ପ୍ରତିବର୍ଷ ଆତ୍ମହତ୍ୟା କରିଥାନ୍ତି ହଜାର ହଜାର ପକ୍ଷୀ, ସନ୍ଧ୍ୟା ହେଲେ ଘରୁ ବାହାରିବା ମନା

ପ୍ରତିବର୍ଷ ଆତ୍ମହତ୍ୟା କରିଥାନ୍ତି ହଜାର ହଜାର ପକ୍ଷୀ, ସନ୍ଧ୍ୟା ହେଲେ ଘରୁ ବାହାରିବା ମନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ହୁଏତ କେବଳ ମଣିଷମାନେ ଆତ୍ମହତ୍ୟା କରିଥିବା କଥା ଜାଣିଥିବେ ବା କେତେକ ସୁଇସାଇଡ ପଏଣ୍ଟ କଥା ଶୁଣିଥିବେ କିନ୍ତୁ କେବେ ପକ୍ଷୀମାନେ ଆତ୍ମହତ୍ୟା କରିବାର ଶୁଣିଛନ୍ତି କି ? ତାହା ପୁଣି ଗୋଟିଏ ସ୍ଥାନରେ। ହଁ ଏମିତି ଗୋଟିଏ ସ୍ଥନ ଅଛି ଯେଉଁଥି ପ୍ରତି ବର୍ଷ ହଜାର ହଜାର ପକ୍ଷୀ ଆସି ଆତ୍ମହତ୍ୟା କରିଥାନ୍ତି। ଆସାମର ଡିମା ହାସୋ ଜିଲ୍ଲାର ପାହାଡରେ ଥିବା ଜାଟିଙ୍ଗା ଉପତ୍ୟକା ପକ୍ଷୀମାନଙ୍କ ଆତ୍ମହତ୍ୟା ସ୍ଥାନ ଭାବରେ ବେଶ୍ ଜଣାଶୁଣା। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପକ୍ଷୀମାନେ ଏଠାରେ ଆତ୍ମହତ୍ୟା କରିଥାନ୍ତି ବୋଲି କୁହାଯାଏ। ଏହି କାରଣରୁ ଜାଟିଙ୍ଗା ଗାଁ ବେଶ ପ୍ରସିଦ୍ଧି ଲାଭ କରିଛି। କେବଳ ସ୍ଥାନୀୟ ପକ୍ଷୀ ନୁହଁନ୍ତି ଏଠାକୁ ବିଦେଶାଗତ ବା ସ୍ଥାନାନ୍ତରିତ ପକ୍ଷୀମାନେ ମଧ୍ୟ ଆସି ଆତ୍ମହତ୍ୟା କରିଥାନ୍ତି। ସେଥି ପାଇଁ ଜାଟିଙ୍ଗା ଗାଁଟି ଅତ୍ୟନ୍ତ ରହସ୍ୟମୟ ବୋଲି ବିବେଚନା କରାଯାଏ।
ଜାଟିଙ୍ଗା ଗ୍ରାମରେ ପକ୍ଷୀମାନେ ଦ୍ରୁତ ଗତିରେ ଉଡ଼ି ଆସି ଏକ କୋଠା କିମ୍ବା ଗଛରେ ବାଡେଇ ହୋଇଥାନ୍ତି, ଏଥିରେ ସେମାନଙ୍କର ମୃତ୍ୟୁ ହୋଇଥାଏ। ଗୋଟିଏ କି ଯୋଡିଏ ନୁହେଁ ଏହା ହଜାର ହଜାର ପକ୍ଷୀମାନଙ୍କ ସହିତ ହୁଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପକ୍ଷୀମାନେ ସନ୍ଧ୍ୟା ୭ ଟାରୁ ରାତି ୧୦ ଟା ଭିତରେ ଏଭଳି କରିଥାନ୍ତି। ତେବେ ଏହି ଆତ୍ମହତ୍ୟା ଦୌଡ଼ରେ ପ୍ରାୟ ୪୦ରୁ ଅଧିକ ପ୍ରଜାତିର ସ୍ଥାନୀୟ ଏବଂ ସ୍ଥାନାନ୍ତରିତ ପକ୍ଷୀ ଜଡିତ ଅଟନ୍ତି। ପ୍ରାକୃତିକ କାରଣରୁ ନଅ ମାସ ପର୍ଯ୍ୟନ୍ତ ଜାଟିଙ୍ଗା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥାଏ। କେବଳ ଏତିକି ନୁହେଁ, ଜାଟିଙ୍ଗା ଉପତ୍ୟକାକୁ ରାତିରେ ପ୍ରବେଶ ନିଷେଧ କରାଯାଇଛି।
ପକ୍ଷୀ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ରହସ୍ୟମୟ ଘଟଣାର କାରଣ ହେଉଛି ଚୁମ୍ବକୀୟ ଶକ୍ତି। ଆର୍ଦ ଏବଂ କୁହୁଡ଼ି ପାଗରେ ପବନ ଦ୍ରୁତ ଗତିରେ ପ୍ରବାହିତ ହୋଇଥାଏ, ତେଣୁ ରାତିର ଅନ୍ଧକାରରେ ପକ୍ଷୀମାନେ ଆଲୋକ ଚାରିପଟେ ଉଡ଼ିବା ଆରମ୍ଭ କରିଥାନ୍ତି। ଆଲୋକର ଅଭାବ ହେତୁ, ସେମାନେ ସ୍ପଷ୍ଟ ଭାବରେ ଦେଖି ପାରନ୍ତି ନାହିଁ, ଯେଉଁଥିପାଇଁ ସେମାନେ କୋଠା,ଗଛ କିମ୍ବା ଯାନ ସହିତ ଧକା ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଜାଟିଙ୍ଗା ଗାଁରେ ସନ୍ଧ୍ୟା ସମୟରେ ଗାଡ଼ି ଚଳାଇବାକୁ ବାରଣ କରାଯାଇଛି, ଯେପରି ଆଲୋକ ନହୁଏ କି ପକ୍ଷୀଙ୍କର କୌଣସି କ୍ଷତି ନହୁଏ। ତଥାପି, ଏହା ସତ୍ତ୍ୱେ ପକ୍ଷୀମାନଙ୍କର ମୃତ୍ୟୁ ହେଉଛି। ଜଟିଙ୍ଗା ଗାଁର ଲୋକମାନେ ଏହାପଛରେ ରହସ୍ୟମୟ ଶକ୍ତିର ହାତ ରହିଛି ବୋଲି କୁହନ୍ତି। ଗ୍ରାମବାସୀ କୁହନ୍ତି ଯେ ପବନରେ କିଛି ଅଲୌକିକ ଶକ୍ତି ଆସେ ଆଉ ପକ୍ଷୀଙ୍କୁ ଏଭଳି କରିବା ପାଇଁ ପ୍ରବ୍ରତାଇଥାଏ। ସେମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ସମୟରେ ମଣିଷମାନେ ବାହାରକୁ ବାହାରିବା ବିପଦଜନକ ହୋଇପାରେ। ତେଣୁ ସେପ୍ଟେମ୍ବରରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜାଟିଙ୍ଗାର ରାସ୍ତାଗୁଡ଼ିକ ସନ୍ଧ୍ୟାରେ ନିଛାଟିଆ ବା ଖାଁଖାଁ ହୋଇଯାଏ କାରଣ ଏହି ସମୟରେ କେହି ଘରୁ ବାହାରନ୍ତି ନାହିଁ କି ଗାଡ଼ି ଚାଳଚଳ କରେ ନାହିଁ।
କୁହଯାଉଛି ଯେ ୧୯୧୦ ମସିହାରୁ ଏଠାରେ ପକ୍ଷୀମାନଙ୍କର ଆତ୍ମହତ୍ୟା ଘଟଣା ଚାଲିଆସୁଛି, କିନ୍ତୁ ୧୯୫୭ ମସିହାରେ ବାହ୍ୟ ଜଗତ ଏହା ଜାଣିଥିଲା। ୧୯୫୭ ମସିହାରେ ପକ୍ଷୀ ବୈଜ୍ଞାନିକ ଇ.ପି ଜି କିଛି କାମରେ ଜାଟିଙ୍ଗାକୁ ଆସିଥିଲେ। ସେହି ସମୟରେ ସେ ନିଜେ ଏହି ଘଟଣାକୁ ନିଜ ଆଖିରେ ଦେଖିବା ସହ ତାଙ୍କ ପୁସ୍ତକ ‘ୱାଇଲ୍ଡ ଲାଇଫ୍ ଅଫ୍ ଇଣ୍ଡିଆ’ରେ ସେହି ଘଟଣା ଉଲ୍ଲେଖ କରିଥିଲେ। ଭାରତ ତଥା ବିଦେଶର ବହୁ ବୈଜ୍ଞାନିକ ଏହି ଘଟଣା ଉପରେ ଗବେଷଣା କରିଛନ୍ତି, କିନ୍ତୁ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: