ଦୋକାନୀମାନେ ଖୁଚୁରା ବଦଳରେ କେବଳ ନୋଟ୍‍ ଗ୍ରହଣ କରୁଥିବାରୁ ସମସ୍ୟା ବଢୁଛି

ଦୋକାନୀମାନେ ଖୁଚୁରା ବଦଳରେ କେବଳ ନୋଟ୍‍ ଗ୍ରହଣ କରୁଥିବାରୁ ସମସ୍ୟା ବଢୁଛି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଟଙ୍କିକିଆ କିମ୍ବା ଦୁଇ ଟଙ୍କିଆ ମୁଦ୍ରା ନେଇ ସାମଗ୍ରୀ ଆଣିବାକୁ ଗଲେ ଦୋକାନୀ ଫେରାଇ ଦେଉଛି । ସଫା ସଫା କହୁଛି ଏଗୁଡାକୁ ଆଉ ଚଳୁନି । କେତେକ ଦୋକାନୀ ୫ଟଙ୍କିଆ କଏନକୁ ବି ଫେରାଇ ଦେଉଛନ୍ତି ।

ଖୁଚୁରା ପଇସାର ଏଭଳି ସ୍ଥିତି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍‍ ରାଜଧାନୀଠାରୁ ଅନତି ଦୂରରେ ଥିବା ଜଗତ୍‍ସିଂହପୁର ଜିଲ୍ଲାରେ । ଜିଲ୍ଲାବାସୀ ଏବେ ଟଙ୍କିକିଆ କିମ୍ବା ଦୁଇ ଟଙ୍କିଆ ମୁଦ୍ରା ଦେଖିଲେ ଭୟ କରୁଛନ୍ତି । କାରଣ ଏଥରୁ ପୁଳାଏ ପୁଳାଏ ପାଖରେ ଥିଲେ ବି ସାମଗ୍ରୀ ଖରିଦ କରିପାରୁ ନାହାନ୍ତି । ଛୋଟ ଠାରୁ ବଡ ଦୋକାନୀଙ୍କ ପର୍ଯ୍ୟନ୍ତ କେହି ଏହାକୁ ଗ୍ରହଣ କରୁନାହାନ୍ତି ।

ଫଳରେ ଛୋଟ ମୋଟ ସାମଗ୍ରୀ ଆଣିବାକୁ ଯାଉଥିବା ଲୋକେ ଏବେ ଖୁଚୁରା ପଇସା ବଦଳରେ ଅନ୍ୟ ସାମଗ୍ରୀ ନହେଲେ ପୁଳାଏ ଚକୋଲେଟ ଧରି ଫେରୁଛନ୍ତି । ଦୋକାନୀମାନେ ଖୁଚୁରା ବଦଳରେ କେବଳ ନୋଟ୍‍ ଗ୍ରହଣ କରୁଥିବାରୁ ଜିଲ୍ଲାବାସୀ ଏବେ ବାହାରୁ ଖୁଚୁରା ବଦଳରେ ନୋଟ୍‍ ସଂଗ୍ରହ କରିବାରେ ଲାଗିଛନ୍ତି । ତେବେ ଟଙ୍କିକିଆ ଓ ୨ଟଙ୍କିଆ ନୋଟ୍‍ ବହୁ ପୂର୍ବରୁ ବଜାରରୁ ଉଭାନ ହୋଇଥିବାବେଳେ ଏବେ ୫ଟଙ୍କିଆ ନୋଟ୍‍ର ବି ଘୋର ଅଭାବ । ତେଣୁ ଜିଲ୍ଲାରେ ଏବେ ୧୦ଟଙ୍କିଆ ନହେଲେ ଏହା ଉପରୁ ଥିବା ନୋଟ୍‍ର କାରବାର ହେଉଛି।

ଟଙ୍କିଆ ଓ ୨ଟଙ୍କିଆ ମୁଦ୍ରା ନନେବାର କାରଣ ସଂକ୍ରାନ୍ତରେ ଦୋକାନୀଙ୍କ ଯୁକ୍ତି ବି ଅଜବ । କହୁଛନ୍ତି, ଏହାକୁ କେହି ଗ୍ରହଣ କରୁନାହାନ୍ତି କି ଆମ ପାଖରେ ବ୍ୟାଙ୍କ୍‍ ଯିବାକୁ ବେଳ ନାହିଁ । ଆମ ରଖିବୁ କାହିଁକି, ହଇରାଣ ହେବୁ କାହିଁକି । ଦୋକାନୀଙ୍କ ଏଭଳି ଯୁକ୍ତି ଏବେ ଜିଲ୍ଲାବାସୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କଲାଣି ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଏହି ଦୁଇଟି ମୁଦ୍ରା ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନଥିବା ଏବଂ ପଡୋଶୀ କଟକ ଓ ଖୋରଧାରେ ଏହା ବେଧଡକ ଭାବେ କାରବାର ହେଉଥିବାବେଳେ ଜଗତ୍‍ସିଂହପୁରରେ କାହିଁକି ଅଚଳ ହୋଇଛି ତାହାର ଉତ୍ତର କାହା ପାଖରେ ନାହିଁ । ଏପରିକି ବିଭିନ୍ନ ଦେବାଳୟରେ ଲୋକେ ଦାନ କରୁଥିବା ବସ୍ତା ବସ୍ତା ଖୁଚୁରା ପଇସା ବି ଗଦା ହୋଇ ରହିଛି । ଅଳ୍ପଦିନ ତଳେ ଜିଲ୍ଲାର ଅନ୍ୟତମ ଦେବସ୍ଥାନ ଗୋରେଖନାଥ ମଠରୁ ଏଭଳି ଖବର ଆସିଥିଲା ।

ତେବେ ଏହା ପଛରେ କିଛି ଅସାଧୁ ବ୍ୟବସାୟୀ ଓ ମୁଦ୍ରା ସଂଗ୍ରହକାରୀଙ୍କ ଚାଲ୍‍ ଥିବା ସାଧାରଣ ଲୋକେ ଆଶଙ୍କାବ୍ୟକ୍ତ କରୁଛନ୍ତି । କିଛିଦିନ ଏହି ମୁଦ୍ରା କାରବାର ଅଚଳ ହେଲେ ଲୋକେ କିଲୋ ଦରରେ ବିକ୍ରି କରିବେ ଏବଂ ଏହି ବ୍ୟବସାୟୀମାନେ ତାହାକୁ ନେଇ ଅନ୍ୟ ଜିଲ୍ଲା ଓ ରାଜ୍ୟରେ ଚଳାଇବେ । ସେହିଭଳି ଟଙ୍କିକିଆରୁ ୫ଟଙ୍କିଆ ପର୍ଯ୍ୟନ୍ତ ସାମଗ୍ରୀ ଉତ୍ପାଦନ କରୁଥିବା ବ୍ୟବସାୟୀଙ୍କ ସାମଗ୍ରୀ ମଧ୍ୟ ଏହି ଅଘୋଷିତ କଟକଣା ପାଇଁ ଅଧିକ ପରିମାଣରେ ବିକ୍ରି ହେଉଥିବାରୁ ସେମାନେ ବି ଗୁଜବରେ ସାମିଲ ହେଉଛନ୍ତି ।

ତେଣୁ ଉଭୟ ରାଜ୍ୟ ସରକାର ଓ ଭାରତୀୟ ରିଜର୍ଭବ୍ୟାଙ୍କ୍‍ ତୁରନ୍ତ ଏହା ଉପରେ ନଜର ଦେବା ସହିତ ସ୍ଥାନୀୟ ବ୍ୟାଙ୍କ୍‍ ଓ ସରକାରୀ ସଂସ୍ଥାମାନେ ଟଙ୍କିକିଆ, ଦୁଇ ଟଙ୍କିଆ ଓ ୫ଟଙ୍କିଆ ମୁଦ୍ରା ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରିପାଇଁ ସାଧାରଣରେ ଦାବି ହେଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: