କାହିଁକି ସିଏମଙ୍କୁ ବଦଳାଉଛି ମୋଦିଙ୍କ ଭାଜପା: ନିର୍ବାଚନ ଆଗରୁ ନୂଆ ମୁଖିଆଙ୍କ ପାଇଁ ରହିଛି ଏହି ୪ ଚ୍ୟାଲେଞ୍ଜ

କାହିଁକି ସିଏମଙ୍କୁ ବଦଳାଉଛି ମୋଦିଙ୍କ ଭାଜପା: ନିର୍ବାଚନ ଆଗରୁ ନୂଆ ମୁଖିଆଙ୍କ ପାଇଁ ରହିଛି ଏହି ୪ ଚ୍ୟାଲେଞ୍ଜ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନର ବହୁ ପୂର୍ବରୁ ବଡ଼ ଧରଣର କ୍ଷମତା ପରିବର୍ତ୍ତନ କରିଛି ଭାରତୀୟ ଜନତା ପାର୍ଟି ବିଜେପି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଇଛନ୍ତି ବିଜୟ ରୁପାଣୀ । ରାଜପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସେ ଗଣମାଧ୍ୟମ ଆଗରେ କହିଛନ୍ତି। ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ ଏବଂ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ ବୋଲି କହିଛନ୍ତି ରୁପାଣୀ।

୨୦୧୬ ଅଗଷ୍ଟ ୭ରେ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ରୁପାଣୀ। ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୨ରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ। ତାପୂର୍ବରୁ ରୂପାଣୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଛି।

ରୂପାଣୀଙ୍କ ସ୍ଥାନରେ କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ମନସୁଖ ମାଣ୍ଡଭୀୟ , ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେପଟେ କର୍ଣ୍ଣାଟକ ଏବଂ ଉତ୍ତରାଖଣ୍ଡ ପରେ ଗୁଜରାଟରେ ବିଜେପି ନେତୃତ୍ୱ ପରିବର୍ତ୍ତନ କରିଛି। ସେପଟେ ଗୁଜରାଟ ବିଧାନସଭା ନିର୍ବାଚନକୁ ଆହୁରି ଗୋଟିଏ ବର୍ଷ ବାକି ଥିବା ବେଳେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ଏହାକୁ ନେଇ ନାନା କଳ୍ପନା ଜଳ୍ପନା ବି ଆରମ୍ଭ ହୋଇ ଯାଇଛି । 

ବର୍ତ୍ତମାନ ବିଜେପି ଆଗରେ ୪ଟି ବଡ଼ ଚ୍ୟାଲେଞ୍ଜ ରହିଛି । ସେମଧ୍ୟରୁ …

ଚ୍ୟାଲେଞ୍ଜ ନମ୍ବର ୧- ବିଧାନସଭା ନିର୍ବାଚନ

ଚ୍ୟାଲେଞ୍ଜ ନମ୍ବର ୨- କରୋନା ମିସ ମ୍ଯାନେଜମେଣ୍ଟ

ଚ୍ୟାଲେଞ୍ଜ ନମ୍ବର ୩- କରିସ୍ମା କରିପାରୁଥିବା ନେତା ଦରକାର

ଚ୍ୟାଲେଞ୍ଜ ନମ୍ବର ୪-ପାଟିଦାର ସମୁଦାୟଙ୍କୁ ଖୁସ୍ କରିବା

ଚ୍ୟାଲେଞ୍ଜ ନମ୍ବର ୧- ବିଧାନସଭା ନିର୍ବାଚନ

ରାଜ୍ଯ ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଆଗାମୀ ବିଧାନସଭା ନିର୍ବାଚନ । ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ବିଜେପିକୁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି କଡ଼ା ଟକ୍କର ଦେବ । ୨୦୧୭ ର ବିଧାନସଭା ନିର୍ବାଚନ ଜିତି ବିଜେପି ସରକାର ଗଠନ କରିଥିଲେ ମଧ୍ୟ କଡ଼ା ଟକ୍କର ଦେଇଥିଲା କଂଗ୍ରେସ । କଂଗ୍ରେସର ପ୍ରଦର୍ଶନ ବିଜେପି ପାଇଁ ନିରାଶାଜନକ ଥିଲା । ଆଉ ଏହି ଏହି କାରଣରୁ ବିଜେପି ମାତ୍ର ୯୯ ଆସନରେ ହିଁ ସିମିତ ରହିଯାଇଥିଲା । ଏଣୁ ବର୍ତ୍ତମାନ ଏହି ସ୍ଥିତିରେ କେମିତି ସୁଧାର ଅଣାଯାଇ ପାରିବ ତାହା ବର୍ତ୍ତମାନ ବିଜେପି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ନିଶ୍ଚୟ । ଦଳୀୟ କର୍ମୀ ଓ ନେତାଙ୍କୁ କେମିତି ପୁଣି ଥରେ ସକ୍ରିୟ କରି ସଂଗଠନକୁ ମଜଭୂତ କରି ସଫଳତାର ଧାରା ବଜାୟ ରଖିହେବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଚ୍ୟାଲେଞ୍ଜ ନମ୍ବର ୨- କରୋନା ମିସ ମ୍ୟାନେଜମେଣ୍ଟ

ଏମିତି ବି କୁହାଯାଉଛି ଯେ, ବିଜୟ ରୂପାଣୀଙ୍କ ଇସ୍ତଫା ପଛରେ କରୋନା କାଳରେ ହୋଇଥିବା ମିସ ମ୍ଯାନେଜମେଣ୍ଟ ହିଁ ଦାୟୀ । କରୋନାର ଦ୍ୱିତୀୟ ଲହରୀ ବେଳେ ଗୁଜରାଟ ସରକାରକୁ ହାଇକୋର୍ଟ ଭର୍ତ୍ସନା କରିଥିଲେ । ବାରମ୍ବାର କୋଭିଡ ମ୍ଯାନେଜମେଣ୍ଟରେ ସରକାର ବିଫଳ ହୋଇଥିଲେ । ଆଉ ଏହା ପରେ ଖୁବ୍ ବିବାଦକୁ ଆସି ଯାଇଥିଲେ ମୁଖ୍ଯମନ୍ତ୍ରୀ ବିଜୟ ରୂପାଣୀ । ଆଉ ଏବେ ଯେତେବେଲେ ତୃତୀୟ ଲହରର ସମ୍ଭାବନାକୁ ଏଡ଼ାଇ ଦିଆଯାଉନାହିଁ ଆଉ ଏହାରି ମଧ୍ୟରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଗାଦି ଛାଡ଼ିବାକୁ ପଡ଼ୁଛି ଏଣୁ ଏହା ପରବର୍ତ୍ତୀ ସମୟରେ ବିଜେପି ସରକାର ପାଇଁ ନିହାତି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଗୁଜରାଟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ସାବ୍ୟସ୍ତ ହେବ ନିଶ୍ଚୟ ହେବ ।

ଚ୍ୟାଲେଞ୍ଜ ନମ୍ବର ୩- କରିସ୍ମା କରିପାରୁଥିବା ନେତା ଦରକାର

ଗୁଜରାଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ମଭୂମି  ରହି ସାରିଛି। ମୋଦିଙ୍କ ନେତୃତ୍ୱରେ ବିଜେପି ଏହି ରାଜ୍ୟରେ ଜବରଦସ୍ତ ବିସ୍ତାର ହେବା ସହ ଆଗକୁ ଆଗକୁ ବଢ଼ି ନିଜ ପାଇଁ ଏକ ଅଭେଦ୍ୟ ଗଡ଼ କରି ରଖିଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତିନି ତିନି ଥର ଏଠାରୁ ମୁଖ୍ୟମନ୍ତ୍ରୀ ରହି ସେବା ଯୋଗାଇଛନ୍ତି । ଆଉ ଏଭଳି ସମୟରେ ମୋଦିଙ୍କ ଭଳି ଚମତ୍କାର କରିପାରୁଥିବା ଜଣେ ଲୋକପ୍ରିୟ ନେତା ଗୁଜରାଟ ବିଜେପି ପାଇଁ ଆବଶ୍ୟକ କରୁଛି । ଯିଏ କେବଳ ଦଳର ଚେହେରା ହେବନାହିଁ ବରଂ ମୋଦିଙ୍କ ଭଳି ରାଜ୍ୟର ଚେହେରା ହୋଇ ରାଜ୍ୟ ରାଜନୀତିରେ ନିଜ ପାଇଁ ସ୍ୱତନ୍ତ୍ର ଛାପ ସୃଷ୍ଟି କରିବ ।

ଚ୍ୟାଲେଞ୍ଜ ନମ୍ବର ୪-ପାଟିଦାର ସମୁଦାୟଙ୍କୁ ଖୁସ୍ କରିବା

ଗୁଜରାଟ ରାଜ୍ୟ ରାଜନୀତିରେ ପାଟିଦାର ସଂପ୍ରଦାୟର ବେଶ୍ ଦବଦବା ରହିଛି  । ରାଜନୈତିକ ସମୀକରଣକୁ ବଦଳାଇବାର କ୍ଷମତା ରଖନ୍ତି ପାଟିଦାର ସଂପ୍ରଦାୟ । ଆଉ ଏହି କାରଣରୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତାଙ୍କ ସାମ୍ନାରେ ଏମିତି ଅନେକ ଚ୍ୟାଲେଞ୍ଜ ଛିଡ଼ା ହୋଇଛି । କରୋନା ମୁକାବିଲାରେ ସଫଳ ହୋଇଗଲେ, କର୍ମୀ ଓ ନେତାଙ୍କ ମନରେ ଯୋଶ ଭରିଦେଲେ ମଧ୍ୟ ବିଜେପି ପାଇଁ ସେତିକି ଫାଇଦା ହେବନି ଯଦି ଏହି ସଂପ୍ରଦାୟ ବିଜେପି ଆଡକୁ ନ ଢ଼ଳନ୍ତି । ଆଉ ଏହି ମୁଦ୍ଦା ହିଁ ମୋଦିଙ୍କ ବିଜେପି ପାଇଁ ଅଡୁଆ ସାବ୍ୟସ୍ତ ହୋଇପାରେ  । ୨୦୧୭ ମସିହାରେ ରାଜ୍ଯରେ ପାଟିଦାର ଆନ୍ଦୋଳନର ରୂପରେଖ କଣ ରହିଥିଲା ତାହା ସାରା ଦେଶ ଦେଖିଛି  । ଏହା ବିଜେପି ପାଇଁ ବଡ଼ ବିପଯର୍ୟୟ ମଧ୍ୟ ସୃଷ୍ଟି କରିଥିଲା ।  ସୌରାଷ୍ଟ୍ର ଇଲାକାରେ ତ ବିଜେପି ଶୂନ ସହ ସମାନ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଆଉ ଏବେ ଏହି ପରିସ୍ଥିତିରେ ନୂଆ ସିଏମ୍ କେମିତି ନିଜର ରାଜଗାଦି ଓ ଦଳୀୟ କମାଣକୁ ସମ୍ଭାଳି ଆଗକୁ ବଢ଼ିବେ ତାହା ଦେଖିବାର କଥା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: