ପିଚୁ ରାସ୍ତାକୁ କୌଣସି ବ୍ୟକ୍ତି ହାତରେ ଖୋଳିଲେ କଡା କାର୍ଯ୍ୟାନୁଷ୍ଠାନ

ପିଚୁ ରାସ୍ତାକୁ କୌଣସି ବ୍ୟକ୍ତି ହାତରେ ଖୋଳିଲେ କଡା କାର୍ଯ୍ୟାନୁଷ୍ଠାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ନିର୍ମାଣ ହେଉଥିବା ପିଚୁ ରାସ୍ତାକୁ ମାସକ ମଧ୍ୟରେ ଯଦି କୌଣସି ବ୍ୟକ୍ତି ହାତରେ ଖୋଳନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ମୁଖ୍ୟ ପ୍ରଦୀପ କୁମାର ସାମଲ ଆଜି ପ୍ରେସ୍‍ ବିଜ୍ଞପ୍ତି ଜରିଆରେ ଲୋକଙ୍କୁ ଏ ନେଇ ସତର୍କ କରାଇ ଦେଇଛନ୍ତି ।

ଜାରତ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଗତ କିଛିମାସ ହେଲା ସଦ୍ୟ ତିଆରି ହୋଇଥିବା ପିଚୁ ରାସ୍ତାରୁ ପିଚୁ ସ୍ତରକୁ କିଛି ଲୋକ ହାତରେ ବାହାର କରୁଛନ୍ତି ଓ ଏହା ନିମ୍ନମାନର କାର୍ଯ୍ୟ ବୋଲି ଅଭିଯୋଗ କରିଆସୁଛନ୍ତି । ଏହା ଏକ ପ୍ରକାର ଅଭ୍ୟାସରେ ପରିଣତ ହେବା ସହିତ ଏହା ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିବାରେ ଲାଗିଛି ।

ବିଭାଗ ଜନସାଧାରଣଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ କୌଣସି ପ୍ରକାର ନିମ୍ନମାନର କାମକୁ ପ୍ରଶୟ ଦେବାର ସମ୍ଭାବନା ଆଦୌ ନାହିଁ । ଯଦି କୌଣସି ଠାରେ କାର୍ଯ୍ୟ ନିମ୍ନମାନର ନଜରକୁ ଆସୁଛି ତୁରନ୍ତ ତାହାର ମାନ ଯାଞ୍ଚ କରାଯାଇ ଠିକାଦାରଙ୍କ ନିଜସ୍ୱ ଖର୍ଚ୍ଚରେ ପୁନଃ ନିର୍ମାଣ ଓ ମରାମତି କରାଯାଉଛି । ଏହା ମଧ୍ୟ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆସୁଥିବ ।

ପିସୁ ରାସ୍ତା ବିଷୟରେ ବିଭାଗ ଜଣାଇଦେବାକୁ ଚାହେଁ ଯେ ସଦ୍ୟ ପ୍ରସ୍ତୁତ ପିଚୁସ୍ତରଟି ନିର୍ମାଣର ପ୍ରାୟ ଏକ ମାସ ପର୍ଯ୍ୟନ୍ତ ନମନୀୟ ଓ ଭଙ୍ଗୁର ହୋଇଥିବାରୁ ଏହାକୁ ସହଜରେ ହାତରେ ବାହାର କରାଯାଇପାରିବ । କାରଣ ପିଚୁ ନମନୀୟ ଓ ତରଳ, ଏହା ଫେବିକଲ ଅଠାଭଳି ନୁହେଁ ଯେ ସଂଗେ ସଂଗେ ନିମ୍ନସ୍ଥ ମେଟାଲ ସ୍ତର କିମ୍ବା ପୁରୁଣା ପିଚୁ ସ୍ତର ସହିତ ଦୃଢଭାବେ ଲାଗିଯିବ ।

ମାନ ଯାଞ୍ଚକାରୀ ଦ୍ୱାରା ଯାଞ୍ଚ କଲାବେଳେ ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ବ୍ୟବହୃତ ପିଚୁର ପରିମାଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ସାମଗ୍ରୀ ଯଥା ଚିପ୍ସ ପ୍ରଭୃତିର ଗୁଣବତ୍ତା ସନ୍ତୋଷଜନକ ରହୁଅଛି ଏବଂ ପିଚୁ ମିଶା ସ୍ତରରେ ମୋଟେଇ ମଧ୍ୟ ଆବଶ୍ୟକ ଅନୁସାରେ ରହୁଛି । ଏପରିସ୍ଥଳେ ଠିକାଦାରମାନେ ଅଯଥା କ୍ଷତିଗ୍ରସ୍ତ ଓ ହଇରାଣହେବା ସହିତ ଆଇନ୍‍ର ମଧ୍ୟ ଆଶ୍ରୟ ନେଉଛନ୍ତି । ଫଳରେ ଉତ୍ତେଜନାମୂକଳ ଓ ଆଇନ୍‍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ।

କେତେକ କ୍ଷେତ୍ରରେ ଦେଖାଯାଉଛି ଯେ କିଛି ନ୍ୟସ୍ତସ୍ୱାର୍ଥ ଓ ଅସାମାଜିକ ଲୋକେ ନିଜର ସ୍ୱାର୍ଥ ସାଧନ ଓ ମନ୍ଦ ଉଦ୍ଦେଶ୍ୟ ରଖି ଠିକାଦାର ଓ ବିଭାଗୀୟ କର୍ମକର୍ତ୍ତାଙ୍କୁ ହଇରାଣ କରିବାପାଇଁ ଉଦ୍ଦେଶ୍ୟରେ ଏପରି ପ୍ରାୟୋଜିତ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ।

ତେଣୁ ଜନସାଧାରଣ ନୂତନ ଭାବେ ନିର୍ମିତ ପିଚୁସ୍ତରକୁ ନିମ୍ନମାନର କାମ ଦର୍ଶାଇ ତାହାକୁ ଖୋଳିବାରୁ ନିବୃତ୍ତ ରୁହନ୍ତୁ । ବରଂ ଯଦି କାହାର ହୃଦବୋଧ ହେଉଛି ଯେ କାମଟି ନିମ୍ନମାନର ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟିକୁ ଆଣିବା ସହିତ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏକମାଦ ମଧ୍ୟରେ ଏହି କାମକୁ ଅନୁଧ୍ୟାନ କରି ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଏହାକୁ ଅବମାନନା କରି ଏକାମାସ ନପୁରୁଣୁ ଅଭିସନ୍ଧିମୂଳକ ଉଦ୍ଦେଶ୍ୟ ରଖି ଖୋଳା ଖୋଳି କରି ଅଯଥା ହଇରାଣ କରାଯିବାର ନଜରକୁ ଆସିଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: