ଦୂରେଇ ଯିବ। ଏବଂ ସମ୍ଭବତଃ ବଞ୍ଚିବା ସମୟରେ ଅନ୍ୟ ଜୀବମାନଙ୍କ ଉପରେ ନିଜର କର୍ତ୍ତୃତ୍ବା ହରାଇବ।

(ଦ୍ଵିତୀୟ ବର୍ଷ ଛାତ୍ରୀ, ଇନଷ୍ଟିଚ୍ୟୁଟ ଅଫ୍ ମିଡିଆ ଷ୍ଟଡିଜ୍, ଭୁବନେଶ୍ବର)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: