କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ନିଆଁକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଲେ ଗାଁ ଲୋକେ

କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ନିଆଁକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଲେ ଗାଁ ଲୋକେ

ଚଳିତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରୁ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଓଡିଶାରେ ଜଙ୍ଗଲ ଗୁଡିକରେ ନିଆଁ ଲାଗି ଅମୂଲ୍ୟ ଜଙ୍ଗଲ ସମ୍ପଦ ପାଉଁଶ ହୋଇଯାଉଥିବା ବେଳେ, ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା କନ୍ଧମାଳ ଜିଲ୍ଲାର କିଛି ଗ୍ରାମ ନିକଟରେ ଥିବା ଜଙ୍ଗଲ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଭାବିତ ହୋଇନାହିଁ । କାରଣ ଗାଁର ବାସିନ୍ଦାମାନେ ନିଜ ଚାରିପାଖରେ ଥିବା ଜଙ୍ଗଲରେ ନିଆଁ ବ୍ୟାପିଯିବାକୁ ରୋକିବା ପାଇଁ ନିଜେ ପଦକ୍ଷେପ ଗ୍ରହଣ କରିଛନ୍ତି । କନ୍ଧମାଳ ଜିଲ୍ଲାର ନୁଆଗାଓଁ ବ୍ଲକ ଅନ୍ତର୍ଗତ କୁଡୁପାକିଆ ଗ୍ରାମ ହେଉଛି ଏପରି ଏକ ଉଦାହରଣ ଯେଉଁଠାରେ ଗ୍ରାମବାସୀ ସେମାନଙ୍କ ଜଙ୍ଗଲର ଜଗୁଆଳି ସାଜିଛନ୍ତି କାରଣ ସେଇ ଜଙ୍ଗଲ ଉପରେ ନିର୍ଭର କରି ସେମାନେ ଜୀବିକା ନିର୍ବାହ କରିଥାନ୍ତି ।

ୟୁନିସେଫ୍ ଦ୍ୱାରା ଆରମ୍ଭ କରାଯାଇଥିବା ୟୁଥ୍ ଫର ୱାଟର ପ୍ଲସ୍ ଅଭିଯାନର ସଦସ୍ୟ ମାନେ ଜଳବାୟୁ ପରିବର୍ତ୍ତନ ଉପରେ ସଚେତନତା କାର୍ଯ୍ୟକ୍ରମର ସୂତ୍ରଧରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ତୃଣମୂଳ ସ୍ତରରେ ଜଳବାୟୁ ସମ୍ପର୍କରେ ସଚେତନତା ସମ୍ଭବ ହୋଇ ପାରିଛି । Y20, ପ୍ୟାଂଟିସ ଫାଉଣ୍ଡେସନ୍, ୟୁଥ୍ 4 ୱାଟର୍ ପ୍ଲସ୍, ୟୁନିସେଫ୍, ଆକ୍ସନ୍ଫ ଫର ସୋସିଆଲ ଡେଭେଲପମେଣ୍ଟ, ନେସନ୍ସ ଟ୍ରଷ୍ଟ ଏବଂ ପାଗା ସହଯୋଗରେ “ୟୁଥ୍ ଚଉପାଲ୍” ଆୟୋଜନ କରି ସଚେତନତା ସୃଷ୍ଟି କରାଯାଉଛି, ଯେଉଁଠାରେ ସମସ୍ତ ବୟସ ବର୍ଗର ଯୁବକ ଏବଂ ଗ୍ରାମବାସୀ ଏକତ୍ରିତ ହୋଇ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ତାକୁ ସାମ୍ନା କରିବାର ପଦକ୍ଷେପ ବିଷୟରେ ଏଠାରେ ଆଲୋକନା କରାଯାଉଛି ।

ଯେହେତୁ ଗ୍ରୀଷ୍ମ ସମୟରେ ଜଙ୍ଗଲ ରେ ଅଗ୍ନିକାଣ୍ଡ ହୋଇ ଜଙ୍ଗଲ ନଷ୍ଟ ହୋଇଯାଏ, ବର୍ତ୍ତମାନ ସେମାନେ ଜଙ୍ଗଲ ଅଗ୍ନିକାଣ୍ଡ ଏବଂ ଗ୍ରାମବାସୀଙ୍କ ସହଯୋଗରେ କିପରି ଏହାକୁ ରୋକାଯାଇପାରିବ ସେ ବିଷୟରେ ଆଲୋଚନା କରୁଛନ୍ତି।

31 ବର୍ଷୀୟ ହୃସିକେଶ ପ୍ରଧାନ କନ୍ଧମାଳ ଜିଲ୍ଲାର କୁଡୁପାକିଆ ଗାଁର କୁଇ କନ୍ଧ ଜନଜାତିର ଅଟନ୍ତି ତଥା ୟୁଥ ଫ୍ର ୱାଟର ପ୍ଲସ ର ସେ ଯୁବ ସଦସ୍ୟ ଅଟନ୍ତି ।ହୃଷୀକେଶ କୁହନ୍ତି “ଜଣେ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ମୁଁ ମୋ ଗାଁ ନିକଟ ଜଙ୍ଗଲରେ ନିଆଁ ଜଳୁଥିବା ପିଲାବେଳରୁ ଦେଖିଛି। ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବକୁ ମୁଁ ଅତି ନିକଟରୁ ଅନୁଭବ ମଧ୍ୟ କରିଛି । ପୂର୍ବରୁ ଜଙ୍ଗଲରେ ନିଆଁ ଲାଗିବା ଉଚିତ ନୁହେଁ ବୋଲି ଗ୍ରାମବାସୀଙ୍କୁ ବୁଝାଇବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ପ୍ରାରମ୍ଭରେ, ଆମେ ଗାଁରେ ଯୁବକମାନଙ୍କର ଏକ ନେଟୱାର୍କ ସୃଷ୍ଟି କରି ଜଙ୍ଗଲ ଅଗ୍ନିକାଣ୍ଡର କାରଣ ଏବଂ ପ୍ରତିକାର ବ୍ୟବସ୍ଥା ବିଷୟରେ କହିବା ଆରମ୍ଭ କଲୁ । ଅନେକ ପରିଶ୍ରମ କରିବା ପରେ ବର୍ତ୍ତମାନ କିଛି ଗ୍ରାମବାସୀ ନିଜ ଜୀବନ ଏବଂ ଜୀବିକା ମଧ୍ୟରେ ଜଙ୍ଗଲର ମହତ୍ତ୍ୱ କୁ ବୁଝୁଛନ୍ତି । ବର୍ତ୍ତମାନ ସେମାନେ ଆମ ସହିତ ହାତ ମିଳାଇ ଅନ୍ୟ ଗ୍ରାମରେ ସଚେତନତା ସୃଷ୍ଟି କରୁଛନ୍ତି। ”
ବର୍ତ୍ତମାନ ୟୁଥ ଫର ୱାଟର ପ୍ଲସର ସଦସ୍ୟ ମାନେ ଓଡ଼ିଶାର ପ୍ରକୃତିର ସ୍ୱର୍ଗ ଭାବରେ ପରିଗଣିତ ହେଉଥିବା ଡରିଙ୍ଗବାଡି ବ୍ଲକ ସମେତ କାନ୍ଦମାଲ ଜିଲ୍ଲାର ୧୨ ଟି ଆଦିବାସୀ ବହୁଳ ବ୍ଲକର ୪୩ଟି ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି।

କନ୍ଧମାଳ ଜିଲ୍ଲାର ଏହି ୧୨ଟି ବ୍ଲକ ମୁଖ୍ୟତଃ କନ୍ଧ ଜନଜାତି ଆଦିବାସୀ ବସବାସ କରନ୍ତି ଯେଉଁମାନେ କୁଇ ଭାଷାରେ କଥାବାର୍ତ୍ତା କରନ୍ତି, ତେଣୁ ସେମାନେ କୁଇକନ୍ଧ କିମ୍ବା କୁଟିଆ କନ୍ଧ ନାମରେ ପରିଚିତ । ଏମାନେ ବିଶେଷ ଭାବେ ଦୁର୍ବଳ ଜନଜାତି (PVTG) ଭାବେ ପରିଚିତ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ବ୍ୟତୀତ, ଏମାନେ କୃଷି ଉପରେ ନିର୍ଭର ଜୀବିକା ନିର୍ବାହ କରନ୍ତି । ଏହି କୁଟିଆ କନ୍ଧ ଆଦିବାସୀମାନେ ଏହି ଅଞ୍ଚଳରେ ହଜାର ହଜାର ବର୍ଷ ଧରି ବାସ କରିଆସୁଛନ୍ତି ଏବଂ ଏପର୍ଯ୍ୟନ୍ତ ସେମାନଙ୍କର ପାରମ୍ପାରିକ କୃଷି ଅଭ୍ୟାସକୁ ଅନୁସରଣ କରୁଛନ୍ତି । ପୋଡୁଚାଷ କରିବା ପାଇଁ ଏମାନେ ଅନେକ ସମୟରେ ରେ ଜଙ୍ଗଲ ସଫା କରି ସେଠାରେ ଚାଷ କରନ୍ତି । ଅନେକ ସମୟରେ ଜଙ୍ଗଲ ସଫା କରିବା ପାଇଁ ଏମାନେ ଜଙ୍ଗଲରେ ନିଆଁ ମଧ୍ୟ ଲଗେଇ ଦିଅନ୍ତି ।

ଜଙ୍ଗଲରେ ନିଆଁ ଲାଗିବାର ଅନେକ କାରଣ ଅଛି, କିନ୍ତୁ ଅଧିକାଂଶ ସମୟରେ ଏହା ମନୁଷ୍ୟକୃତ୍ୟ । ଗ୍ରାମବାସୀମାନେ ସଂରକ୍ଷିତ ଜଙ୍ଗଲକୁ ଆସି ମହୁଲ ଫୁଲ ସଂଗ୍ରହ କରିବାକୁ ଆସନ୍ତି (ଯେଉଁଥିରୁ ଏକ ସ୍ୱତନ୍ତ୍ର ପାନୀୟ ପ୍ରସ୍ତୁତ ହୁଏ ) ଏଇ ମହୁଲ ଫୁଲ ଗୁଡିକ ଗଛରୁ ତଳେ ପଡି ଶୁଖିଲା ପତ୍ର ଦ୍ୱାରା ଆଚ୍ଛାଦିତ ହୁଏ । ଫୁଲ ଗୋଟେଇବା ପାଇଁ ଗ୍ରାମବାସୀ ମାନେ ଶୁଖିଲା ପତ୍ରରେ ନିଆଁ ଲଗେଇ ଦିଅନ୍ତି । ଦ୍ୱିତୀୟତଃ ପୋଡୁଚାଷ କରିବା ପାଇଁ ଜଙ୍ଗଲରେ ନିଆଁ ଲଗେଇବା ଏକ ସାଧାରଣ ଘଟଣା । ଅନେକ ସମୟରେ ଶିକାରୀ ମାନେ ଜଙ୍ଗଲରେ ନିଆଁ ଲଗେଇ ଛୋଟମୋଟ ପଶୁ ଶିକାର କରନ୍ତି ।ପ୍ରାକୃତିକ ଉପାୟ ରେ କହିବାକୁ ଗଲେ ପ୍ରଚଣ୍ଡ ରୋୖଦ୍ର୍ୟ ତାପରେ ଜଙ୍ଗଲରେ ନିଆଁ ଲାଗେ ।


କୁଡୁପାକିଆ ଗାଁର ସ୍ଥାନୀୟ ବାସିନ୍ଦା ତଥା ପାଣ୍ଟିସ୍ ଫାଉଣ୍ଡେସନ୍ ର ଜଳବାୟୁ ଆଡଭୋକେଟ୍ ଦିପନ୍ ଡିଗଲ୍ କୁହନ୍ତି, “ଯେତେବେଳେ କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗେ, ଏହା ଶୀଘ୍ର ବ୍ୟାପିଥାଏ ଏବଂ ଏହା କେବଳ ପ୍ରାକୃତିକ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚାଏ ନାହିଁ ବରଂ ଜଙ୍ଗଲ ଚାରିପାଖରେ ରହୁଥିବା ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ କାରଣ ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀମାନେ ଜୀବିକା ନିର୍ବାହ କରିବା ପାଇଁ ଜଙ୍ଗଲଜାତ ଦ୍ରବ୍ୟ ଯଥା ଚାର ମହୁଲ ,ଶାଳ ପତ୍ର ,କରଡ଼ି ,ଛତୁ ଓ କନ୍ଦ ମୂଳ ଉପରେ ନିର୍ଭର କରନ୍ତି । ତେଣୁ, ଆମେ ସେମାନଙ୍କୁ ସଚେତନ କରାଇଥାଉ ଯେ ଯଦି ଆମେ ଜଙ୍ଗଲକୁ ସୁରକ୍ଷା ଦେବା , ତେବେ ଯାଇ ଆମ ଜୀବିକା ସୁରକ୍ଷିତ ରହିବ ।


ଗାଁର ଜଣେ ଆଦିବାସୀ ମହିଳା 57 ବର୍ଷିୟ କୁସୁମତି ପ୍ରଧାନ କହିଛନ୍ତି “ସେ ଆହୁରି ମଧ୍ୟ କହିଛନ୍ତି “ଆମ ପରି ଆଦିବାସୀମାନଙ୍କ ପାଇଁ ଜଙ୍ଗଲ ଆମର ଦେବଦେବୀଙ୍କ ଘର ସଦୃଶ । ଆମ ଦେବଦେବୀ ଜଙ୍ଗଲ ର ବୃକ୍ଷ ପାହାଡ଼ ପର୍ବତ ,ଝରଣା ଇତ୍ୟାଦି ରେ ବିଦ୍ୟମାନ । ଯଦି ଜଙ୍ଗଲରେ ନିଆଁ ଲାଗେ ତେବେ ଏହା ଆମ ପାଇଁ ସବୁଠୁ ବଡ଼ କ୍ଷତି । ତେଣୁ, ଆମେ ଏହି ଯୁବକ ମାନଙ୍କୁ ସହଯୋଗ ର ହାତ ବଢଇଛୁ । ଆମ ଅଞ୍ଚଳରେ ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା କରିବା ପାଇଁ ଜଙ୍ଗଲରେ ଧୂଆଁ ଦେଖିବା ମାତ୍ରେ ଆମେ ଶୀଘ୍ର ସେହି ସ୍ଥାନକୁ ଯାଇ, ଶୁଖିଲା ପତ୍ରକୁ ଅଲଗା କରି ନିଆଁ କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁ । ଯଦି ନିଆଁ ଅଧିକ ତୀବ୍ର ହୁଏ, ଆମେ ତୁରନ୍ତ ଜଙ୍ଗଲ ବିଭାଗ କୁ ସୂଚନା ଦେଇ ସେମାନଙ୍କ ସାହାଯ୍ୟ ଲୋଡୁ । “


ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫଏସ ଆଇ) ସୂତ୍ର ଅନୁଯାୟୀ, ମାର୍ଚ୍ଚ ୨–୯,୨୦୨୩ ମଧ୍ୟରେ ଓଡିଶା ୬୪୨ ଟି ବଡ଼ ଅଗ୍ନିକାଣ୍ଡ ଘଟଣାର ରେକର୍ଡ କରାଯାଇଛି , ଯାହା ଦେଶରେ ସବୁଠାରୁ ଅଧିକ ଅଟେ। ଜଙ୍ଗଲ ବିଭାଗର ସୂତ୍ରରୁ ଜଣାପଡିଛି ଯେ ଓଡିଶାରେ ଜଙ୍ଗଲ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ୩୦୦୦ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ୧୬୦୦୦ ବନସୁରକ୍ଷା ସମିତି ଏବଂ ୨୮୦ଟି ସ୍ୱତନ୍ତ୍ର ସ୍କ୍ୱାଡ଼ ରହିଛି ।


ୟୁନିସେଫ୍ ଇଣ୍ଡିଆର ୱାଶ୍ ଆଣ୍ଡ ସିସିଏସ୍ ମୁଖ୍ୟ ପାଉଲୋସ୍ ୱାର୍କନେ କହିଛନ୍ତି ଯେ ଜଙ୍ଗଲ ଏବଂ ସେମାନଙ୍କ ପରିବେଶକୁ ଅଗ୍ନିରୁ ରକ୍ଷା କରିବା ପାଇଁ ଓଡିଶାରେ ଯୁବ ନେତୃତ୍ୱାଧୀନ ପଦକ୍ଷେପ ବିଷୟରେ ଜାଣିବା ଅତ୍ୟନ୍ତ ଉତ୍ସାହଜନକ। ୟୁନିସେଫ୍ ସମର୍ଥିତ ୟୁଥ୍ ଫର ୱାଟର୍ ପ୍ଲସ୍ ଅଭିଯାନରୁ କନ୍ଧମାଲ୍ ଜିଲ୍ଲାର କୁଡୁପାକିଆ ଗାଁର ଯୁବ ସ୍ବେଚ୍ଛାସେବୀମାନେ ସଚେତନତା ସୃଷ୍ଟି କରିବା, ଏକ ଆଲାର୍ମ ପ୍ରଣାଳୀ ପ୍ରସ୍ତୁତ କରିବା ଏବଂ ସ୍ଥାନୀୟ ଅଂଚଳ ର ଆଦିବାସୀଙ୍କ ସହ ମିଶି ଜିଲ୍ଲାର ଜଙ୍ଗଲ ରେ ନିଆଁ ଲାଗିବା ପରି ସମସ୍ୟା ସହ ମୁକାବିଲା କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରୁଛନ୍ତି ।


ବାଲିଗୁଡା ବନ ବିଭାଗ ଡିଏଫଓ ବିଶ୍ୱରାଜ ପଣ୍ଡା ସୂଚନା ଦେଇ କହିଛନ୍ତି “୯୦% ଜଙ୍ଗଲରେ ଘଟୁଥିବା ଅଗ୍ନିକାଣ୍ଡ ମନୁଷ୍ୟକୃତ୍ୟ । ଜଙ୍ଗଲ ନିଆଁ କୁ ହ୍ରାସ କରିବା ପାଇଁ ଆମେ ଆମର ନିୟମିତ କର୍ମଚାରୀଙ୍କ ବ୍ୟତୀତ ୧୦୦ ରୁ ଅଧିକ ସ୍କ୍ୱାଡ଼ ନିୟୋଜିତ କରିଛୁ। ଯଦି ଆମେ ଏହି ପ୍ରକ୍ରିୟାରେ ସ୍ଥାନୀୟ ଯୁବକ ଏବଂ ସମ୍ପ୍ରଦାୟକୁ ଜଡିତ ନକରିବା, ଆମେ ଜଙ୍ଗଲ ଅଗ୍ନିକାଣ୍ଡକୁ ରୋକି ପାରିବୁ ନାହିଁ। ଆମେ ଅନ୍ୟ ହିତାଧିକାରୀମାନଙ୍କ ସହିତ ମିଶି ସ୍ଥାନୀୟ ବାସିନ୍ଦା ଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଗ୍ରାମରେ ପ୍ରାୟ ୮୭୦ମିଟିଙ୍ଗ କରିଛୁ ।ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ, ଆମ ଡିଭିଜନ ର ସାତୋଟି ରେଞ୍ଜରେ ଜଙ୍ଗଲ ରେ ଘଟୁଥିବା ପ୍ରାୟ ୧୮୦୦ଟି ଛୋଟ ବଡ ଅଗ୍ନିକାଣ୍ଡ ଘଟଣା ରିପୋର୍ଟ କରାଯାଇଛି । ନୂଆଗାଁ ରେଞ୍ଜ ରେ ନିଆଁ ର ସବୁଠାରୁ କମ ଘଟଣା ନଜର କୁ ଆସିଛି । କାରଣ ସେହି ବ୍ଲକର ଯୁବକ ଏବଂ ସ୍ଥାନୀୟ ଆଦିବାସୀ ନିଆଁକୁ ଆୟତ୍ତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି “।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: