ଟିଟିପିଏସ ବନ୍ଦ ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ (ଟିଟିପିଏସ) ବନ୍ଦ ହେବା ଘଟଣାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ କେନ୍ଦ୍ରର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସେ ଚିଠି ଲେଖି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ.ସିଂଙ୍କୁ ଏହି ବିଷୟରେ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖି ଓ ଫୋନ୍ ଯୋଗେ ଟିଟିପିଏସ ସଂପ୍ରସାରଣ ଲାଗି ଅନୁରୋଧ କରିଛନ୍ତି। ଟିଟିପିଏସର ସଂପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଓ ଭବିଷ୍ୟତରେ ଏହା ବନ୍ଦ ହେବ ନାହିଁ ବୋଲି ଶକ୍ତିମନ୍ତ୍ରୀ ମଧ୍ୟ ଆଶ୍ବାସନା ଦେଇଥିବା ଧର୍ମେନ୍ଦ୍ର ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ସହିତ ତାଳଚେରରେ ଆଉ ଏକ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ରାଜ୍ୟ ସରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେଲେ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ତେବେ ମଙ୍ଗଳବାର ମଧ୍ୟ ରାତ୍ରୀରୁ କର୍ତ୍ତୃପକ୍ଷ  ଟିଟିପିଏସ ବନ୍ଦ କରିଥିଲେ। ବନ୍ଦକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

%d bloggers like this: