ଚଳନ୍ତା ଟ୍ରେନ୍ ତଳୁ ବୃଦ୍ଧଙ୍କୁ ବଞ୍ଚାଇଲା ପୋଲିସ, ରେଳ ମନ୍ତ୍ରୀ କହିଲେ-ସୁରକ୍ଷାକର୍ମୀଙ୍କୁ ନେଇ ଆମେ ଗର୍ବିତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳନ୍ତା ଟ୍ରେନ ତଳକୁ ଖସି ପଡ଼ିଲେ ବୃଦ୍ଧ । ଏହି ଦୃଶ୍ୟ ଦେଖି ଉପସ୍ଥିତ ଲୋକେ ବି କଣ କରିବେ କିଛି ବୁଝିପାରୁନଥିଲେ । ଆଉ ଏତିକି ବେଳେ ଦେବଦୂତ ସାଜି ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଜଣେ ପୋଲିସ । ଚଳନ୍ତା ଟ୍ରେନ୍ ତଳୁ ବୃଦ୍ଧଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉକ୍ତ ପୋଲିସଙ୍କ ଯୋଗୁଁ ନିଶ୍ଚିତ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୃଦ୍ଧ ଜଣକ । ବୃଦ୍ଧଙ୍କୁ ଉଦ୍ଧାର କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଏପରି କି ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ନିଜେ ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଜଣେ ପୋଲିସ ଚଳନ୍ତା ଟ୍ରେନ୍ ତଳେ ଆସିଥିବା ଜଣେ ବୃଦ୍ଧଙ୍କ ଜୀବନ ରକ୍ଷା କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ସେୟାର କରି ପିୟୂଷ ଗୋଏଲ କ୍ୟାପସନରେ ଲେଖିଛନ୍ତି, ‘ରାଜସ୍ଥାନର ସାୱାଇ ମାଧୋପୁର ଷ୍ଟେସନରେ ଜଣେ ବୃଦ୍ଧ ଯାତ୍ରୀଙ୍କୁ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ତୁରନ୍ତ ପଦକ୍ଷେପ ନେଇ ଉଦ୍ଧାର କରିଛନ୍ତି । ଆମର ସୁରକ୍ଷା କର୍ମୀଙ୍କ ପାଇଁ ଆମେ ଗର୍ବିତ, ଯେଉଁମାନେ ନିଜକୁ ସମର୍ପିତ କରି ସେମାନଙ୍କର ଦାୟିତ୍ବ ତୁଲାଉଛନ୍ତି | ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଲୋକମାନେ ବର୍ତ୍ତମାନ ପୋଲିସକୁ ପ୍ରଶଂସା କରୁଛନ୍ତି।
ଏହି ଭିଡିଓ ସୋସିଆଲ ମିଡିଆରେ ବାରମ୍ବାର ଦେଖାଯାଉଛି | ଲୋକମାନେ ଉକ୍ତ ପୋଲିସଙ୍କୁ ବହୁତ ପ୍ରଶଂସା କରୁଛନ୍ତି ଏବଂ ତାଙ୍କ ପାଇଁ ଅନେକ ସାକାରାତ୍ମକ କମେଣ୍ଟ ମଧ୍ୟ ଦେଉଛନ୍ତି | ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ସଂପୃକ୍ତ ପୋଲିସଙ୍କୁ ପୁରସ୍କୃତ କରାଯିବା ଉଚିତ୍। ଏହି ଭିଡିଓ ଦେଖିବା ପରେ ଆପଣମାନେ ବି ପ୍ରଶଂସା ନ କରି ରହିପାରିବେନି ।

Leave a Reply

Your email address will not be published. Required fields are marked *