ମହଙ୍ଗା ପଡ଼ିଲା କେଶ ଦାନ, ଫେସ୍ ସ୍କାନରରେ ମୁହଁ ମେଳ ନଖାଇବାରୁ ଗଲା ଚାକିରି

ମହଙ୍ଗା ପଡ଼ିଲା କେଶ ଦାନ, ଫେସ୍ ସ୍କାନରରେ ମୁହଁ ମେଳ ନଖାଇବାରୁ ଗଲା ଚାକିରି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୌଣସି କର୍ମଚାରୀଙ୍କୁ ଚାକିରିରୁ ହଟେଇବା ପାଇଁ ବ୍ୟକ୍ତି ବା ସଂସ୍ଥାକୁ ଏକ ବୈଧ କାରଣ ଦର୍ଶାଇବାକୁ ପଡ଼ିଥାଏ । ତେବେ ଅଧିକାଂଶ ଚାକିରି ବ୍ୟକ୍ତିର କାର୍ଯ୍ୟ ଦକ୍ଷତା ଅଭାବରୁ ଯାଇଥାଏ। ତେବେ ଚାକିରି ଗଲା ପରେ ବ୍ୟକ୍ତିକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥାଏ। ହେଲେ ଜଣେ ଟ୍ୟାକ୍ସି କମ୍ପାନୀ ଉବର ଡ୍ରାଇଭରଙ୍କୁ ଏମିତି ଏକ କାରଣ ପାଇଁ ଚାକିରି ହରେଇବାକୁ ପଡ଼ିଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହାଇଦ୍ରାବାଦରେ ଅନ୍ ଲାଇନ୍ ଟ୍ୟାକ୍ସି କମ୍ପାନୀ ଉବର ତାର ଜଣେ ଡ୍ରାଇଭରକୁ ଚାକିରିରୁ ବାହାର କରିଛି । କାରଣ ତାଙ୍କ ଚେହେରା ଫେସ୍ ସ୍କାନରରେ ମେଳ ଖାଇଲା ନଥିଲା । ଏହି ଉବର ଡ୍ରାଇଭରଙ୍କ ନାମ ଶ୍ରୀକାନ୍ତ ବୋଲି ଜଣାପଡିଛି । ସେ ମାନସିକ ପୂରଣ ପାଇଁ ତିରୁପତି ବାଲାଜୀଙ୍କ ମନ୍ଦିର ଯାଇ ମଣ୍ଡନ ହୋଇଥିଲେ । କେଶ ଦାନ କରିବା ପରେ ତାଙ୍କୁ ତାଙ୍କ ଜୀବନର ବହୁତ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ତିରୁପତିରୁ ଫେରି ଶ୍ରୀକାନ୍ତ ଯେତେବେଳେ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ, ସେଠାରେ ଫେସ୍ ସ୍କାନର୍ ମେସିନ୍ ତାଙ୍କ ଚେହେରାକୁ ଚିହ୍ନଟ କରିପାରିନଥିଲା। ଏହି କାରଣରୁ ତାଙ୍କୁ କମ୍ପାନୀ ଚାକିରିରୁ ବାହାର କରିଥିବାର ସେ କହିଛନ୍ତି।

ସେପଟେ ଶ୍ରୀକାନ୍ତଙ୍କୁ ଚାକିରିରୁ କାଢ଼ିବାକୁ ମାସେ ବିତି ଯାଇଥିବା ବେଳେ ଏଯାଏଁ ତାଙ୍କୁ ଚାକିରିଟିଏ ମିଳି ପାରିନାହିଁ। ଏ ସମ୍ପର୍କରେ ସମସ୍ତ କଥା କହିବା ପରେ ବି ଉବର କମ୍ପାନୀ ତାଙ୍କୁ ସାହାଯ୍ୟ କରୁନଥିବାର ସେ ଅଭିଯୋଗ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, କମ୍ପାନୀକୁ ଲଣ୍ଡା ହେବା ପୂର୍ବର ଏବଂ ପରର ସମସ୍ତ ଡକ୍ୟୁମେଣ୍ଟ ଦେଇଛି, ତଥାପି କମ୍ପାନୀ ମତେ କିଛି ବି ସାହାଯ୍ୟ କରୁ ନାହିଁ। ଏହାସହ ମତେ ଚାକିରିରୁ ହଟାଇବାର କୌଣସି ଦୃଢ଼ କାରଣ ମଧ୍ୟ କହୁ ନାହିଁ।


ଶ୍ରୀକାନ୍ତଙ୍କ କହିବା ଅନୁଯାୟୀ, ସେ ଗତ ଦେଢ଼ ବର୍ଷ ଧରି ଉବର ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ପରିବାର ତାଙ୍କ ରୋଜଗାର ଉପରେ ନିର୍ଭରଶୀଳ। ତେଣୁ ଏବେ ତାଙ୍କ ପାଖରେ ଚାକିରି ନଥିବାରୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଶ୍ରୀକାନ୍ତ କହିଛନ୍ତି ଯେ, ୨୦୧୯ ମସିହାରୁ ସେ ଏହି ଚାକିରିରେ ଯୋଗ ଦେଇଥିବା ବେଳେ ପ୍ରାୟ ୧୪୨୮ଟି ଯାତ୍ରା ଶେଷ କରିଛନ୍ତି ଏବଂ ୪.୬୭ ଷ୍ଟାର ମଧ୍ୟ ପାଇଛନ୍ତି। ଶ୍ରୀକାନ୍ତଙ୍କ କାହାଣୀ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍ ଟ୍ରାନ୍ସପୋର୍ଟ ୱାର୍କର୍ସର ସାଧାରଣ ସମ୍ପାଦକ ସେକ୍ ସଲାଉଦ୍ଦିନ ସୋସିଆଲ ମିଡିଆରେ ଶ୍ରୀକାନ୍ତଙ୍କ ଆପତ୍ତିକୁ ସେୟାର କରିଥିବା ବେଳେ ଏବେ ଜୋରସୋରରେ ଭାଇରାଲ୍ ହେବାରେ ଲାଗିଛି । ତେଲେଙ୍ଗାନା ଫୋର୍ ହ୍ୱିଲର୍ ଡ୍ରାଇଭର ଆସୋସିଏସନ୍ ଦ୍ଵାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଲାଉଦ୍ଦିନ କହିଛନ୍ତି ଯେ, ଏପରି ବ୍ୟବସ୍ଥା ତିଆରି କରିବାର ଆବଶ୍ୟକତା ଅଛି, ଯାହା ସେମାନଙ୍କ କର୍ମଚାରୀଙ୍କୁ ବୈଷୟିକ ତ୍ରୁଟି ପାଇଁ ବାହାର ନକରି ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବା ଦରକାର।
ସେପଟେ ଏନେଇ ଜଣେ ଉବର ଅଧିକାରୀ କହିଛନ୍ତି ଯେ, ମୁଖ ଚିହ୍ନିବା ଉପକରଣ ଜଣେ ବ୍ୟକ୍ତିଙ୍କ ରୂପରେ ଲମ୍ବା କିମ୍ବା କଟା କେଶ ଭଳି ପ୍ରାକୃତିକ ପରିବର୍ତ୍ତନ ଚିହ୍ନଟ କରିବାରେ ସକ୍ଷମ ଅଟେ। ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଡ୍ରାଇଭରମାନେ ଏହି ପ୍ରକ୍ରିୟାରେ କୌଣସି ବୈଷୟିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏବଂ ଲଗିଂ କରିବାରେ ଅସମର୍ଥ ହୁଅନ୍ତି । ତେବେ ସେମାନେ ସାହାଯ୍ୟ ପାଇଁ ଉବର ସହାୟକ ସେବା କେନ୍ଦ୍ର ସହ ଯୋଗାଯୋଗ କରିପାରିବେ।

ତେବେ ମଣ୍ଡନ ପରେ ଫେସ୍ ସ୍କାନର ମେସିନ୍ ଚିହ୍ନି ନପାରିବାରୁ ଚାକିରି ଯିବାର ଏହି କାରଣ ଅନେକ ଲୋକଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଛି । ଏଥିସହ ଶ୍ରୀକାନ୍ତଙ୍କୁ ତାଙ୍କ ଚାକିରି ଫେରିଇ ଦେବାକୁ ବହୁ ୟୁଜର୍ସ ସୋସିଆଲ ମିଡିଆରେ ଅପିଲ୍ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: