ଅଜବ ପରମ୍ପରା, ମୁଖିଆ ଗିରଫ ହେବାରୁ ଅଧାରେ ରହିଲା ବାହାଘର

ଅଜବ ପରମ୍ପରା, ମୁଖିଆ ଗିରଫ ହେବାରୁ ଅଧାରେ ରହିଲା ବାହାଘର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:

ଭାରତର ବିଭିନ୍ନ ଅଞ୍ଚଳରେ ବିବାହ ସମୟରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ସେମିତି ଏକ ଅଜବ ପରମ୍ପରା ପାଇଁ ବର-କନ୍ୟାଙ୍କ ବାହାଘର ଅଧାରେ ରହିଯାଇଛି । ବିହାରର ବଙ୍କା ଜିଲ୍ଲା ଧୋରୈୟା କୁଶାହା ଗାଁର ବାସିନ୍ଦା ରସିକଲାଲ ମୁର୍ମୁଙ୍କ ଝିଅ ବାସମତି ମୁର୍ମୁଙ୍କ ବୌଶୀ ଥାନା ଅଧିନ ଶୋଭା ଗାଁର ବାସିନ୍ଦା ଅରବିନ୍ଦ ମଣ୍ଡଳଙ୍କ ସହ ବିବାହ ସ୍ଥିର ହୋଇଥିଲା । ଏପ୍ରିଲ୍ ୫ ତାରିଖରେ ମହାଆଡମ୍ୱରରେ ବର ଶୋଭାଯାତ୍ରା ନେଇ ମଧ୍ୟ କନ୍ୟା ଘରେ ପହଞ୍ଚିଥିଲା । ପରମ୍ପରା ଅନୁଯାୟୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ହେଲେ ହଠାତ୍ ପୋଲିସ ଗାଁରେ ପହଞ୍ଚି ଗାଁ ମୁଖିଆ ଗୋପାଳ ସୋରେନଙ୍କୁ ମଦ କାରବାର ଅଭିଯୋଗରେ ଗିରଫ କରିବା ପରେ ସବୁ କିଛି ବଦଳିଗଲା । ଅଧାରେ ରହିଗଲା ବାହାଘର । କାରଣ ଏହି ଗାଁର ପରମ୍ପରା ଅନୁଯାୟୀ, ଗାଁ ମୁଖିଆଙ୍କ ବିନା ବିବାହ ଉତ୍ସବ କରାଯାଇପାରିବ ନାହିଁ। ପୋଲିସ ମୁଖିଆଙ୍କ ଘରୁ ଦୁଇରୁ ତିନି ଲିଟର ମଦ ଜବତ କରିଥିଲା। ଗ୍ରାମବାସୀ ପୋଲିସକୁ ଯେତେ ବୁଝାସୁଝା କରିଥିଲେ ବି ସମସ୍ତ ଉଦ୍ୟମ ଫେଲ୍ ହୋଇଥିଲା ।
ତେବେ ଆଦିବାସୀ ପରମ୍ପରା ଅନୁଯାୟୀ, ଝିଅର ବିବାହରେ ଦେବତାମାନଙ୍କୁ ମହୁଆ ମଦ ଅର୍ପଣ କରାଯାଏ। ତେଣୁ ମୁଖିଆ କେବଳ ବାହାଘର ଉତ୍ସବ ପାଇଁ ଘରେ ମଦ ରଖି ଥିବା କହିଛନ୍ତି । କନ୍ୟାଙ୍କ ଭାଇ ଦିନେଶ ମୁର୍ମୁ କୁହନ୍ତି ଯେ, ଏଠାରେ ପରମ୍ପରା ଅନୁଯାୟୀ କେବଳ ମୁଖିଆ ହିଁ ବିବାହ କରାନ୍ତି । ତେଣୁ ସେ ଗିରଫ ହେବା ପରେ ବିବାହ ରୀତିନୀତି ସମ୍ପନ୍ନ ହୋଇପାରିନଥିଲା ।
ତେବେ ମୁଖିଆଙ୍କୁ ଗିରଫ ପରେ ଗାଁରେ ଏକ ପଞ୍ଚାୟତ ଗଠନ କରାଯାଇଥିଲା ଏବଂ କନ୍ୟାଙ୍କୁ ତାଙ୍କ ବର ସହିତ ବିନା ବିବାହରେ ଶାଶୁ ଘରକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଧୋରେୟା ବ୍ଲକ ବିକାଶ ଅଧିକାରୀ ଅଭିନବ ଭାରତୀ କହିଛନ୍ତି ଯେ, ଏହି ମାମଲା ଆଇନଗତ ଅଟେ । ମଦ ଜବତ ଅଭିଯୋଗରେ ଗାଁ ମୁଖିଆଙ୍କୁ ଗିରଫ କରାଯାଇଛି, ବର୍ତ୍ତମାନ କେବଳ କୋର୍ଟରୁ ତାଙ୍କୁ ଜାମିନ ମିଳିପାରିବ। ଗ୍ରାମବାସୀ କହିଛନ୍ତି ଯେ, ମୁଖିଆ ମୁକ୍ତିହେଲା ପରେ ହିଁ ଅଧା ରହି ଯାଇଥିବା ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: